fbpx

ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ ୮ ତାରିଖ ଦିନ ତାଙ୍କର ପତ୍ନୀଙ୍କର ହୃଦଘାତରେ ପରଲୋକ ଘଟିଥିଲା । ଘନଶ୍ୟାମ ରାଜ୍ୟର ଜଣେ ବିଶିଷ୍ଟ ଶ୍ରମିକ ନେତା ହୋଇଥିବାରୁ ତାଙ୍କର ମୃତ୍ୟୁରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।

ପତ୍ନୀଙ୍କର ବିୟୋଗ ପରେ ଘନଶ୍ୟାମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତେଣୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଜଣେ ଜାତୀୟସ୍ତରର ଶ୍ରମିକ ନେତା ଭାବେ ଘନଶ୍ୟାମ ସୁଖ୍ୟାତି ଅର୍ଜନ କରିଥିଲେ । ସେ ସର୍ବଦା ଶ୍ରମିକଙ୍କ ଉନ୍ନତି କାମନା କରିବା ସହିତ ସେମାନଙ୍କ ଭବିଷ୍ୟତ ପାଇଁ ଲଢ଼େଇ କରି ଆସୁଥିଲେ । ସେ ବହୁ ଜାତୀୟ ସ୍ତରର ସଂଘରେ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ସାଙ୍ଗଠନିକ ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିଥିଲେ ଘନଶ୍ୟାମ । ଯୁବ ବୟସରେ ସେ ଭାରତୀୟ ଖାଦ୍ୟ ନିଗମର ଶ୍ରମିକଙ୍କ ନେତୃତ୍ୱ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ବିୟୋଗ ସମଗ୍ର ଶ୍ରମିକ ସମାଜ ପାଇଁ ଏକ ଅପୂରଣ କ୍ଷତି । ତାଙ୍କର ବିୟୋଗରେ ଓଡ଼ିଶା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.