ପୁଣି ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭାଇ ଘରେ ଇଡି , କାସକରର ଗୋଟିଏ ଫ୍ଲାଟ ଜବତ କରି ରେଡ କରୁଛି ତଦନ୍ତକାରୀ ସଂସ୍ଥା
ନୂଆଦିଲ୍ଲୀ– ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଘରେ ପଶିଲା ଇଡି । ମନି ଲଣ୍ଡ୍ରିଂ ମାମଲାରେ ଏହି ରେଡ କରି କାସକରର ଗୋଟିଏ ଫ୍ଲାଟକୁ ଜବତ କରିଛି । ଏହି ଫ୍ଲାଟଟି ପୁଣେରେ ରହିଛି । ଖାଲି କାସକର ନୁହେଁ ତାର ସହଯୋଗୀ ଘରେ ମଧ୍ୟ ରେଡ କରୁଛି ଇଡି ।
ଦାଉଦ ଭାରତ ବାହାରେ ରହି ଭାରତରେ ଏକ୍ସଟର୍ସନ, ଆକ୍ରମଣ, ଅପହରଣ ପରି ଘଟଣା ଘଟାଉଛି । ଏଥିରେ ତାର ଭାଇ କାସକରର ସମ୍ପୃକ୍ତି ରହିଛି । ଏଥିପାଇଁ ଥାନେ ପୋଲିସ ୨୦୧୭ରେ ଏକ ମାମଲା ରୁଜୁ କରିଥିଲା କାସକର ନାମରେ । ଏଥିସହ ୨୦୨୨ରେ ଇଡି ତରଫରୁ ବିଭିନ୍ନ ସ୍ଥାନରେ ରେଡ କରାଯାଇଥିଲା । କାସକର ବିରୋଧରେ ଅଭିଯୋଗ ରହିଛି କି, ସେ ଓ ତାର ସହଯୋଗୀ ମୁମତାଜ ଶେଖ ଓ ଇସରାର ସଇଦ ମୁମ୍ବାଇ ତଥା ମହାରାଷ୍ଟ୍ରର ବହୁ ବଡ ବଡ ବ୍ୟବସାୟୀଙ୍କ ଠାରୁ ପ୍ଲଟ, ଟଙ୍କା ନେଉଥିଲେ ।
ଇଡି ଜବତ କରିଥିବା ଫ୍ଲାଟଟିକୁ ଜଣେ ବିଲଡରଙ୍କୁ ଧମକଚମକ ଦେଇ ହଡପ କରିଥିଲା । ଏହି ଫ୍ଲାଟର ଦାମ ୭୫ ଲକ୍ଷରୁ ଅଧିକ ହେବ । ଏହି ମାମଲାରେ କାସକରକୁ ଇଡି ୨୦୨୨ରେ ଗିରଫ କରିଥିଲା । ତାକୁ ଜେଲ ମଧ୍ୟ ହୋଇଥିଲା । ସେତେବେଳେ ଇଡି କାସକର ଉପରେ ୧୫ଟି ରେଡ କରିଥିଲା ମୁମ୍ବାଇରେ । ୨୦୨୨ର ପିଏମଏଲଏ ଚାର୍ଜସିଟ ଆଧାରରେ ଏବେ ଇଡି ଏହି ଫ୍ଲାଟକୁ ନିଜ ଅକ୍ତିଆରକୁ ନେଇଛି ।