ଏହି ରାଜ୍ୟରେ କଞ୍ଚା ଅଣ୍ଡାରୁ ତିଆରି ମେୟୋନିଜ୍‌ ଉପରେ ଲାଗିଲା ବ୍ୟାନ, ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କିପରି କ୍ଷତିକାରକ ?

ନୂଆଦିଲ୍ଲୀ : ତାମିଲନାଡୁ ସରକାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କଞ୍ଚା ଅଣ୍ଡାରୁ ତିଆରି ମେୟୋନିଜ୍‌ର ଉତ୍ପାଦନ, ଭଣ୍ଡାରଣ, ବିତରଣ ଓ ବିକ୍ରୟ ଉପରେ ୮ ଏପ୍ରିଲ ୨୦୨୫ରୁ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷ୍ପତ୍ତି ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍‌ ଆକ୍ଟ, ୨୦୦୬ର ଧାରା ୩୦(୨)(ଏ) ଅନୁଯାୟୀ ନିଆଯାଇଛି। ରାଜ୍ୟର ଫୁଡ୍‌ ସେଫ୍ଟି ଆଣ୍ଡ ଡ୍ରଗ୍‌ ଆଡ଼ମିନିଷ୍ଟ୍ରେସନର କମିଶନର ଆର୍‌. ଲାଲଭେନାଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ କଞ୍ଚା ଅଣ୍ଡାରୁ ତିଆରି ମେୟୋନିଜ୍‌ ଏକ “ହାଇ ରିସ୍କ ଫୁଡ” ଭାବେ ବିବେଚିତ ହେଉଛି, ଯାହା ଫୁଡ୍‌ ପଏଜନିଂର କାରଣ ହୋଇପାରେ।

କାହିଁକି କ୍ଷତିକାରକ ମେୟୋନିଜ୍‌?
ମେୟୋନିଜ୍‌ ଏକ ସେମି-ସଲିଡ୍‌ ଇମଲସନ୍‌ ଯାହା ସାଧାରଣତଃ କଞ୍ଚା ଅଣ୍ଡାର କୁସୁମ, ଭେଜିଟେବଲ୍‌ ଅଏଲ୍‌, ଭିନେଗାର୍‌ ଓ ଅନ୍ୟାନ୍ୟ ସିଜନିଂରୁ ତିଆରି ହୁଏ। ଏହା ସାୱାରମା, ସ୍ୟାଣ୍ଡୱିଚ୍‌, ବର୍ଗର୍‌ ଓ ଅନ୍ୟାନ୍ୟ ଫାଷ୍ଟଫୁଡ୍‌ ସହିତ ପରିବେଷଣ କରାଯାଏ। କିନ୍ତୁ ଅନୁଚିତ ପ୍ରସ୍ତୁତି ଓ ଭଣ୍ଡାରଣ ଯୋଗୁଁ ଏହା ବିଭିନ୍ନ କ୍ଷତିକାରକ ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହୋଇପାରେ, ଯଥା:
ସାଲମୋନେଲା ଟାଇଫିମ୍ୟୁରିୟମ୍‌ ଓ ସାଲମୋନେଲା ଏଣ୍ଟେରିଟିଡିସ୍‌: ଏହି ବ୍ୟାକ୍ଟେରିଆ କଞ୍ଚା ଅଣ୍ଡାରେ ମିଳିଥାଏ ଏବଂ ଏହା ଗମ୍ଭୀର ପେଟ ସଂକ୍ରମଣ, ଜ୍ୱର, ବାନ୍ତି ଓ ଡାଇରିଆର କାରଣ ହୋଇପାରେ।

ଇସେରିଚିଆ କୋଲାଇ (ଇ. କୋଲାଇ): କେତେକ ଷ୍ଟ୍ରେନ୍‌ ହେମୋରେଜିକ୍‌ କୋଲାଇଟିସ୍‌ ଓ ଗୁରୁତର କିଡନୀ ରୋଗର କାରଣ ହୋଇପାରେ।

ଲିଷ୍ଟେରିଆ ମୋନୋସାଇଟୋଜେନ୍ସ: ଗର୍ଭବତୀ ମହିଳା, ବୃଦ୍ଧ ଓ ଦୁର୍ବଳ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ, ଯାହା ଗର୍ଭପାତ କିମ୍ବା ଗୁରୁତର ସଂକ୍ରମଣର କାରଣ ହୋଇପାରେ।

କାହିଁକି ଏହି ପ୍ରତିବନ୍ଧକ?
ତାମିଲନାଡୁରେ ଅନେକ ଖାଦ୍ୟ ବ୍ୟବସାୟୀ କଞ୍ଚା ଅଣ୍ଡାରୁ ମେୟୋନିଜ୍‌ ତିଆରି କରୁଛନ୍ତି, କିନ୍ତୁ ଅନୁଚିତ ଭଣ୍ଡାରଣ, ଯଥା ରେଫ୍ରିଜରେସନ୍‌ର ଅଭାବ ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତି ଯୋଗୁଁ ଏହା ସଂକ୍ରମଣର ରିସ୍କ ବଢ଼ାଇଥାଏ। ରାଜ୍ୟର ଗରମ ଓ ଆର୍ଦ୍ର ପାଗ ଏହି ବ୍ୟାକ୍ଟେରିଆର ବୃଦ୍ଧି ପାଇଁ ଅନୁକୂଲ ପରିବେଶ ସୃଷ୍ଟି କରିଥାଏ। ଏହାଛଡ଼ା, ସାୱାରମା ଓ ଅନ୍ୟ ଷ୍ଟ୍ରିଟ୍‌ ଫୁଡ୍‌ରେ ମେୟୋନିଜ୍‌ର ବ୍ୟାପକ ବ୍ୟବହାର ଯୋଗୁଁ ଏହା ଅଧିକ ବିପଦଜନକ ହୋଇପଡ଼ିଛି।