ଛୋଟ ଛୋଟ କଥାରେ ଜିଦ୍ କରୁଛି କି ଆପଣଙ୍କ ପିଲା ? କ୍ରୋଧିତ ହେବା ପରିବର୍ତ୍ତେ କାରଣ ବୁଝନ୍ତୁ

ଓଡ଼ିଶା ଭାସ୍କର: ଛୋଟ ପିଲାଙ୍କ ମନ ବହୁତ କୋମଳ ଥାଏ । ସେମାନେ ଯାହା ଦେଖନ୍ତି ତାହା ହିଁ ଶିଖିଥାନ୍ତି । ସନ୍ତାନର ଲାଳନପାଳନରେ ମାତାପିତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ପିଲାଙ୍କ ସ୍ୱଭାବ ଚଞ୍ଚଳ । ବେଳେ ବେଳେ ସେମାନେ ନୂଆ ନୂଆ ଜିନିଷ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ଏହାକୁ ପାଇବା ପାଇଁ ଜିଦ୍ କରିଥାନ୍ତି । ସେମାନଙ୍କୁ ସେହି ଜିନିଷ ମିଳିଲେ ଖୁସି ହୁଅନ୍ତି ଏବଂ ନ ମିଳିଲେ ଋଷି ଯାଆନ୍ତି । ବେଳେ ଛୋଟ ଛୋଟ କଥାକୁ ନେଇ ଜିଦ୍ ମଧ୍ୟ କରିଥାନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କ ବ୍ୟବହାରରେ ଏକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଯାହା ମାତା ପିତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥାଏ ।

ଆଜିକାଲି ଅଧିକାଂଶ ଦମ୍ପତି କର୍ମଜୀବୀ ହୋଇଥିବାରୁ ନିଜ ସନ୍ତାନ ସହ ଅଧିକ ସମୟ ବିତାଇପାରି ନଥାନ୍ତି । ଫଳରେ ପିଲାଙ୍କ ବ୍ୟବହାର ପଛର କାରଣ ବୁଝିବାକୁ ଅସମର୍ଥ ହୋଇଥାନ୍ତି । ଏଭଳି ସ୍ଥିତିରେ ପିଲାଙ୍କ ଉପରେ କ୍ରୋଧିତ ହେବା ପରିବର୍ତ୍ତେ ସେମାନଙ୍କ ସହ ଖୋଲା ଖୋଲି ଭାବେ ଆଲୋଚନା କରି ପରିସ୍ଥିତି ଅନୁଯାୟୀ ଶାନ୍ତିରେ ବୁଝାଇବାକୁ ଚେଷ୍ଟା କରନ୍ତୁ । ସବୁବେଳେ ପିଲାଙ୍କ ଉପରେ କ୍ରୋଧିତ ହେଲେ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ । ଏଭଳି ସ୍ଥିତିରେ ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

୧. ଧ୍ୟାନ ଆକର୍ଷିତ କରିବା: ଅଧିକାଂଶ ପିଲାମାନେ ମାତା ପିତା, ଶିକ୍ଷକ, ସାଙ୍ଗସାଥି ଆଦିଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଅଭିଯୋଗ କରିଥାନ୍ତି । ପିଲାମାନେ ଚାହିଁଥାନ୍ତି କି ସେମାନଙ୍କ ସମସ୍ୟାର କେହି ସମାଧାନ କରନ୍ତୁ । କିନ୍ତୁ ଧ୍ୟାନ ଦିଅନ୍ତୁ ପିଲା ପ୍ରତି ଛୋଟ ଛୋଟ କଥାରେ ଯେପରି ଅଭିଯୋଗ ନ କରେ । ବେଳେ ବେଳେ ସେମାନଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ ।

୨. ଅସନ୍ତୁଷ୍ଟି ଭାବନା: ଆପଣ ପିଲାଙ୍କ ସହ ଅଧିକ ସମୟ ବିତାଇ ନପାରୁଥିବାରୁ ସେମାନଙ୍କ ମନରେ ଅସନ୍ତୁଷ୍ଟ ଭାବନା ଦେଖାଦେଇଥାଏ । ଫଳରେ ସେମାନେ ସବୁବେଳେ ଅଭିଯୋଗ କରିଥାନ୍ତି । ତେଣୁ ସେମାନଙ୍କ ଅସନ୍ତୁଷ୍ଟିର ଭାବନା ପଛର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ।

୩. ପିଲାଙ୍କ ସମସ୍ତ କଥା ଶୁଣନ୍ତୁ: ଧୈର୍ଯ୍ୟର ସହ ପିଲାଙ୍କ ସମସ୍ତ କଥାକୁ ଶୁଣନ୍ତୁ । ବାସ୍ତବରେ ସମସ୍ୟା କେତେ ବଡ଼ ବା ଛୋଟ ସେ ବିଷୟରେ ବିଚାର କରନ୍ତୁ । ଛୋଟ ଛୋଟ କଥାରେ ଘାବରାଇବା ଛାଡ଼ି ସେମାନଙ୍କୁ ନିଜ ଦାୟିତ୍ୱ ବିଷୟରେ ଅବଗତ କରାନ୍ତୁ । ଆପଣ ସେମାନଙ୍କ ଉପରେ ନଜର ରଖିପାରିବେ ।

୪. ଅନୁଶାସନ ଶିଖାନ୍ତୁ: ପିଲାଙ୍କୁ ଅନୁଶାସିତ କରାନ୍ତୁ । ଏହା ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥାଏ । ଜୀବନରେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ସେମାନେ ଘାବରାଇନଥାନ୍ତି । ସେମାନଙ୍କ ସହ ଗୁଣାତ୍ମକ ସମୟ ବିତାନ୍ତୁ ଏବଂ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରନ୍ତୁ । ଏହା ଦ୍ୱାରା ମାତାପିତା ଏବଂ ପିଲାଙ୍କ ମଧରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ ।

୫. ନିଜ ବ୍ୟବହାରରେ ପରିବର୍ତ୍ତନ: ବେଳେ ବେଳେ ମାତା ପିତାମାନେ କାର୍ଯ୍ୟବ୍ୟସ୍ତତାରେ ଏତେ ଛନ୍ଦି ହୋଇଯାଇଥାନ୍ତି କି ପିଲାଙ୍କ ଉପରେ ଅକାରଣ କ୍ରୋଧିତ ହୋଇଥାନ୍ତି । ପିଲାମାନେ ଯାହା ଦେଖିଥାନ୍ତି ସେଇୟା ଶିଖିଥାନ୍ତି । ତେଣୁ ପିଲାଙ୍କ ଅଭିଯୋଗ ଓ ଜିଦ୍ ପଛରେ ଆପଣଙ୍କ ବ୍ୟବହାର ମଧ୍ୟ ଦାୟୀ ହୋଇପାରେ । ମାତା ପିତାମାନେ ମଧ୍ୟ ପିଲାଙ୍କ ସହ ଛୋଟ ଛୋଟ କଥାକୁ ନେଇ ବିରକ୍ତ ହେବା ଉଚିତ ନୁହେଁ । ବିଶେଷ କରି ପିଲାଙ୍କ ସାମ୍ନାରେ କେବେ ବି ଝଗଡ଼ା କରିବା ଠାରୁ ଦୂରେଇ ରୁହନ୍ତୁ ।