fbpx

କମ୍ ସୋଡ଼ା ପିଇଲେ ମଧ୍ୟ ପୁରୁଷଙ୍କର ଚନ୍ଦାପଣ ସମସ୍ୟା ବଢ଼ିବ: ଚିନ୍ତା ବଢ଼ାଇଲା ନୂଆ ଷ୍ଟଡି ରିପୋର୍ଟ

ନୂଆଦିଲ୍ଲୀ: ଆଜିକାଲି ପରିବର୍ତ୍ତିତ ଲାଇଫଷ୍ଟାଇଲ କାରଣରୁ ବିଭିନ୍ନ ପ୍ରକାରର ରୋଗ ସହ ଲଢ଼େଇ କରିବାକୁ ବାଧ୍ୟ ହେଉଛି ମଣିଷ । ତେବେ ସୋଡ଼ା ପିଇବାକୁ ଅଧିକାଂଶ ଲୋକ ପସନ୍ଦ କରୁଥିବା ବେଳେ ଏହା ଆମ ଶରୀର ପାଇଁ କ୍ଷତିକାରକ । ବିଶେଷ କରି ଏହାଦ୍ୱାରା ପୁରୁଷମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ଦିନକୁ କମ୍ ମାତ୍ରାରେ ସୋଡ଼ା ପିଇଲେ ବି ପୁରୁଷଙ୍କଠାରେ ଚନ୍ଦାପଣ ସମସ୍ୟା ବଢ଼ିବ । ନିକଟରେ ଆସିଥିବା ଏକ ଷ୍ଟଡି ରିପୋର୍ଟକୁ ନେଇ ଏବେ ପୁରୁଷଙ୍କର ଚିନ୍ତା ବଢ଼ିଯାଇଛି ।

ନିକଟରେ ବେଜିଂର ଟିସିଙ୍ଘୁଆ ୟୁନିଭରସିଟି ପକ୍ଷରୁ ପୁରୁଷଙ୍କ କେଶ ଝଡ଼ିବା ସମସ୍ୟାକୁ ନେଇ ଏକ ଷ୍ଟଡି କରାଯାଇଥିଲା । ଦିନକୁ କେବଳ ଗୋଟିଏ ସୋଡ଼ା ପିଉଥିବା ପୁରୁଷଙ୍କ କ୍ଷେତ୍ରରେ ଏହାକୁ ଆଭଏଡ କରୁଥିବା ଲୋକଙ୍କ ଅପେକ୍ଷା ୫୭ ପ୍ରତିଶତ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେଚ ମିଠା ପାନୀୟ, କ୍ରୀଡ଼ା ଡ୍ରିଙ୍କସ, ମିଠା କଫି ଓ ଚା’ଠାରୁ ଦୂରେଇ ରହିବାକୁ ରିସର୍ଚ୍ଚ ଟିମର ସଦସ୍ୟମାନେ ପରାମର୍ଶ ଦେଇଛନ୍ତି ।

ଡାଟା ମୁତାବକ, ୫୦ ବର୍ଷ ମଧ୍ୟରେ ୫୦ ପ୍ରତିଶତ ପୁରୁଷଙ୍କ ଠାରେ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ । ଅନ୍ୟପକ୍ଷରେ ୨୫ ପ୍ରତିଶତ ପୁରୁଷ ୨୧ ବର୍ଷ ପୂର୍ବରୁ ଚନ୍ଦାପଣର ଶିକାର ହୋଇଥାନ୍ତି । ବୈଜ୍ଞାନିକମାନେ ଦୀର୍ଘଦିନରୁ କେଶ ଝଡ଼ିବା ସମସ୍ୟାର ଏକ ପ୍ରଭାବଶାଳୀ ଚିକିତ୍ସା ସନ୍ଧାନରେ ରହିଥିଲେ । ତେବେ ଏହି ଅଧ୍ୟୟନରେ ଚୀନର ୧୮ରୁ ୪୫ ବର୍ଷୀୟ ୧୦୨୮ ଜଣ ପୁରୁଷଙ୍କୁ ସାମିଲ କରାଯାଇଥିଲା । ତେବେ ସପ୍ତାହରେ ୩ ଥର ଏହି ପାନୀୟ ସେବନ ଦ୍ୱାରା କେଶ ଝଡ଼ିବା ସମସ୍ୟା ୨୧ ପ୍ରତିଶତ ଆଶଙ୍କା ରହିଥାଏ । ସେହିପରି ୪-୭ ଥର ମିଠା ପାନୀୟ ସେବନ ଦ୍ୱାରା ଏହି ଆଶଙ୍କା ୨୬ ପ୍ରତିଶତ ବଢ଼ିଥାଏ ବୋଲି କୁହାଯାଇଛି ।

Get real time updates directly on you device, subscribe now.