fbpx

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ି ଉପରକୁ ଅଣ୍ଡା ଓ କାଳିମାଡ଼ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦର ଛକରେ ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଥିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ରା ଏପରି ହଟହଟା ହୋଇଛନ୍ତି । ଉତ୍ତରପ୍ରଦେଶର ଖେରି ହିଂସାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଲଖୀମପୁର ଖେରି ହିଂସାକାଣ୍ଡ ମାମଲାରେ ନିଜର ପୁଅ ଆଶିଷ ମିଶ୍ରା ଅଭିଯୁକ୍ତ ଥିବାରୁ ପୂର୍ବରୁ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରାଯାଉଥିଲା । ବିଭିନ୍ନ ରାଜନୈତିକ ସଂଗଠନ ଓ ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦେଶବ୍ୟାପି ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା । ଆଶିଷ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ନିଜ ପୁଅକୁ ଲୁଚାଇ ରଖିବା ସହ ପୋଲିସ ଏହି ମାମଲାରେ ଚକ୍ରାନ୍ତ କରୁଥିବା ମଧ୍ୟ ଅଭିଯୋଗ କରାଯାଇଥିଲା । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ଓ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଟିମ୍ ପଚରାଉଚରା କରିଥିଲା । ତଦନ୍ତରେ ସହଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା । ସୁପ୍ରିମକୋର୍ଟ ମଧ୍ୟ ୟୁପି ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଭର୍ତ୍ସନା କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ଲଖୀମପୁର ହିସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ପ୍ରାୟ ୮ ଜଣ ଲୋକ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.