ନାଗପୁର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପଦ ଛାଡିବା ପରେ ବି ସମସ୍ୟା ବଢ଼ିବାରେ ଲାଗିଛି । ଯେବେଠାରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନିଲ ଦେଶମୁଖଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ, ସେବେଠାରୁ ରାଜନୀତିରେ ଉତ୍ତେଜନା ଆରମ୍ଭ ହୋଇଥିଲା । ପରମବୀର ସିଂଙ୍କ ଠାରୁ ନିର୍ଯ୍ୟାତନାର ଅଭିଯୋଗ ଆସିବା ପରେ ଇଡି ତାଙ୍କ ନାଗପୁର ସ୍ଥିତ ଘରେ ଚଢାଉ କରିଛି । ଇଡି ପକ୍ଷରୁ ଅନିଲ ଦେଶମୁଖଙ୍କ ବିରୋଧରେ ଚଳିତ ବର୍ଷ ମେ’ ମାସରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା ।
ତେବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିବାଦ ଆରମ୍ଭ ହୋଇଥିଲା ଓ ପରେ ପରମବିର ସିଂଙ୍କୁ ପୋଲିସ କମିଶନର ପଦରୁ ହଟାଇ ରାଜ୍ୟ ହୋମ ଗାର୍ଡର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା ।
ଅନ୍ୟପଟେ ଅନିଲଙ୍କ ଘରେ ଚଢ଼ାଉରେ କ’ଣ କ’ଣ ମିଳିଛି, ସେନେଇ ଇଡି କୌଣସି ସୂଚନା ଦେଇନାହିଁ । କୁହାଯାଉଛି ଯେ, ଅନିଲଙ୍କୁ ଏନେଇ ପଚରାଉଚରା କରାଯାଉଛି । ଏହା ପୂର୍ବରୁ ଇଡି ଗୁରୁବାର ଦିନ ଡିସିପି ରାଜୁ ଭୂଜବଲଙ୍କ ବୟାନ ରେକର୍ଡ କରିଥିଲା ।