fbpx

ପାକିସ୍ତାନ ନିର୍ବାଚନ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଜୟୀ

ନୂଆଦିଲ୍ଲୀ: ଗତ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନର ଭୋଟ ଗ୍ରହଣ କରାଯାଇଥିବା ବେଳେ ଆଜି ଗଣତି ପ୍ରକ୍ରିୟା ଚାଲିଛି । ତେବେ ଏହା ମଧ୍ୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଉତ୍ତର-ପୂର୍ବ-୧୨୩ ଲାହୋର ଆସନରୁ ବିଜୟୀ ହୋଇଛନ୍ତି । ଜାତୀୟ ଆସେମ୍ବଲିର ମୋଟ ଆସନ ସଂଖ୍ୟା ୩୩୬ ହୋଇଥିବା ବେଳେ ସେଥିମଧ୍ୟରେ ମହିଳା ଓ ଅଣମୁସଲିମ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସିଟ୍ ସଂରକ୍ଷିତ ରହିଛି ।

ଆଜି ଭୋଟ ଗଣତିରେ ବିଳମ୍ବ ପରିଲକ୍ଷିତ ହୋଇଥିଲା । ଇଣ୍ଟରନେଟ ସେବା ପ୍ରଦାନରେ ବ୍ୟାଘାତ ସୃଷ୍ଟି ହେବାରୁ ଏଭଳି ସ୍ଥିତି ଦେଖାଦେଇଥିଲା । ତେବେ ପାକିସ୍ତାନ ମୁସଲିମ ଲିଗ (କ୍ୟୁ)ର ଚୌଧରୀ ଶଫାୟ ହୁସେନ ଗୁଜରାଟର ପିପି-୩୩ ଆସନରୁ ବିଜୟୀ ହୋଇଥିବା ଜଣାପଡ଼ିଛି । ସେହିପରି ପିଏସ-୨୦ ଘୋଟକୀ ଆସନରୁ ସର୍ଦାର ମୁହମ୍ମଦ ବଖଶ ଖାନ ମହାର ଜିତିଥିବା ଜଣାପଡ଼ିଛି । ପାକିସ୍ତାନ ତେହରିଖ-ଇ-ଇନସାଫ (ପିଟିଆଇ), ପାକିସ୍ତାନ ମୁସଲିମ ଲିଗ (ଏନ) ପିଏମଏଲ-ଏନ ମଧ୍ୟରେ କଡ଼ା ଟକ୍କର ଚାଲିଛି ।

ତେବେ ପ୍ରାଥମିକ ଭୋଟ ଗଣନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ଆଗରେ ରହିଥିବା ବେଳେ ଏବେ ସେହିସବୁ ଆସନରେ ନବାଜ ଶରିଫଙ୍କ ପାର୍ଟି ଆଗରେ ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଇମ୍ରାନଙ୍କ ପିଟିଆଇ ୧୦ଟି ଆସନରେ ବିଜୟ ଲାଭ କରିଥିବା ବେଳେ ନବାଜ ଶରିଫଙ୍କ ପିଏମଏଲ-ଏନ ପାର୍ଟି ୮ଟି ଆସନରେ ଜିତିଛି । ସେହିପରି ବିଲୱାଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫ଟି ଆସନରେ ବିଜୟ ହାସଲ କରିଛି । ପୂର୍ବ ବର୍ଷମାନଙ୍କରେ ଭୋଟ ଗ୍ରହଣ ଦିନ ବିଳମ୍ବିତ ରାତି ସୁଦ୍ଧା ଫଳାଫଳ ଘୋଷଣା କରାଯାଉଥିବା ବେଳେ ଏଥର ଭୋଟ ପରଦିନ ଗଣନା କରାଯାଉଛି । ସେଥିପାଇଁ ଏବେ ପାକିସ୍ତାନରେ ମତଗଣନାକୁ ପ୍ରଶ୍ନବାଚୀ ଉଠିଛି । ମୋଟ ୩୩୬ଟି ଆସନରେ ଭୋଟ ହୋଇଥିଲେ ହେଁ ସେଥିମଧ୍ୟରୁ ମାତ୍ର ୨୬୬ଟି ଆସନରେ ନିର୍ବାଚନ ଜରିଆରେ ବିଜୟୀଙ୍କୁ ଘୋଷିତ କରାଯିବ । ମୋଟ ୭୦ଟି ଆସନ ସଂରକ୍ଷିତ ରହିଥିବା ବେଳେ ମହିଳାଙ୍କ ପାଇଁ ୬୦ଟି ଓ ଅଣମୁସଲିମଙ୍କ ପାଇଁ ୧୦ଟି ସଂରକ୍ଷିତ ରହିଛି । ୨୦୧୮ରେ ପିଟିଆଇ ୧୪୯ଟି ଆସନରେ ଜିତିଥିବା ବେଳେ ପିଏମଏଲଏନ ୮୨ଟି ଓ ପିପିପି ୫୪ଟିରେ ଜିତିଥିଲା ।

Get real time updates directly on you device, subscribe now.