fbpx

ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ଭାରତର ନିର୍ବାଚନ ଆୟୋଗରେ ପୂର୍ବରୁ ଏକ ପଦବୀ ଖାଲି ଥିଲା ଏବଂ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଆଉ ଏକ ପଦବୀ ଖାଲି ହୋଇଛି। ବର୍ତ୍ତମାନ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଛାଡିବା ପରେ ବାକି ଦୁଇଟି ପଦବୀ ଖାଲି ପଡିଛି।

ଏନଡିଟିଭିର ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। କିନ୍ତୁ ଶନିବାର ଅର୍ଥାତ ଆଜି ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ତେଣୁ ଶ୍ରୀ ଗୋଏଲଙ୍କ ଇସ୍ତଫା ଦ୍ୱାରା ନିର୍ବାଚନର ସମୟସୀମା ପ୍ରଭାବିତ ହେବ କି ନାହିଁ ତାହା ଦେଖିବାକୁ ବାକି ରହୁଛି।

ସୂଚନା ଥାଉକି, ଦୀର୍ଘ ୩୭ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଗୋଏଲ ନଭେମ୍ବର ୧୯ରେ ଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୫ ବ୍ୟାଚ୍‌ ପଞ୍ଜାବ ଆଇଏଏସ କ୍ୟାଡର ଗୋଏଲ ନଭେମ୍ବର ୧୮ରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ପରଦିନ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା। ଆଉ ଶେଷରେ ଆଜି ୨୦୨୪ ନିର୍ବାଚନ ପୂର୍ବରୁ ସେ ହଠାତ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାର କାରଣ ଏଯାଏ ଜଣାପଡ଼ିନାହିଁ। କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗ୍ରହଣ କରିନେଇଛନ୍ତି।

ତେବେ ଆଗକୁ ସାଧାରଣ ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଅରୁଣ ଗୋଏଲ ମଧ୍ୟ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରୁଥିଲେ। ସୋମବାର ଇସିଙ୍କ ଟିମ ଜମ୍ମୁ-କଶ୍ମୀର ଯାଇ ସ୍ଥିତି ସମୀକ୍ଷା କରିବା ଥିଲା। ଏହାପରେ ନିର୍ବାଚନ ତାରିଖ ଘୋଷଣା ହୋଇଥାଆନ୍ତା। କିନ୍ତୁ ଏହା ପୂର୍ବରୁ ଗୋଏଲଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Get real time updates directly on you device, subscribe now.