ନୂଆଦିଲ୍ଲୀ: ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିନ୍ଦ୍ରଚନ୍ଦ୍ରନ ଅଶ୍ୱିନ୍ । ସେ ଆଇପିଏଲରେ ଦୀର୍ଘ ସମୟ ଧରି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ । ଅଶ୍ୱିନ୍ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍(TNCA) ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି । ଏହି ରାଜ୍ୟର ଅଧିକାଂଶ କ୍ରିକେଟ୍ ଏହି ମଇଦାନରେ ଅନୁଷ୍ଠିତ ହୋଇଥାଏ । ଏପରିକି ତାମିଲନାଡ଼ୁ କ୍ରିକେଟ୍ ଆସୋସିଏସନର ଟି୨୦ ଲିଗ୍ ବି ଏହି ଷ୍ଟାଡ଼ିୟମରେ ଖେଳାଯାଇଥାଏ । ଜାତୀୟ କ୍ରିକେଟରୁ ଫ୍ରି ହୋଇ ଅଶ୍ୱିନ୍ ନିଜ ରାଜ୍ୟ ପାଇଁ ବିଭିନ୍ନ ପ୍ରକାର କ୍ରିକେଟ ଖେଳୁଥିବାର ନଜର ଆସିଥାନ୍ତି । ନିକଟରେ ତାମିଲନାଡ଼ୁ କ୍ରିକେଟ୍ ଆସୋସିଏସନ୍ ଅଶ୍ୱିନଙ୍କୁ ୫୦୦ଟି ଟେଷ୍ଟ ୱିକେଟ ଏବଂ ୧୦୦ଟି ଟେଷ୍ଟ ସମ୍ପୂର୍ଣ୍ଣ କରିଥିବାରୁ ସମ୍ମାନିତ କରିଥିଲା ।
ନିକଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ୪-୧ରେ ବିଜୟ ହାସଲ କରିଥିଲା । ତେବେ ଏହି ସିରିଜର ୩ୟ ଟେଷ୍ଟ ମ୍ୟାଚରେ ରବିନ୍ଦ୍ରଚନ୍ଦ୍ରନ ଅଶ୍ୱିନ୍ କ୍ୟାରିୟରର ୫୦୦ଟି ଟେଷ୍ଟ ୱିକେଟ୍ ଏବଂ ୧୦୦ଟି ଟେଷ୍ଟ ପୁରା କରିଥିଲେ । ଏହି ଖୁସିରେ ତାମିଲନାଡ଼ୁ କ୍ରିକେଟ୍ ଆସୋସିଏସନ୍ ଅଶ୍ୱିନଙ୍କୁ ସମ୍ମାନିତ କରିଥିଲା । ଏହି ଅବସରରେ ଅଶ୍ୱିନ କହିଥିଲେ, ‘ଏହି ସ୍ଥାନ ମୋତେ ବହୁତ କିଛି ଦେଇଛି । ମୁଁ ବାରମ୍ବାର ଏଠାକୁ ଆସିବାକୁ ଚାହେଁ । ଅନେକ ଲୋକ ମୋତେ ପଚାରିଥାନ୍ତି ଯେ ଆପଣ କାହିଁକି ଫେରିଯିବାକୁ ଚାହାଁନ୍ତି । ଏହାର ଉତ୍ତରରେ ମୁଁ କୁହେ- କାଲି ମୁଁ ଜୀବିତ ନ ରହିଲେ ମଧ୍ୟ ମୋ ଆତ୍ମା ଏହି ସ୍ଥାନରେ ବୁଲୁଥିବ । ମୋ ପାଇଁ ଏହି ସ୍ଥାନର ଏହା ହିଁ ମହତ୍ୱ ।’ ଏହା ସହ ଚେନ୍ନାଇର ଚେପାକ୍ ଷ୍ଟାଡ଼ିୟମ(Chepauk Stadium) ବିଷୟରେ ସେ କହିଥିଲେ, ‘ସାଧାରଣତଃ ଏଠାକୁ ଆସି ମୋତେ କିପରି ଅନୁଭବ ହୁଏ ତାହା ଶବ୍ଦ ମାଧ୍ୟମରେ ବ୍ୟାଖ୍ୟା କରିପାରିବି ନାହିଁ । ଏଠାକୁ ଆସି ବିନମ୍ର ଏବଂ କୃତଜ୍ଞ ଅନୁଭବ କରେ ।’ ଏହା ସହ ଭାରତୀୟ କ୍ରିକେଟ ଦଳରୁ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧେନୀଙ୍କୁ ମଧ୍ୟ ପ୍ରଶଂସା କରି କହିଥିଲେ, ‘ଧୋନୀ ମୋତେ କ୍ରିସ୍ ଗେଲଙ୍କ ସହ ନୂତନ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଚିର ଋଣି ।’ ଏହା ସହ ଅନିଲ କୁମ୍ବଲେ ଏବଂ ରାହୁଲ ଦ୍ରାବିଡ଼ଙ୍କ ବିଷୟରେ ସେ କହିଛନ୍ତି ଯେ ସେମାନଙ୍କ ଠାରୁ ଯୁକ୍ତିତର୍କରେ ଜିତିବା ବହୁତ କଷ୍ଟକର । ଏହା ସତ୍ୟ ଅଟେ କାରଣ ବାଦବିବାଦ ଶେଷରେ ଶିକ୍ଷା ହିଁ ଦେଇଥାଏ ।