fbpx

ଦୁଃଖ ଖବର: ଓଡ଼ିଶା ବିଧାନସଭାର ପୂର୍ବତନ ବିଧାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜନୈତିକ ଦଳମାନେ ଆଗାମୀ ନିର୍ବାଚନରେ କ୍ଷମତା ଦଖଲ ଲକ୍ଷ୍ୟରେ ନିଜ ନିଜ ସଂଗଠନକୁ ଅଧିକ ମଜବୁତ ପାଇଁ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ବିଜେଡି ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ନେଇ ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଏଥର ସରକାର ବଦଳାଇବା ଲକ୍ଷ୍ୟରେ ରହିଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟକଙ୍କ ପରଲୋକ ଘଟିଛି । ବିଶିଷ୍ଟ କଂଗ୍ରେସ ନେତା ତଥା ଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନ ଆଉ ନାହାନ୍ତି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ବିଧାୟକ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ପ୍ରଧାନଙ୍କ ମୃତ୍ୟୁରେ ରାଜ୍ୟ ରାଜନୀତି ସହ ଜଡ଼ିତ ଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

ସନ୍ତୋଷ ଜଣେ ସରପଞ୍ଚରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି ବିଧାୟକ ହୋଇ ପାରିଥିଲେ । ସେ ୧୯୬୭ରୁ ୧୯୭୫ ମସିହା ପର୍ଯ୍ୟନ୍ତ ତୁବେ ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ସଫଳତାର ସହିତ ଦାୟିତ୍ୱ ତୁଲାଇଥିଲେ । ପରେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ସେ ବଅଁରପାଳ ବ୍ଲକର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ । ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ଅନୁଗୁଳର ବିଧାୟକ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ଜଣେ ପ୍ରତିଭାବାନ କ୍ରୀଡ଼ାବିତ ଭାବେ ଫୁଟବଲ ଓ ହକିରେ ମଧ୍ୟ ରୁଚି ରଖୁଥିଲେ । ୧୯୯୫ରେ ସେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଦାୟିତ୍ୱରେ ମଧ୍ୟ ରହିଥିଲେ ।

Get real time updates directly on you device, subscribe now.