fbpx

ରଥଯାତ୍ରାରେ ୧୨ହଜାର ଟଙ୍କାରେ ଚଣା ତରକାରୀ ବିକିଲେ ପଦ୍ମଶ୍ରୀ ହଳଧର ନାଗ

Advertisement

ବରଗଡ଼(ଓଡ଼ିଶା ଭାସ୍କର): ଚଣା ତରକାରୀ ଖାଇବାକୁ ଲୋକମାନେ ଖୁବ ପସନ୍ଦ କରୁଥିବାରୁ ବ୍ୟବସାୟୀମାନେ ଏଥିରେ ଭଲ ଦୁଇ ପଇସା ରୋଜଗାର କରିପାରନ୍ତି। କିନ୍ତୁ ଗୋଟିଏ ଦିନରେ ଚଣା ତରକାରୀ ବିକ୍ରି କରି ୧୨ହଜାର ଟଙ୍କା ରୋଜଗାର କରିବା କଥା ଶୁଣିଲେ ଆପଣମାନେ ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଏଭଳି ବ୍ୟବସାୟ କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ତାଙ୍କ ହାତରନ୍ଧା ଚଣା ତରକାରୀ ଲୋକଙ୍କୁ ଖୁବ ପସନ୍ଦ ଆସିଥିବା ସେ କହିଛନ୍ତି।

ଗତକାଲି ପବିତ୍ର ଘୋଷଯାତ୍ରା ଅବସରରେ ହଳଧର ନିଜର ହାତରନ୍ଧା ଚଣା ତରକାରୀ ବିକ୍ରି କରି ବାର ହଜାର ଟଙ୍କା ରୋଜଗାର କରିଥିଲେ। ସୁଆଦିଆ ଚଣା ତରକାରୀ ଖାଇବା ପାଇଁ କବି କୁଟୀରରେ ପ୍ରବଳ ଭିଡ଼ ଲାଗି ରହିଥିଲା। ଲୋକମାନେ ଚଣା ତରକାରୀ ଖାଇବା ସହ ଘର ପାଇଁ ନେଇଥିବା ଶ୍ରୀ ନାଗ ପ୍ରକାଶ କରିଛନ୍ତି। ୨୨ କିଲୋ ମଟର ଚଣାରେ ଏହି ତରକାରୀ ପ୍ରସ୍ତୁତ ହୋଇଥିଲା। ଦେଶୀ ପ୍ରଣାଳୀର ନିଆରା ଶୈଳୀରେ ଚଣା ତରକାରୀ ପ୍ରସ୍ତୁତ କରନ୍ତି ପଦ୍ମଶ୍ରୀ ହଳଧର। ବଟା ମସଲା ସହ ଖଣ୍ଡ ହଳଦୀକୁ ବାଟି ତରକାରୀ ପ୍ରସ୍ତୁତ କରୁଥିବାରୁ ଏହା ଗ୍ରାହକଙ୍କୁ ଅତ୍ୟନ୍ତ ସୁଆଦିଆ ଲାଗୁଥିବା ଶ୍ରୀ ନାଗ କହିଛନ୍ତି।

ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ତାଙ୍କ ଚଣା ତରକାରୀ ବ୍ୟବସାୟ ବନ୍ଦ ହୋଇ ଯାଇଥିଲା । କିନ୍ତୁ ଚଳିତ ବର୍ଷ ଲୋକମାନେ ତାଙ୍କ ଦେଶୀ ଚଣା ତରକାରୀ ଖାଇବାକୁ ପାଇଛନ୍ତି। ଚଣା ତରକାରୀର ପ୍ରତ୍ୟେକ ଗିନା ପିଛା ୧୦ ଟଙ୍କା ଦେବାକୁ ପଡ଼ିଥାଏ। ଦୁଇ ବର୍ଷ ଧରି ତାଙ୍କ ବ୍ୟବସାୟ ବନ୍ଦ ହୋଇଥିଲେ ମଧ୍ୟ ତାଙ୍କ ତରକାରୀ ସ୍ୱାଦରେ କୌଣସି ପରିବର୍ତ୍ତନ ହୋଇନାହିଁ। ଲୋକମାନେ ବର୍ତ୍ତମାନ ମଧ୍ୟ ତାଙ୍କ ହାତରନ୍ଧା ଚଣା ତରକାରୀକୁ ଖୁବ ପସନ୍ଦ କରୁଛନ୍ତି।

Get real time updates directly on you device, subscribe now.