fbpx

ମାତ୍ର ୧୮ ବର୍ଷରେ ନିର୍ବନ୍ଧ ଏବଂ ୨୧ରେ ବିବାହ, ଜାଣନ୍ତୁ ହିଣ୍ଡେନବର୍ଗ ମାମଲାରେ ଛନ୍ଦି ହୋଇଥିବା SEBIର ଅଧ୍ୟକ୍ଷ ମାଧବୀ ବୁଚ୍ କିଏ ?

ନୂଆଦିଲ୍ଲୀ: ଆମେରିକୀୟ ଶର୍ଟ ସେଲର (short seller) ହିଣ୍ଡେନବର୍ଗ ରିସର୍ଚ୍ଚ (Hindenburg Research) ଶେୟାର ବଜାର ନିୟାମକ SEBIକୁ ଟାର୍ଗେଟ କରିଛି । ଶନିବାର ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌(Madhabi Puri Buch)ଙ୍କ ଉପରେ ବଡ଼ ଅଭିଯୋଗ କରାଯାଇଛି । ହିଣ୍ଡେନବର୍ଗଙ୍କ କହିବାନୁଯାୟୀ ଆଦାନୀ ଟଙ୍କା ସାଇଫନିଂ ଦୁର୍ନୀତିରେ ବ୍ୟବହୃତ ଅଫ୍‌ଶୋର୍ ସଂସ୍ଥାରେ ମାଧବୀ ଏବଂ ତାଙ୍କ ସ୍ୱାମୀଙ୍କ ଶେୟାର ରହିଛି । ଏହି ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମାଧବୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

କହିରଖୁଛୁ ୧ ମାର୍ଚ୍ଚ, ୨୦୨୨ରୁ ମାଧବୀ ପୁରୀ ବୁଚ୍ SEBIର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସେ ହେଉଛନ୍ତି ସେବିର ପ୍ରଥମ ମହିଳା ଅଧ୍ୟକ୍ଷ । ଏହା ପୂର୍ବରୁ ଏପ୍ରିଲ ୨୦୧୭ରେ ସେ SEBIର ପୂର୍ଣ୍ଣକାଳୀନ ନିର୍ଦ୍ଦେକ ଭାବେ ଦାୟିତ୍ୱ ତୁଲାଉଥିଲେ ।

ମାଧବୀ ପୁରୀ ବୁଚ୍ କିଏ ?

୧୯୬୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ମାଧବୀ ବୁଚ୍ । ତାଙ୍କ ପିତା କର୍ପୋରେଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ମାତା ରାଜନୀତି ବିଜ୍ଞାନରେ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ । ଦିଲ୍ଲୀ ଏବଂ ମୁମ୍ବାଇର ମାଧବୀ ତାଙ୍କ ସ୍କୁଲ ପାଠପଢ଼ା ଶେଷ କରିଥିଲେ । ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ କଲେଜରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ IIM ଅହମଦାବାଦରୁ ଏମବିଏ କରିଥିଲେ । ନ୍ୟାସନାଲ କମ୍ପାନୀରେ କାର୍ଯ୍ୟରତ ଧବଲ ବୁଚଙ୍କ ସହ ମାତ୍ର ୧୮ ବର୍ଷ ବୟସରେ ମାଧବୀଙ୍କ ନିର୍ବନ୍ଧ ହୋଇଥିଲା । ଏହା ପରେ ୨୧ ବର୍ଷରେ ମାଧବୀ ଏବଂ ଧବଲଙ୍କ ବିବାହ ହୋଇଥିଲା । ସେ କେବେ ବିବାହକୁ କ୍ୟାରିୟର ପାଇଁ ବୋଝ ଭାବି ନାହାଁନ୍ତି । ସେ ସ୍ୱାମୀଙ୍କୁ ତାଙ୍କ ମିତ୍ର, ଦାର୍ଶନିକ ଏବଂ ମାର୍ଗଦର୍ଶକ ଭାବନ୍ତି । ପରିବାର ତାଙ୍କ ପାଇଁ ସବୁଠାରୁ ବଡ଼ ଶକ୍ତି ବୋଲି ସେ କହିଛନ୍ତି ।

କେମିତି ଥିଲା ମାଧବୀଙ୍କ କ୍ୟାରିୟର ଯାତ୍ରା ?

ଏମବିଏ କରିବା ପରେ ମାଧବୀ କିଛି ସମୟ ପାଇଁ ଏକ NGO ସହ ଜଡ଼ିତ ଥିଲେ । ୧୯୮୯ରେ ସେ ICICI ବ୍ୟାଙ୍କରେ ଫାଇନାନ୍ସ ଆନାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ । ୧୯୮୯ରୁ ୧୯୯୨ ପର୍ଯ୍ୟନ୍ତ ସେ ICICI ବ୍ୟାଙ୍କ ସହ ଜଡ଼ିତ ଥିଲେ । ପରେ ୧୯୯୩ରୁ ୧୯୯୫ ପର୍ଯ୍ୟନ୍ତ ସେ ୟୁକେର ୱେଷ୍ଟ ଚେଶାୟର କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୧ରେ ସେ ଗ୍ରେଟର ପାସିଫିକ କ୍ୟାପିଟାଲ ଏବଂ ପରେ ୨୦୧୭ ପର୍ଯ୍ୟନ୍ତ ସିଙ୍ଗାପୁର ସ୍ଥିତ ଇନୋଭେନ୍ କ୍ୟାପିଟାଲ, ମ୍ୟାକ୍ସ ହେଲ୍‌ଥ କେୟାର ଭଳି ବଡ଼ ବଡ଼ କମ୍ପାନୀରେ ନିଦେଶକ ଭାବରେ କାର୍ଯ୍ୟରତ ଥିଲେ । ୨୦୧୭ରେ ସେ ସେବିର ପୂର୍ଣ୍ଣକାଳୀନ ନିଦେଶକ ଭାବେ ନିଯୁକ୍ତ ହେଲେ । ପରେ ୨୦୨୨ରେ ସେ ସେବିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

Get real time updates directly on you device, subscribe now.