fbpx

ଏଣିକି Driving Test ବେଳେ ଉପସ୍ଥିତ ରହିବେନି MVI: କ୍ୟାମେରା, ସେନ୍ସର ଓ କମ୍ପ୍ୟୁଟରରେ ୧୦ ସେକେଣ୍ଡରେ ଜଣାପଡ଼ିବ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆଉ ପୂର୍ବଭଳି ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ) ଉପସ୍ଥିତ ରହିବେନି । ଡ୍ରାଇଭିଂ ଟେଷ୍ଟ କ୍ୟାମେରା, ସେନ୍ସର ଓ କମ୍ପ୍ୟୁଟର ଦ୍ୱାରା କରାଯିବ । ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଅଟୋମେଟିକ୍ ଡ୍ରାଇଭିଂ ଟେଷ୍ଟ । ଏହି ବ୍ୟବସ୍ଥା ପ୍ରଚଳନ ଫଳରେ ମାତ୍ର ୧୦ ସେକେଣ୍ଡରେ ଟେଷ୍ଟର ରେଜଲ୍ଟ ଜଣାପଡ଼ିଯିବ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୯ଟି ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ଅଧୀନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ସେଗୁଡ଼ିକ ମଧ୍ୟରେ ରହିଛି ବାରିପଦା, ଅନୁଗୁଳ, ବଲାଙ୍ଗିର, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ଫୁଲବାଣୀ, ରାଇରଙ୍ଗପୁର, ରାଉରକେଲା, ସୁନ୍ଦରଗଡ଼, ତାଳଚେର, କେନ୍ଦୁଝର, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, ସୋନପୁର ଓ ଭଞ୍ଜନଗର । ଏହି ସମସ୍ତ ଜାଗାରେ ଡ୍ରାଇଭିଂ ଟେଷ୍ଟ ପରୀକ୍ଷଣ ଟ୍ୟାକରେ ଏହା ଲାଗୁ କରାଯିବ ବୋଲି ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।
ଭିଡିଓ ଆନାଲିଟିକ୍ସ, ଟେକ୍ନୋଲୋଜି, କ୍ୟାମେରା ଓ ସେନ୍ସରର ବ୍ୟବହାର କରି ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସେଟଅପ୍ ବ୍ୟବହାର କରାଯିବ । ଯାନଗୁଡ଼ିକର ପ୍ରବେଶଠାରୁ ଆରମ୍ଭ କରି ଏହାର ଯାଞ୍ଚ ଓ ଡ୍ରାଇଭିଂ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଡିଜିଟାଲ ପଦ୍ଧତିରେ କରାଯିବ । ଟ୍ରାକରେ ଫିଟ୍ ହୋଇଥିବା ଡିଜିଟାଲ ସେନ୍ସରଗୁଡ଼ିକ ଏହା ଉପରେ ନଜର ରଖିବେ । ଆବେଦନକାରୀଙ୍କ ଦକ୍ଷତା ପରୀକ୍ଷା, ଗାଡ଼ି ଚାଳନା, ଅପ୍ ଗ୍ରେଡିଏଣ୍ଟ ଫରୱାର୍ଡ, ଷ୍ଟପ୍ ଲାଇନ୍, ରିଭର୍ସ ଆଦି ପାରାମିଟର ଉପରେ ବିଚାର କରାଯିବ । ଆବେଦନକାରୀମାନେ ସଙ୍ଗେସଙ୍ଗେ ସେହି ସ୍ଥାନରେ ସେମାନଙ୍କର ପରୀକ୍ଷା ରେଜଲ୍ଟ ମାତ୍ର ୧୦ ସେକେଣ୍ଡରେ ଜାଣି ପାରିବେ ।

Get real time updates directly on you device, subscribe now.