ପୁଣିଥରେ ଭାରତକୁ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁର ଧମକ: ଏଥର ଟାର୍ଗେଟରେ…

ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛି। ପୃଥକ ଖାଲିସ୍ତାନ ଉପରେ ହୋଇଥିବା ଜନମତ ସଂଗ୍ରହରେ ବିଫଳ ହେବା ପରେ ସେ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଟାର୍ଗେଟ କରି ଭାରତର ଅର୍ଥନୈତିକ ବିନାଶ ପାଇଁ ଏକ ଉତ୍ତେଜନାମୂଳକ ଆହ୍ୱାନ ଦେଇଛି । ଏଥିପାଇଁ ସେ ମୁମ୍ବାଇରେ ସିରିଏଲ ବିସ୍ଫୋରଣର ବାର୍ଷିକୀ ଅର୍ଥାତ ମାର୍ଚ୍ଚ ୧୨ କୁ ବାଛିଛି। ଏହି ଦିନ ବିଏସଇ ବିଲ୍ଡିଂ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରାଯିବ ବୋଲି ସେ ଧମକ ଦେଇଛି।

ସୂଚନା ଥାଉକି, ୧୨ ମାର୍ଚ୍ଚ ୧୯୯୩ ରେ ହୋଇଥିବା ସିରିଏଲ ବିସ୍ଫୋରଣରେ ବିଏସଏଫ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ପନ୍ନୁ ଏଥର କହିଛି, ’ମାର୍ଚ୍ଚ ୧୨ରେ ଏନଏସଇ/ବିଏସଇକୁ ଟାର୍ଗେଟ କରିବାକୁ ଏସଜେଏଫ ଧମକ ଦେଇଛି। ଯାହାଦ୍ୱାରା ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ନଷ୍ଟ କରି ହେବ। ତେବେ ପନ୍ନୁର ଧମକ ସମ୍ପର୍କରେ ଭାରତୀୟ ଗୁପ୍ତଚର ଏଜେନ୍ସି କହିଛି, ଜନମତ ସଂଗ୍ରହ କରିବାରେ ବିଫଳ ହେବା ପରେ ସେ ଏହି ନୂତନ ଅଭିଯାନ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ସେ ବିଦେଶୀ ଏଜେନ୍ସି ପାଇଁ କାର୍ୟ୍ୟ କରୁଥିବା ଜଣେ ବିଦେଶୀ ଏଜେଣ୍ଟ ଯିଏ ତାଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ସୁରକ୍ଷା ଦେଉଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି ଏବଂ ବର୍ତ୍ତମାନ ଭାରତର ଆର୍ଥିକ ସ୍ଥିରତାକୁ ଟାର୍ଗେଟ କରିବାକୁ ଚାହୁଁଛନ୍ତି।

କିଏ ଏହି ଗୁରୁପନ୍ତ ସିଂ ପନ୍ନୁ?

ଯୁକ୍ତରାଷ୍ଟ୍ର (ୟୁଏସ) ଏବଂ କାନାଡା ଭଳି ଦୁଇଟି ସ୍ଥାନରେ ଗୁରୁପନ୍ତ ସିଂ ପନ୍ନୁର ନାଗରିକତା ରହିଛି। ଯାହାକୁ ଜଣେ ଖଲିସ୍ଥାନୀ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ବିଭିନ୍ନ ଆତଙ୍କବାଦୀ ଘଟଣାରେ ତାର ସମ୍ପୃକ୍ତି ରହିଛି। କିଛି ଦିନ ତଳେ ଆମେରିକାରେ ଥିବା ଗୁରୁପନ୍ଥକୁ ହତ୍ୟା କରିବା ପାଇଁ ଭାରତ ସରକାରଙ୍କ ଜଣେ ଅଧିକାରୀ ଉଦ୍ୟମ କରିଥିଲେ ବୋଲି ଆମେରିକା କହିଥିଲା । ଏହାକୁ ନେଇ ଭାରତ ସରକାରଙ୍କୁ ଆମେରିକା ପକ୍ଷରୁ ଜବାବ ମଧ୍ୟ ମଗା ଯାଇଥିଲା । ଅପରପକ୍ଷେ ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଉଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଏକ ବିବୃତ୍ତି ମାଧ୍ୟମରେ ସ୍ପଷ୍ଟୋକ୍ତି ଦେବା ସହ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।