fbpx

ଗୋଟିଏ ବର୍ଷରେ ଗୌତମ ଅଡାନୀ ଯେତେ ଆୟ କଲେ, ସେଥିରୁ ଅଧିକ ଗୋଟିଏ ଦିନରେ ହରାଇଲେ ଏଲନ ମସ୍କ

ନୂଆଦିଲ୍ଲୀ: ତୃତୀୟ ବିଶ୍ଵ ଯୁଦ୍ଧର ଆଶଙ୍କା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ସମଗ୍ର ଦୁନିଆର ଘରୋଇ ପୁଞ୍ଜି ବଜାରରେ ଆସିଛି ଭୁକମ୍ପ। ଏହାର ପ୍ରଭାବ ଅରବପତିଙ୍କ ସଂପତ୍ତି ଉପରେ ମଧ୍ୟ ପଡିଛି। ଦୁନିଆର ସବୁଠୁ ବଡ ଧନୀ ବ୍ୟକ୍ତି ଏଲନ ମସ୍କ ବୁଧବାର ଏତେ ସଂପତ୍ତି ହରାଇଛନ୍ତି, ଯେତିକି ସଂପତ୍ତି ଅଡାନୀ ଗୋଟିଏ ବର୍ଷରେ ଆୟ କରିଥିଲେ।

ମସ୍କଙ୍କୁ ଗୋଟିଏ ଦିନରେ ୧୩.୩ ଅରବ ଡଲାର ଅର୍ଥାତ ଏକ ଲକ୍ଷ କୋଟି ଟଙ୍କାର ଝଟକା ଲାଗିଛି। ଅଡାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଡାନୀ ୮୭ ଅରବ ଡଲାରର ସଂପତ୍ତି ସହିତ ୧୧ତମ ସ୍ଥାନରେ ଅଛନ୍ତି। ବୁଧବାର ତାଙ୍କ ସଂପତ୍ତିରେ ୧.୬୮ ଅରବ ଡଲାର ବୃଦ୍ଧି ଘଟିଛି। ଚଳିତ ବର୍ଷ ତାଙ୍କ ସଂପତ୍ତିରେ ୧୦.୫ ଅରବ ଡଲାର ବଢିଛି। ଅର୍ଥାତ ଅଡାନୀ ବର୍ଷକରେ ଯେତିକି ଆୟ କରିଛନ୍ତି, ତାଠୁ ଅଧିକ ସଂପତ୍ତି ଗୋଟିଏ ଦିନରେ ହରାଇଛନ୍ତି ଏଲନ ମସ୍କ।

ବ୍ଲୁମର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ମସ୍କଙ୍କ ସଂପତ୍ତି ୨୦୦ ଅରବ ଡଲାରରୁ ୧୯୯ ଅରବ ଡଲାରରେ ପହଞ୍ଚି ଯାଇଛି। ଚଳିତ ବର୍ଷ ନେଟଓ୍ଵର୍ଥରେ ୭୧.୧ ଅରବ ଡଲାର ହ୍ରାସ ଘଟିଛି। ଗତ ବର୍ଷ ନଭେମ୍ବରରେ ମସ୍କଙ୍କ ନିକଟରେ ୩୪୦.୪ ଅରବ ଡଲାରର ସଂପତ୍ତି ଥିଲା। ତେବେ ଏହା ପରଠୁ ତାଙ୍କ ସଂପତ୍ତିରେ ୧୪୦ ଅରବ ଡଲାରରୁ ଅଧିକ ହ୍ରାସ ଘଟିଛି।

ଆମାଜନର ସଂସ୍ଥାପକ ଜେଫ ବେଜୋସ ୧୬୯ ଅରବ ଡଲାର ସହ ଦୁନିଆର ଧନୀ ବ୍ୟକ୍ତି ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ବୁଧବାର ତାଙ୍କ ସଂପତ୍ତିରେ ୫.୪୧ ଡଲାର ହ୍ରାସ ଘଟିଥିଲା। ଚଳିତ ବର୍ଷ ବେଜୋସଙ୍କ ସଂପତ୍ତିରେ ୨୨.୯ ଅରବ ଡଲାର ହ୍ରାସ ଘଟିଛି। ଗୁରୁବାର ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ ମୁକେଶ ଅମ୍ବାନୀଙ୍କ ସଂପତ୍ତି ୨.୯ ଅରବ ଡଲାର ତଳକୁ ଖସିଛି। ଅଡାନୀଙ୍କ ସଂପତ୍ତିରେ ମଧ୍ୟ ୧.୩ ଅରବ ଡଲାର ହ୍ରାସ ଘଟିଛି।

Get real time updates directly on you device, subscribe now.