fbpx

ମୁଣ୍ଡରେ ଗୁଳି ବାଜିବା ପରେ ବି ମଣିଷ ଜୀବିତ ରହିଲା: ମାତ୍ର ଦୁନିଆଟା ଓଲଟା ଦେଖାଗଲା, ଆକାଶ ତଳେ, ପୃଥିବୀ ଉପରେ

ନୂଆଦିଲ୍ଲୀ: ଯଦି ଜଣଙ୍କର ମୁଣ୍ଡରେ କୌଣସି କାରଣରୁ ଗୁଳି ବାଜେ ବା କେହି ଜାଣିଶୁଣି ଫାୟାରିଂ କରେ ତେବେ କ’ଣ ହେବ? ଏ କ୍ଷେତ୍ରରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତିଙ୍କର ନିଶ୍ଚିତ ଭାବେ ମୃତ୍ୟୁ ଘଟିବ । ତେବେ ଜଣେ ବ୍ୟକ୍ତିଙ୍କର ମୁଣ୍ଡରେ ଗୁଳିମାଡ଼ ହେବା ପରେ ସେ ଜୀବିତ ରହିଥିଲେ । ମାତ୍ର ଏହାପରେ ଏକ ବଡ଼ ଘଟଣା ଘଟିଥିଲା । ତାଙ୍କର ହୋସ୍ ଆସିବା ବେଳକୁ ସାରା ଦୁନିଆଟା ତାଙ୍କୁ ବଡ଼ ବିଚିତ୍ର ମନେ ହୋଇଥିଲା । ତାଙ୍କୁ ସବୁକିଛି ଖାଲି ଓଲଟା ଦେଖାଯାଇଥିଲା । ଏହି କେସକୁ ଗବେଷଣା କରିବା ସମୟରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଗତ ୧୯୩୮ ମସିହାରେ ସ୍ପେନ ଗୃହ ଯୁଦ୍ଧ ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ସେହି ଯୁଦ୍ଧ ସମୟରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଉକ୍ତ ବ୍ୟକ୍ତିଙ୍କ ନାମ ‘ପେସେଣ୍ଟ ଏମ’ ରଖାଯାଇଥିଲା । ‘ପେସେଣ୍ଟ ଏମ’ଙ୍କୁ ସବୁକିଛି ଓଲଟା ଦେଖାଯାଉଥିଲା । ଏଥିସହିତ ତାଙ୍କର ଶୁଣିବା ଓ ଚର୍ମର ଅନୁଭବ କରିବାର କ୍ଷମତା ବହୁଗୁଣରେ ବୃଦ୍ଧି ପାଇଥିଲା । ଫଳରେ ସମୟକ୍ରମେ ଯେ କୌଣସି ସ୍ଥାନରେ ଲେଖାଯାଇଥିବା ଶବ୍ଦକୁ ସେ ଓଲଟା ଦିଗରେ ପଢ଼ିବାରେ ମାହିର ହୋଇଯାଇଥିଲେ । ସିଧା ଓ ଓଲଟା ମଧ୍ୟରେ ଥିବା ଫରକ ସେ ଦେଖୁନଥିଲେ ।

‘ପେସେଣ୍ଟ ଏମ’ ଦୁନିଆକୁ ଉପର-ତଳ ଭାବେ ଦେଖୁଥିଲେ । ଅର୍ଥାତ ଆକାଶ ତଳେ ଓ ଧରିତ୍ରୀ ଉପରେ ରହିଥିବା ସେ ଦେଖିଥିଲେ । ଅନେକ ଥର ସେ ପଛୁଆ ମଧ୍ୟ ଚାଲିଥିଲେ । ତେବେ ଘର ନିର୍ମାଣ କରୁଥିବା ଲୋକମାନେ ଓଲଟା କାହିଁକି ବୋଲି ଭାବି ସେ ଚିନ୍ତିତ ରହୁଥିଲେ । ଆକାଶରେ ଝୁଲନ୍ତା ଅବସ୍ଥାରେ ଥିବା ବିଲଡିଂରେ ଜଣେ କିପରି କାମ କରିପାରିବ ବୋଲି ସେ ପ୍ରଶ୍ନ କରୁଥିଲେ । ତେବେ ଏହି ମାମଲାକୁ ନେଇ ପରବର୍ତ୍ତୀ ୫୦ ବର୍ଷ ଧରି ଗବେଷଣା ଜାରି ରହିଥିଲା । ମଣିଷର ବ୍ରେନର ଅଲଗା ଅଲଗା ବିଭାଗର ଏକ ଗ୍ରୁପ ନାହିଁ ବୋଲି ୧୯୪୦ରେ ରିସର୍ଚ୍ଚରୁ ଜଣାପଡ଼ିଥିଲା । ଆମ ବ୍ରେନରେ ଯେତେ ଗଭୀର ଭାବେ ଆଘାତ ଲାଗିଥାଏ ତାହାର ପ୍ରଭାବ ଶରୀରର ସମସ୍ତ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ବ୍ରେନର କିଛି ଅଂଶରେ ଆଘାତ ଲାଗିବା ଫଳରେ ଅନେକ ସେନ୍ସ କାମ କରିବା ବନ୍ଦ କରିଦେଇଥାଏ । ଆମର ବ୍ରେନ କିପରି କାର୍ଯ୍ୟ କରେ ‘ପେସେଣ୍ଟ ଏମ’ ଉପରେ କରାଯାଇଥିବା ଅଧ୍ୟୟନ ପରେ ତାହା ସାରା ବିଶ୍ୱବାସୀଙ୍କୁ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.