fbpx

ନୂଆବର୍ଷରେ ଆପଣାନ୍ତୁ ଏହି ନୂଆ ସଂକଳ୍ପ, ଜୀବନରେ ଭରିଯିବ ଖୁସିର ସମ୍ଭାର

୨୦୨୦ ବର୍ଷ ଆମକୁ ବିଦାୟ ଦେଇ ଚାଲିଗଲା । ଆଜି ହେଉଛି ୨୦୨୧ ବର୍ଷର ପ୍ରଥମ ଦିନ । ନବବର୍ଷକୁ ସମସ୍ତେ ଭିନ୍ନ ଭିନ୍ନ ପ୍ରକାରେ ପାଳନ କରୁଛନ୍ତି । ତେବେ ଏହି ଖୁସିର ମୁହୂର୍ତ୍ତରେ ଆପଣମାନେ ନୂଆ ବର୍ଷରେ କିଛି ନୂଆ ଯୋଜନା ପ୍ରସ୍ତୁତ କରନ୍ତୁ । ପ୍ରତିଜ୍ଞା କରନ୍ତୁ, ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ । ଆସନ୍ତୁ ଜାଣିବା ଏମିତି କିଛି ନୂଆ ସଂକଳ୍ପ ବିଷୟରେ ଯାହାକୁ ଆପଣେଇ ଆପଣ ନିଜର ଜୀବନକୁ ମଧୁମୟ କରିପାରିବେ ।

  • ସର୍ବପ୍ରଥମେ ଆପଣମାନେ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । କାରଣ ଉତ୍ତମ ସ୍ୱାସ୍ଥ୍ୟ ହିଁ ସୁସ୍ଥ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ । ଠିକ ସମୟରେ ଖାଦ୍ୟ ଗ୍ରହଣ କରିବା, ଦୈନିକ ବ୍ୟାୟାମ କରିବା ଆଦିକୁ ନିଜ ଜୀବନର ଏକ ଅଂଶ ଭାବେ ସାମିଲ କରି ନିଅନ୍ତୁ ।
  • ଆପଣଙ୍କର ପରମ ଶତ୍ରୁ କ୍ରୋଧକୁ ନିୟନ୍ତ୍ରଣ କରିବା ଶିଖନ୍ତୁ । କ୍ରୋଧ ଦ୍ୱାରା ଆପଣଙ୍କର ନିଜର ବହୁତ କିଛି କ୍ଷତି ହୋଇଥାଏ । କ୍ରୋଧରେ ରହିଲେ ଆପଣ କୌଣସି କ୍ଷେତ୍ରରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଅନେକ କ୍ଷେତ୍ରରେ କ୍ରୋଧ ହିଁ ଆପଣଙ୍କର ପରାଜୟ ଓ କ୍ଷତିର କାରଣ ସାଜିଥାଏ ।
  • ମନରୁ ନକାରାତ୍ମ ଚିନ୍ତାଧାରାକୁ ଦୂରେଇ ରଖନ୍ତୁ । କାରଣ ଏହି ଚିନ୍ତାଧାରା ଆପଣଙ୍କ ମନରେ ଦୀର୍ଘଦିନ ରହିଲେ ଆପଣଙ୍କର ମାନସିକତାକୁ ଖରାପ କରିଦିଏ । ଆପଣ ନିଜର ବନ୍ଧୁ ପରିଜନଙ୍କୁ ଭବିଷ୍ୟତରେ ହରାଇ ପାରନ୍ତି । ସର୍ବଦା ସକାରାତ୍ମକ ଓ ଈଶ୍ୱର ବିଶ୍ୱାସୀ ହୁଅନ୍ତୁ ।
  • ଦୁନିଆରେ ସମସ୍ତଙ୍କ ପ୍ରତି ଦୟାଳୁ ହୁଅନ୍ତୁ । ଛୋଟ, ବଡ଼, ଧନୀ, ଗରିବ ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଭାବନା ରଖନ୍ତୁ । ଅନ୍ୟକୁ ସମ୍ମାନ ଦେବା ଶିଖନ୍ତୁ । କାରଣ ସମ୍ମାନ ଦେଲେ ହିଁ ଆପଣ ସମ୍ମାନ ପାଇବେ ।
  • ନୂଆବର୍ଷରେ ଖରାପ ଅଭ୍ୟାସଗୁଡ଼ିକୁ ତ୍ୟାଗ କରନ୍ତୁ । ସିଗାରେଟ, ଗୁଟଖା, ଆଲକହଲ ଆଦି ନିଶା ଜାତୀୟ ଦ୍ରବ୍ୟଗୁଡ଼ିକୁ ବର୍ଜନ କରନ୍ତୁ । ଏହା କେବଳ ଆମର ଶରୀର ପ୍ରତି ବିପଦ ନୁହେଁ, ଆମର ପରିବାର, ସମାଜର ମଧ୍ୟ ବହୁତ କ୍ଷତି କରିଥାଏ ।
  • ନୂଆବର୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଫଳତା ହାସଲ କରିବା । ଏଥିପାଇଁ ସ୍ୱପ୍ନ ଦେଖନ୍ତୁ । କଠୋର ପରିଶ୍ରମ କରନ୍ତୁ । ଅଯଥାରେ ସମୟ ସମୟ ନଷ୍ଟ ନକରି ସଂଘର୍ଷ କରି ଚାଲନ୍ତୁ ।
  • ସର୍ବଦା ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । କାରଣ ଚାପ, ଅବସାଦରେ ରହିଲେ ଏହା ଆପଣଙ୍କ ମନ ଓ ଶରୀରକୁ ରୁଗଣ କରିଦେଇଥାଏ । ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ଶତ ପ୍ରତିଶତ ଖୁସି ମନରେ କରିପାରିଲେ କାର୍ଯ୍ୟଟି ନିଶ୍ଚୟ ସଫଳ ହେବ ।
  • ନିଜ ଉପରେ ଗଭୀର ବିଶ୍ୱାସ ରଖନ୍ତୁ । ଆତ୍ମବିଶ୍ୱାସ ବୃଦ୍ଧି ନିମନ୍ତେ ଯୋଗ, ଧ୍ୟାନ, ପ୍ରାଣାୟମ କରିବା ସହ ଭଲ ପୁସ୍ତକ ଅଧ୍ୟୟନ କରନ୍ତୁ । ସାମାନ୍ୟ ଅସଫଳତାରେ ବ୍ୟତିବ୍ୟସ୍ତ ନ ହୋଇ ଦୀର୍ଘସୂତ୍ରୀ ସଫଳତା ନିମନ୍ତେ ଯୋଜନା ପ୍ରସ୍ତୁତ କରନ୍ତୁ ।
  • ସଚ୍ଚୋଟ ହେବା ସହ ପରୋପକାରୀ ହୁଅନ୍ତୁ । ପିତାମାତାଙ୍କ ସେବା କରନ୍ତୁ । ସଫଳ ବ୍ୟକ୍ତିଙ୍କ ପଥକୁ ଅନୁସରଣ କରନ୍ତୁ । ନିଜର କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଧୈର୍ଯ୍ୟର ସହ କର୍ମ କରି ଚାଲନ୍ତୁ, ସମୟ ଆସିବ, ଏକ ଉଜ୍ଜ୍ୱଳ ଭବିଷ୍ୟତର ନାୟକ ଆପଣ ସାଜିବେ, ଏଥିରୁ ଆପଣଙ୍କୁ କେହି ନିବୃତ୍ତ କରିପାରିବେ ନାହିଁ ।

Get real time updates directly on you device, subscribe now.