ଏହି ୮ ମାଓବାଦୀଙ୍କ ଉପରେ ଥିଲା ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି, ଏନକାଉଣ୍ଟରେ ନିହତ କଲେ ସୁରକ୍ଷାକର୍ମୀ
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ନିହତ ହେଲେ ୮ ଜଣ ମାଓବାଦୀ
ନୂଆଦିଲ୍ଲୀ: ଛତିଶଗଡ଼ର ବୀଜାପୁର ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ସମୟରେ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ୮ଜଣଙ୍କ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
ଛତିଶଗଡ଼ର ଟୋଡକା ଗ୍ରାମ ପାଖରେ ଥିବା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଓବାଦୀ ସଂଗଠନର ଆଠଜଣ ସଦସ୍ୟଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି।
ଜଣେ ବରିଷ୍ଠ ପୋଲିସ ଅଧିକାରୀ ରବିବାର ଦିନ କହିଛନ୍ତି ଯେ, ମାଓବାଦୀ କମଲେଶ ନୀଳକଣ୍ଠଙ୍କ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା। ସେହିପରି ଅନ୍ୟ ଦୁଇ ନକ୍ସଲଙ୍କ ମୁଣ୍ଡରେ ୩-୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
ପୋଲିସ ଅଧିକାରୀ ଆହୁରି କହିଛନ୍ତି ଯେ, ଲଚ୍ଛୁ ପୋଟାମ, ଶଙ୍କର ତାତୀ, ରାଜୁ ତାତୀ, ବିଜ୍ଜୁ ପଦମ ଏବଂ ସତ୍ରୁ ତାତୀ ଭାବେ ପରିଚିତ ହୋଇଥିବା ମାଓବାଦୀଙ୍କ ଉପରେ ୧-୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ତେବେ ଘଟଣାସ୍ଥଳରେ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି।