ଏଥର ବର୍ଷାରେ ଭିଜିବ ଦଶହରା, ଆସୁଛି ଆଉ ଏକ ଲଘୁଚାପ; ଧୋଇ ଦେବ ପୂଜା ବଜାର…
ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଫଳରେ ଚଳିତ ବର୍ଷ ଦଶହରାରେ ହୋଇପାରେ ବର୍ଷା ।
ଭୁବନେଶ୍ବର: ଏଥର ଦଶହରାରେ ହୋଇପାରେ ବର୍ଷା । କାରଣ ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି ।
ଆଉ ଏହା ଘନୀଭୂତ ହେବା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି । ଏହା ଫଳରେ ଦଶହରାରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଏପରି ହେଲେ ଚଳିତ ଦଶହରା ବଜାର ଫିକା ପଡ଼ିପାରେ ।
୨୬ରୁ ୨୮ ଅର୍ଥାତ୍ ଷଷ୍ଠୀ ପୂଜାରୁ ଅଷ୍ଟମୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ଭଲ ବର୍ଷା ହେବ । ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କିଛି ଜିଲ୍ଲାରେ ଭାରି ବର୍ଷାର ମଧ୍ୟ ଆଶଙ୍କା କରାଯାଉଛି ।
ଏଣୁ ନବମୀ ଓ ଦଶମୀରେ ବର୍ଷା ହେବ କି ନାହିଁ ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହେବ। କିନ୍ତୁ ପୂଜା ଆରମ୍ଭରୁ ପ୍ରବଳ ବର୍ଷା ନେଇ ସୂଚନା ରହିଛି ।
୨୭ ଓ ୨୮ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ୨୯ରେ ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ନାଗପୁର ଗତି କରିବ। ୨୯ରେ ବି ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।
୩୦ ତାରିଖ ପରେ ପାଗ ବଦଳିବ। ୨୮ରେ ଷଷ୍ଠୀ ପୂଜା । ତେଣୁ ଷଷ୍ଠୀ ଓ ସପ୍ତମୀ ପୂଜା ସମୟରେ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ବଲାଙ୍ଗିର, ଟିଟିଲାଗଡ଼, ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା, ଭବାନୀପାଟଣା, ତାଳଚେରରେ ବର୍ଷା ହେବ।
ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାରେ ବଜ୍ରପାତ ସହିତ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି।