ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେତେବେଳେ କ’ଣ କହି ଦିଅନ୍ତି ସେ ବିଷୟରେ ହୁଏତ ସେ ନିଜେ ଜାଣି ନ ଥିବେ । ସବୁବେଳେ ନିଜ ବୟାନ ପାଇଁ ବିବାଦରେ ରହୁଥିବା ରାହୁଲ ପୁଣିଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଗତ ୧୬ ତାରିଖରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ଅମରାବତୀରେ ନିର୍ବାଚନ ପ୍ରଚାର କରୁଥିଲେ । ସେଠାରେ ଆୟୋଜିତ ସଭାରେ ଭାଷଣ ଦେବାବେଳେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏକ ଟିପ୍ପଣୀ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ, ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ମରଣ ଶକ୍ତିରେ ହ୍ରାସ ଘଟିଲାଣି ।
ରାହୁଲଙ୍କ ଏ ଟିପ୍ପଣୀକୁ ବିରୋଧ କରିଛନ୍ତି, ନ୍ୟାଶନାଲ ମେଡିକୋସ୍ ଅର୍ଗାନାଇଜେଶନ ଭାରତର ସଦସ୍ୟ । ରାହୁଲ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ମୋଦିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସିଧାସଳଖ ରାହୁଲ କମେଣ୍ଟ କରିଛନ୍ତି । ଯାହାର ନକାରାତ୍ମକ ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ବୋଲି ଅର୍ଗାନାଇଜେଶନର ସଭାପତି ସି.ବି. ତ୍ରିପାଠୀ କହିଛନ୍ତି । ଏତତବ୍ୟତୀତ ଉଭୟ ମୋଦି ଏବଂ ବାଇଡେନ୍ ରାହୁଲଙ୍କଠାରୁ ବୟସରେ ଓ ପଦରେ ବହୁ ବଡ଼, ସେଥିପାଇଁ ତାଙ୍କୁ ସମ୍ମାନର ସହ ବ୍ୟବହାର କରିବାକୁ ପଡ଼ିବ । ରାହୁଲଙ୍କ ଏ ପ୍ରକାର କାର୍ଯ୍ୟ ପାଇଁ ଦେଶର ମେଡିକାଳ କମ୍ୟୁନିଟି ପକ୍ଷରୁ ଆମେ ତାଙ୍କଠାରୁ କ୍ଷମା ଦାବି କରୁଥିବା ତ୍ରିପାଠୀ ମତ ପ୍ରକାଶ କରିଛନ୍ତି ।