fbpx

ଅକ୍ଟୋବର ୪ରେ ରାଜ୍ୟସଭାର ୭ ଆସନ ପାଇଁ ଉପନିର୍ବାଚନ

ନୂଆଦିଲ୍ଲୀ : ରାଜ୍ୟସଭାରେ ଖାଲି ପଡ଼ିଥିବା ୭ ଆସନ ପାଇଁ ଆସନ୍ତା ମାସ ୪ ତାରିଖରେ ଉପନିର୍ବାଚନ ହେବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାମିଲନାଡୁର ୨, ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ,ପୁଡ଼ୁଚେରୀ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନ ପାଇଁ ଏହି ଉପନିର୍ବାଚନ ହେବ । ସେହିପରି ବିହାର ବିଧାନ ପରିଷଦ ଉପନିର୍ବାଚନ ମଧ୍ୟ ସମାନ ତାରିଖରେ ହେବ । ଏହା ସମ୍ବନ୍ଧରେ ଚଳିତ ମାସ ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଚଳିତ ମାସ ୨୨ ତାରିଖ ରଖାଯାଇଛି । ନାମାଙ୍କନପତ୍ର ଯାଞ୍ଚର ଶେଷ ତାରିଖ ୨୩ ରହିଛି । ୨୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ୪ ଯାଏ ଯାଏ ମତଦାନ ହେବ । ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ।

ଗତ ମଇ ୭ ତାରିଖରେ ଏଆଇଏଡିଏମ୍‌କେ ନେତା କେପି ମୁନୁସାମୀଙ୍କ ଇସ୍ତଫା ପରଠାରୁ ତାମିଲନାଡୁରୁ ରାଜ୍ୟସଭା ସିଟ୍‌ ଖାଲି ପଡ଼ିଥିଲା । ତାଙ୍କ କାର୍ଯ୍ୟକାଳ ୨୦୨୬ ଯାଏ ଥିଲା । ଏହାବ୍ୟତୀତ ତାମିଲନାଡୁରୁ ଆର୍‌ ବେଥଲିଙ୍ଗମଙ୍କ ଇସ୍ତଫା ପରେ ରାଜ୍ୟସଭାର ଗୋଟିଏ ସିଟ୍‌ ଖାଲି ପଡ଼ିଛି । ତାଙ୍କ କାର୍ଯ୍ୟକାଳ ୨୦୨୨ ଯାଏ ଥିଲା । ଗତ ମଇ ୬ ତାରିଖରେ ପଶ୍ଚିମବଙ୍ଗରୁ ମାନସ ରଞ୍ଜନ ଭୁନିଆ ଇସ୍ତଫା ଦେଇଥିଲେ । ମାନସ ଭୁନିଆ ଏବେ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଅଛନ୍ତି । ଏହାବ୍ୟତୀତ ଆସାମର ଭି. ବିଶ୍ୱଜିତ୍‌ ଡାଇମେରୀ ଇସ୍ତଫା ଦେବାରୁ ଗୋଟିଏ ସିଟ୍‌ ଖାଲି ପଡ଼ିଥିଲା । ଅନ୍ୟପକ୍ଷରେ ମହାରାଷ୍ଟ୍ରର କଂଗ୍ରେସ ନେତା ରାଜୀବ ଶଙ୍କରରାଓ ସାତବଙ୍କ ଦେହାନ୍ତ କାରଣରୁ ଏହି ଆସନରେ ଉପନିର୍ବାଚନ ହେବ । ମଧ୍ୟପ୍ରଦେଶର ଥାବରଚନ୍ଦ ଗେହଲଟ୍‌ଙ୍କ ଇସ୍ତଫା ପରେ ଗୋଟିଏ ଆସନରେ ଉପନିର୍ବାଚନ ହେବ । ବିହାର ବିଧାନ ପରିଷଦ ଆସନରେ ଥିବା ତନବୀର ଅଖତରଙ୍କର ଗତ ମଇ ୯ ତାରିଖରେ ଦେହାନ୍ତ ହେବାରୁ ଏହି ସିଟ୍‌ ଖାଲି ପଡ଼ିଛ। ପୁଡ଼ୁଚେରୀରୁ ରାଜ୍ୟସଭା ସଦସ୍ୟ ଥିବା ଏନ ଗୋକୁଳକୃଷ୍ଣଙ୍କ କାର୍ଯ୍ୟକାଳ ଆସନ୍ତା ୬ ତାରିଖରେ ଶେଷ ହେଉଥିବାରୁ ଏଠାରେ ନିର୍ବାଚନ ହେବ। କରୋନା ଗାଇଡଲାଇନ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ।

Get real time updates directly on you device, subscribe now.