ବିଜେପିରେ ସାମିଲ ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡ଼ିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ନ ପୂରୁଣୁ ଅଶୋକ ପଦ୍ମ ଧରିଛନ୍ତି । ଆଜି ଅଶୋକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି । ବିଜେପିରେ ସାମିଲ ହେବା ନେଇ ନିଜେ ଅଶୋକ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ । ତେବେ ୬୫ ବର୍ଷୀୟ ଅଶୋକ ଆସନ୍ତା ୧୪ ତାରିଖରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ ଯେ, ଗତକାଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ କଂଗ୍ରେସରୁ ଇସ୍ତଫା ଦେଇଥିଲେ । କିଛିଦିନ ପୂର୍ବରୁ ମିଲିନ୍ଦ ଦେୱରା ଓ ବାବା ସିଦ୍ଦିକୀ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏବେ ଅଶୋକ ହାତ ଛାଡ଼ିବା ପରେ ଦଳକୁ ଲାଗିଛି ଏକ ବଡ଼ ଝଟକା । ତେବେ ଅଶୋକଙ୍କ ସହ ଥିବା ୨-୪ ଜଣ ବିଧାୟକ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି କୁହାଯାଉଛି । କଂଗ୍ରେସ ଛାଡ଼ିବା ପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଶେଷରେ ତାହା ସତ ପ୍ରମାଣିତ ହୋଇଛି । ଆଗକୁ ବିଜେପି ଅଶୋକଙ୍କୁ ଏକ ବଡ଼ ଦାୟିତ୍ୱ ଦେବାର ସମ୍ଭାବନା ରହିଛି ।