ମାଂସ ଖାଇବା ଦ୍ୱାରା ଜଳବାୟୁ ଓ ପରିବେଶ ଉପରେ ପଡୁଛି ଗଭୀର ପ୍ରଭାବ, ଜଳବାୟୁ ବିଶେଷଜ୍ଞ ରଖିିଲେ ଚକିତ କରିଦେବା ଭଳି ତଥ୍ୟ

ନୂଆଦିଲ୍ଲୀ: ମାଂସ ଖାଇବା ଦ୍ୱାରା ପରିବେଶ ତଥା ଜଳବାୟୁକୁ ବିଶେଷ କ୍ଷତି ପହଞ୍ଚିଥାଏ କି? ଏହିପରି କିଛି ପ୍ରଶ୍ନକୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି । କାରଣ ଦିନକୁ ଯେପରି ଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି , ତାପମାତ୍ରା ବୃଦ୍ଧି ପାଉଛି, ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଉଛି, ମୌସୁମୀର ପ୍ରଭାବ ବଦଳି ଯାଉଛି, ବାଦଲ ଫଟା ବର୍ଷାରେ ସୁନାମୀ ଆସୁଛି ଏଥିପାଇଁ ସମସ୍ତଙ୍କ ମନରେ ଏବେ ଜଳବାୟୁ ପରିବର୍ତ୍ତନକୁ ନେଇ ନାନା ଆଶଙ୍କା ସୃଷ୍ଟି ହେଲାଣି । ଏହିସବୁ ଜଳବାୟୁ ଜନିତ ପରିବର୍ତ୍ତନ ଲାଗି ଗ୍ରୀନ ହାଉସ୍ ଉତ୍ସର୍ଜନ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି କ୍ରମରେ ଏବେ ବିଶେଷଜ୍ଞମାନେ କହିଛନ୍ତି ମାଂସ ଉତ୍ପାଦନ ଉଦ୍ୟୋଗ ପରିବେଶ ଉପରେ ଗଭୀର ଓ ବିପରୀତ ପ୍ରଭାବ ପକାଇଥାଏ ଓ ଲୋକମାନେ ମାଂସ ଖାଇବା ଛାଡିଦେଲେ ଏହାର ବହୁ ବ୍ୟାପକ ପ୍ରଭାବ ପଡିବ । ଜଳବାୟୁ ପରିବର୍ତ୍ତନ ଓ ମାନବ ସମାଜ ଉପରେ ବି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମାଂସ ଉତ୍ପାଦନର ପ୍ରଭାବ ପଡୁଛି ।

ଦେଖିବାକୁ ଗଲେ ପୁରା ଖାଦ୍ୟ ଉତ୍ପାଦନ ଉଦ୍ୟୋଗ ଗ୍ରୀନ ହାଉସ୍ ଉତ୍ସର୍ଜନ କରିଥାଏ । କିନ୍ତୁ ଏହାର ୫୭ ପ୍ରତିଶତ କେବଳ ମାଂସ ଉଦ୍ୟୋଗରୁ ହୋଇଥାଏ ଓ ମାଂସ ପ୍ରସ୍ତୁତି ପ୍ରକ୍ରିୟା ବିଭିନ୍ନ ଦିଗରୁ ପରିବେଶକୁ କ୍ଷତି ପହଞ୍ଚାଇଥାଏ । ମାଂସ ପାଇଁ ପଶୁପାଳନ କରିବା ନିମନ୍ତେ ବହୁ ଜମି ଓ ବିଶେଷ କରି ଜଙ୍ଗଲରୁ ଗଛଲତା ସବୁକୁ କାଟି ଦିଆଯାଏ । ଆମଜନରେ ୮୦ ପ୍ରତିଶତ ଜଙ୍ଗଲ ଏହି କାରଣରୁ କଟାଯାଇଛି । ଜଙ୍ଗଲ କାଟିବା ଦ୍ୱାରା ପ୍ରତିବର୍ଷ ୩୪ କୋଟି ଟନ୍ କାର୍ବନ ବାୟୁମଣ୍ଡଳରେ ମିଶୁଛି ।

