ନୂଆଦିଲ୍ଲୀ: ଉତ୍ତରଖଣ୍ଡର ଅଲମୋଡାରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୩୬ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ୪୫ ଲୋକେ ଯାତ୍ରା କରୁଥିଲେ। ଦୁର୍ଘଟଣାଟି ଗାଁର କୂପି ପାଖରେ ଘଟିଛି। ବସ ବାଲାନ୍ସ ଫେଲ ପାଇଁ ୧୫୦ ଫୁଟ ଘାଟି ତଳକୁ ଖସିପଡିଛି। ପୋଲିସ ଅଧିକାରୀ ଏହି ମୃତ ବ୍ୟକ୍ତି ସଂଖ୍ୟାକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ମୃତ ବ୍ୟକ୍ତିଙ୍କ ସହ ଆହତଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତାର ଘୋଷଣା କରାଯାଇଛି।
ପୋଲିସ ଆୟୁକ୍ତ ଦୀପକ ରାୱତ କହିଛନ୍ତି ଯେ, ବସ ଗଢବାଲ ମୋଟର ଅନର୍ସ ୟୁନିୟନ ଲିମିଟେଡର ଥିଲା ଏବଂ କିନାଥରୁ ରାମନଗର ଯିବା ପାଇଁ ବାହାରିଥିଲା, ହେଲେ ବସରେ କ୍ଷମତାରୁ ଅଧିକ ଯାତ୍ରୀ ଥିଲେ। ଦୀପାବଳିର ଛୁଟି ପରେ ଲୋକେ ଘରକୁ ଫେରୁଥିଲେ। ଏହି କାରଣରୁ ସେ ଅଧିକ ଯାତ୍ରୀଙ୍କୁ ବସରେ ବସାଇଥିଲା। ଓଭରଲୋଡିଂ କାରଣରୁ ବସ ବାଲାନ୍ସ ଅସନ୍ତୂଳନ ହୋଇଯାଇଥିଲା। ବସ ରାସ୍ତାରୁ ୧୫୦ ଫୁଟ ତଳକୁ ଖସିପଡିଥିଲା। ଏହାପରେ ଏକ ଗଛରେ ଅଟକିଯାଇଥିଲା। ନଚେତ ବସଟି ନଦୀରେ ପଡିଯାଇଥାଆନ୍ତା।