ଏ କେମିତି କଥା? ଅପରେସନ ବେଳେ ଅଧାରୁ ହାତ ଟେକିଦେଲେ ଡାକ୍ତରବାବୁ: ରୋଗୀ ଗୁରୁତର

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି କୁହାଯାଏ । ରୋଗୀକୁ ଜଣେ ଡାକ୍ତର ନିଜର ଜ୍ଞାନ କୌଶଳ ଏବଂ ଟେକ୍ନିକ ଦ୍ୱାରା ନୂଆ ଜୀବନ ଦେଇଥାନ୍ତି । ଶେଷ ପର୍ଯ୍ୟନ୍ତ ଜଣେ ରୋଗୀକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥାନ୍ତି ଡାକ୍ତରବାବୁ, କେବେ ବି ନିରାଶ କିମ୍ବା ଫେଲ ମାରିବାକୁ ଭଲ ପାଇ ନଥାନ୍ତି । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଏହାର ଏକ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଅପରେସନ ଅଧାରୁ ଡାକ୍ତର ରୋଗୀକୁ ଛାଡି ଦେଇଛନ୍ତି ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ଏକଦମ ସତ । ବାଲେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅପରେସନ ବେଳେ ଅଧାରୁ ଅଟକିଗଲେ ଡାକ୍ତରବାବୁ, ଆଉ ହାତ ଟେକି ଦେଲେ । ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ଜାଣିବାକୁ ମିଳିଛି । ସୂଚନା ଅନୁସାରେ, କୁରୁଡା ଅଞ୍ଚଳର ଜଣେ ମହିଳାଙ୍କ ଜରାୟୁ ଅପରେସନ କରୁ କରୁ ନିଜ ଉପରେ ଥିବା ବିଶ୍ୱାସ ହରାଇ ବସିଥିଲେ ଡାକ୍ତର ଅନୁପ । ,ହାପରେ ମହିଳାଙ୍କ ସମ୍ପର୍କୀୟଙ୍କୁ ସେ କହିଥିଲେ ଯେ, ରୋଗୀଙ୍କ ଅବସ୍ଥା ଗୁରୁତର ବାଲେଶ୍ୱରରେ ଏହି ଅପରେସନ ହୋଇପାରିବ ନାହିଁ, ତେଣୁ ତାଙ୍କୁ କଟକ କିମ୍ବା ଭୁବନେଶ୍ୱରର କୌଣସି ବଡ ହସ୍ପିଟାଲକୁ ନେଇଯାଅ । ଏତିକି କହି ମହିଳାଙ୍କ ପେଟରେ ଷ୍ଟିଚ ପକାଇ ସେଠାରୁ ପଳାଇଥିଲେ ଡାକ୍ତରବାବୁ ।

ତେବେ ଅଧା ଅପରେସନ ହୋଇଥିବା ବେଳେ ପତ୍ନୀଙ୍କୁ ଅନ୍ୟ ମେଡିକାଲ ନେବା ପାଇଁ ଚିନ୍ତାରେ ପଡିଯାଇଛନ୍ତି ମହିଳା ସ୍ୱାମୀ । ତେଣୁ କ୍ଲିନିକର କର୍ତ୍ତୃପକ୍ଷ ତାଙ୍କୁ ବୁଝାଇ ୩ ଦିନରୁ ବେଡରେ ପକାଇ ରଖିତିବା ଜାଣିବାକୁ ମିଳିଛି । ସେପଟେ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଖରାପ ହେବାରେ ଲାଗିଛି । ଏ ନେଇ ମହିଳାଙ୍କ ସ୍ୱାମୀ କ୍ଲିନିକରେ ହୋ ହଲ୍ଲା କରିବାରୁ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । ତେବେ ମାମଲା ଚର୍ଚ୍ଚାକୁ ଆସିବା ପରେ ଡାକ୍ତର ଅନୁପ ନିଜ ଖର୍ଚ୍ଚରେ ମହିଳାଙ୍କ ଚିକିତ୍ସା ବଡ ହସ୍ପିଟାଳରେ କରାଇବେ ବୋଲି କହିଛନ୍ତି ହସ୍ପିଟାଲର ମାଲିକ ।