fbpx

ଆର୍ଦ୍ରତା କାରଣରୁ ବଢୁଛି ଆତ୍ମହତ୍ୟା, ଅଧିକ ଜୀବନ ହାରୁଛନ୍ତି ଯୁବ ପିଢି ଓ ମହିଳା : ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଅନିୟମିତ ପାଣିପାଗ କାରଣରୁ ଦୁନିଆରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ସାରିଛି । ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଲୋକଙ୍କ ଉପରେ ପଡୁଛି । ଏବେ ନୂତନ ଗବେଷଣା ଅନୁଯାୟୀ, ଜଳବାୟୁ ସଙ୍କଟ କାରଣରୁ ଆର୍ଦ୍ରତା ବଢିବାରେ ଲାଗିଛି । ଆଉ ଏହାରି ପ୍ରଭାବରେ ଲୋକଙ୍କ ଆତ୍ମହତ୍ୟା ସଂଖ୍ୟା ବଢିବାରେ ଲାଗିଛି ।

ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, ବିଶେଷ କରି ମହିଳା ଏବଂ ଯୁବ ପିଢି ଆର୍ଦ୍ରତାରେ ପ୍ରଭାବିତ ହେଉଛନ୍ତି । ଏହି ଆର୍ଦ୍ରତା କାରଣରୁ ହିଁ ବିଶ୍ୱ ତାପମାତ୍ରା ବୃଦ୍ଧି ଘଟିଚାଲିଛି । ୧୯୭୯ ଓ ୨୦୧୬ ମଧ୍ୟରେ ୬୦ ଦେଶର ତଥ୍ୟକୁ ଆଧାର କରି ମିଳିତ ଜାତିସଂଘ, ସସେକ୍ସ ଓ ଜିନେଭା ବିଶ୍ୱ ବିଦ୍ୟାଳୟ ସହିତ ଲଣ୍ଡନ ୟୁନିଭର୍ସିଟିର ଗବେଷକଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନରୁ ଜଣା ପଡିଛି ଯେ, ବର୍ଦ୍ଧିତ ତାପମାତ୍ରା ଅପେକ୍ଷା ତୀବ୍ର ଆର୍ଦ୍ରତା ହିଁ ଆତ୍ମହତ୍ୟାର ପ୍ରମୁଖ କାରଣ ।

ଅଧ୍ୟୟନର ସହ ଲେଖକ ଡ. ସୋନଜା ଅୟବ କାର୍ଲସନ କହିଛନ୍ତି, ଆର୍ଦ୍ରତା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିବାର କ୍ଷମତା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଆଉ ପ୍ରଥମରୁ ମାନସିକ ରୋଗରେ ପୀଡିତ ଲୋକଙ୍କ ପାଇଁ ଏହା ହାନୀକାରକ ହୋଇଥାଏ । ପରିଣାମସ୍ୱରୂପ ଆତ୍ମହତ୍ୟା ଘଟଣା ବଢିବାରୋ ଲାଗିଛି ।

ସେ କହିଛନ୍ତି, ଯେଉଁ ବ୍ୟକ୍ତି ପୂର୍ବରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି, ସେମାନେ ଅନ୍ୟ ଲୋକଙ୍କ ତୂଳନାରେ ବଢୁଥିବା ଆର୍ଦ୍ରତାରେ ଅଧିକ ପ୍ରଭାବିତ ହୋଇ ପାରନ୍ତି । କାରଣ ଆଣ୍ଟି ଡିପ୍ରେସନ ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିବାର କ୍ଷମତା ଉପରେ ପ୍ରଭାବ ପକାଇଥାଏ ।
ଅଧ୍ୟୟନ ଅନୁଯାୟୀ, ୪୦ ଦେଶରେ ଆତ୍ମହତ୍ୟା ଏବଂ ଆର୍ଦ୍ରତା ମଧ୍ୟରେ ବଳିଷ୍ଠ ତଥ୍ୟ ରହିଛି । ଏହି ଦେଶ ମଧ୍ୟରେ ଥାଇଲାଣ୍ଡ ଏବଂ ଗୁଏନା ପରି ଗରମ ଦେଶ ସାମିଲ୍ । ହେଲେ ୟୁରୋପୀୟ ଦେଶ ସ୍ୱିଡେନ, ବେଲଜିୟମ ଏବଂ ଲକଜମବର୍ଗ ପରି ଦେଶ ମଧ୍ୟରେ ଅଧିକ ତାପମାତ୍ରା ଏବଂ ଆର୍ଦ୍ରତା ଦେଇ ମଧ୍ୟ ଗତି କରୁଛନ୍ତି ।

ଅଧ୍ୟୟନରେ ଆର୍ଦ୍ରତା କାରଣରୁ ବିଶେଷ କରି ମହିଳା ଓ ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ହାର ଅଧିକ ବଢିଥିବାର ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ ଏବଂ ଅହେତୁକ ତାପମାତ୍ରା ବୃଦ୍ଧି, ଅନିୟମିତ ପାଣିପାଗର ପ୍ରଭାବରେ ମହିଳା ଓ ଶିଶୁମାନେ ଗୁରୁତର ପ୍ରଭାବିତ ହେବା ସହ ଶାରୀରିକ ଯନ୍ତ୍ରଣା ଭୋଗୁଥିବା ଜଣା ପଡିଛି ।

ଅୟବ କାର୍ଲସନ କହିଛନ୍ତି, ପ୍ରଥମ ଥର ଏହି ଧରଣର ଅଧ୍ୟୟନରୁ ଜଣା ପଡିଛି ଯେ, ଜଳବାୟୁ ପରିବର୍ତ୍ତନ ମାସନିକ ସ୍ୱାସ୍ଥ୍ୟ ଉପରେ ଗଭୀର ଭାବେ ପଡୁଛି । ୨୦୩୦ ସୁଦ୍ଧା ଆତ୍ମହତ୍ୟା ହାରକୁ ଏକ ତୃତୀୟାଂଶ କମ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ପ୍ରତିବର୍ଷ ସାତ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବା ଅଧ୍ୟୟନରୁ ଜଣା ପଡିଛି ।

Get real time updates directly on you device, subscribe now.