ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ଯାହା ଦେଖିବା ଲୋକଙ୍କ ମନରେ ଆବେକ ସୃଷ୍ଟି କରିଦେବ । ଗ୍ୱାଲିଅରର DSP ସନ୍ତୋଷ ପଟେଲଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି । ଯାହା ଲୋକଙ୍କ ମନକୁ ବି ଛୁଇଁଛି । କୌଣସି କାମରେ DSP ଭୋପାଳ ଆସିଥିଲେ । ଆଉ ସେଠାରେ ସେ ତାଙ୍କ ଜଣେ ପୁରୁଣା ବନ୍ଧୁକୁ ଭେଟିଛନ୍ତି । ସମ୍ପୂର୍ଣ୍ଣ କଥାଟି କିଛି ଏମିତି, DSP ସାର୍ ଭୋପାଳ ଯାଇଥିବାବେଳେ ସେଠାରେ ତାଙ୍କ ପଢ଼ାବେଳର ସାଙ୍ଗଙ୍କୁ ଭେଟିଛନ୍ତି । ଆଉ ସେ ବନ୍ଧୁ କୌଣସି ଅଫିସର ନୁହଁନ୍ତି, ସେ ହେଉଛନ୍ତି ଜଣେ ପରିବା ବାଲା । ଯାହାଙ୍କ ନାମ ସଲମାନ । ଭୋପାଳରେ ପରିବା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ସଲମାନଙ୍କ ଦୋକାନ ଆଗରେ ହଠାତ୍ ଶନିବାର ଦିନ ସନ୍ଧ୍ୟାରେ DSPଙ୍କ ଜିପ୍ ଅଟକି ଥିଲା । କାରରୁ ଓହ୍ଲାଇ ଅଫିସର ପ୍ରଥମେ ପରିବାବାଲାଙ୍କୁ ଚିହ୍ନିପାରୁଚ ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ପରିବା ବାଲା ଜଣକ ହଁ ବୋଲି କହିଥିଲେ । ଆଉ ତା’ ପରେ DSP ସାର୍ ତୁରନ୍ତ ସଲମାନଙ୍କ ନିକଟକୁ ଯାଇଥିଲେ । ତାଙ୍କୁ ଆଲିଙ୍ଗନ କରିବା ସହ ପୁରୁଣା ଦିନର ସ୍ମୃତି ମନେ ପକେଇଥିଲେ ।
୧୪ ବର୍ଷ ତଳେ ସନ୍ତୋଷ ପଟେଲ ପ୍ରଶାସନିକ ଅଧିକାରୀ ହେବା ପୂର୍ବରୁ ଭୋପାଳରେ ରହି ପଢ଼ା ପଢ଼ି କରୁଥିଲେ । ପାଖରେ ଟଙ୍କା ନ ଥିବାଯୋଗୁ ସଲମାନଙ୍କଠାରୁ ସେ ବାକିରେ ପରିବା ନେଇ ଖାଇଥିବା କଥା କହିଥିଲେ । DSP ସାର୍ ସଲମାନଙ୍କୁ ମିଠା ମଧ୍ୟ ଖୁଆଇଥିଲେ । ଏହାର ଭିଡିଓ ସନ୍ତୋଷ ୟୁଟୁ୍ୟବରେ ପୋଷ୍ଟ କାରିଛନ୍ତି । DSP ସାର୍ଙ୍କ ଏ କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । DSP ସନ୍ତୋଷଙ୍କ ମତରେ କଷ୍ଟ ସମୟରେ ସାଥୀରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଭୁଲିଯିବା ପାପ ସହ ସମାନ । DSP ସନ୍ତୋଷ ପଟେଲ ସୋସିଆଲ ମିଡିଆରେ ବେଶ୍ ଆକଟିଭ । ପ୍ରାୟ ସମୟରେ ସେ ହିତକର ସୋସିଆଲ ମେସେଜ ଭିଡିଓ କରି ଶେୟାର କରନ୍ତି । ଅନେକ ସମୟରେ ତାଙ୍କୁ ସାଧାରଣ ଲୋକଙ୍କ ଗହଣରେ ମଧ୍ୟ ଦେଖାଯାଇଛି ।