କେବଳ ଏତିକି ନୁହେଁ ଜଙ୍ଗଲ ନଷ୍ଟ କରିଦେବା ଦ୍ୱାରା ବହୁ ଅନ୍ୟ ଜୀବଜନ୍ତୁ ଓ ସେମାନଙ୍କ ପ୍ରଜାତି ମଧ୍ୟ ନଷ୍ଟ ହୋଇଯାଆନ୍ତି । ଆଜି ସାରା ବିଶ୍ୱରେ ଯେଉଁ ଜୈବ ବିବିଧତା ହାନୀ ଘଟୁଛି ତାହା ପଛରେ ମାଂସ ଉଦ୍ୟୋଗ ହିଁ ୬୦ ପ୍ରତିଶତ ଦାୟୀ । ପଶୁପାଳନ କ୍ଷେତ୍ରରେ ସାରା ବିଶ୍ୱରେ ୨୦ ପ୍ରତିଶତ ଶୁଦ୍ଧ ପାଣି ବିନିଯୋଗ ହୋଇଥାଏ । କଂସେଇ ଖାନାରେ ବହୁ ପାଣି ନଷ୍ଟ ହୋଇଥାଏ ଯେତେବେଳେ କି ବୃକ୍ଷଲତା ଆଧାରିତ ଖାଦ୍ୟ ଉତ୍ପାଦନରେ ବହୁ କମ୍ ପାଣି ଲାଗିଥାଏ ।

ମାଂସ ଉଦ୍ୟୋଗ ଓ ଏହା ସହ ଜଡିତ ପଶୁପାଳନ ଉଦ୍ୟୋଗ ଗ୍ରୀନ ହାଉସ୍ ଗ୍ୟାସ ଉତ୍ସର୍ଜନକୁ ବହୁ ମାତ୍ରାରେ ବୃଦ୍ଧି କରିଥାଏ । ଏହି ଉଦ୍ୟୋଗରୁ କାର୍ବନଡାଇଅକ୍ସାଇଡ, ମିଥେନ, ନାଇଟ୍ରସ ଅକ୍ସାଇଡ୍ ଆଦି କ୍ଷତିକାରକ ଗ୍ୟାସ ନିର୍ଗତ ହୋଇ ଜଳବାୟୁରେ ମିଶିଥାଏ । ଏହିସବୁ ଆକଳନରୁ ଏହା ସ୍ପଷ୍ଟ ଯେ, ମାଂସ ଉଦ୍ୟୋଗରେ ଉତ୍ପାଦନ କମିଗଲେ ଏହାର ବହୁତ ଭଲ ପ୍ରଭାବ ଜଳବାୟୁ ଉପରେ ପରିଲକ୍ଷିତ ହେବ । ଏଥିପାଇଁ ଲୋକମାନଙ୍କୁ ମାଂସ ପରିବର୍ତ୍ତେ ବୃକ୍ଷ ଲତା ଆଧାରିତ ଖାଦ୍ୟପେୟ ଉପରେ ନିର୍ଭରଶୀଳତାକୁ ବୃଦ୍ଧି କରିବାକୁ ହେବ । ଏହାଦ୍ୱାରା ପଶୁପାଳନ ସଂଖ୍ୟା ହ୍ରାସ ପାଇବ, ଜୀବ ହତ୍ୟା ହ୍ରାସ ପାଇବ ଓ ଖାଦ୍ୟତନ୍ତ୍ରର ପରିବେଶ ଉପରେ ପ୍ରଭାବ ବି ହ୍ରାସ ପାଇବ । ଏକ ଅଧ୍ୟୟନରୁ ଜଣାପଡିଛି ବିଶ୍ୱ ସ୍ତରରେ ବୃକ୍ଷଲତା ଉପରେ ଆଧାରିତ ଖାଦ୍ୟ ପଦାର୍ଥ ଆପଣାଇବା ଦ୍ୱାରା ଖାଦ୍ୟ ଉତ୍ପାଦନ କାରଣରୁ ହେଉଥିବା ଗ୍ରୀନ ହାଉସ୍ ଉର୍ତ୍ସଜନ ୨୦୫୦ ସୁଦ୍ଧା ୭୦ ପ୍ରତିଶତ ହ୍ରାସ ପାଇବ ।