fbpx

କିଏ କାହାକୁ କହିବ?; ୟୁଟ୍ୟୁବ୍‌ରେ ଘୂରିବୁଲୁଛି ୧ମ ରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରଶ୍ନ-ଉତ୍ତର

ଭୁବନେଶ୍ୱର: ୟୁଟ୍ୟୁବ୍‌ରେ ଘୂରିବୁଲୁଛି ପିଲାଙ୍କ ପରୀକ୍ଷା ପ୍ରଶ୍ନ । ନିଜ ଚ୍ୟାନେଲରେ ପ୍ରଶ୍ନପତ୍ର ଅପଲୋଡ୍ କରୁଛନ୍ତି ୟୁଟ୍ୟୁବର । ପ୍ରଶ୍ନ ସହ ଉତ୍ତର ଅଭ୍ୟାସ କରାଇ ଛାଡୁଛନ୍ତି ଭିଡିଓ । ପ୍ରଶ୍ନ ଉଠୁଛି, ଏମାନେ କେଉଁଠୁ ପାଉଛନ୍ତି ପ୍ରଶ୍ନପତ୍ର? ରାଜ୍ୟରେ ଏବେ ଚାଲିଛି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା । ହେଲେ ପରୀକ୍ଷାର ଦିନକ ପୂର୍ବରୁ ୟୁଟ୍ୟୁବ୍‌ରେ ଘୂରିବୁଲୁଛି ପ୍ରଶ୍ନପତ୍ର । ଅର୍ଥାତ୍ ପ୍ରଶ୍ନପତ୍ରର ଭିଡିଓ କରି ନିଜ ଚ୍ୟାନେଲରେ ଅପଲୋଡ୍ କରିଦେଉଛନ୍ତି କିଛି ୟୁଟ୍ୟୁବର । ଖାଲି ପ୍ରଶ୍ନପତ୍ର ଅପଲୋଡ୍ କରୁନାହାଁନ୍ତି, ବରଂ ଏହାର ସଠିକ୍ ଉତ୍ତର ମଧ୍ୟ ଅଭ୍ୟାସ କରାଇ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏବଂ ଏହି ଭିଡିଓକୁ ନିଜ ଚ୍ୟାନେଲରେ ଅପଲୋଡ୍ କରିଦେଉଛନ୍ତି । ଜଣେ ଶିକ୍ଷକ ଯେମିତି ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନୋତ୍ତର ଅଭ୍ୟାସ କରାନ୍ତି ଠିକ୍ ସେହିଭଳି ଢଙ୍ଗରେ ଭିଡିଓ ପ୍ରସ୍ତୁତ କରୁଛନ୍ତି ଏହି ୟୁଟ୍ୟୁବର ମାନେ ।

ଆଉ ଆକର୍ଷଣୀୟ ଥମ୍ବନେଲ ଦେଇ ଏହି ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରୁଛନ୍ତି । ଦିନକ ପୂର୍ବରୁ ଭିଡିଓକୁ ଅପଲୋଡ୍ କରାଯାଉଥିବାରୁ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କ ପାଖରେ ପ୍ରଶ୍ନ ପତ୍ର ୟୁଟ୍ୟୁବ୍ ମାଧ୍ୟମରେ ପହଞ୍ଚିଯାଉଛି । ଖାଲି ପ୍ରଶ୍ନପତ୍ର ପହଞ୍ଚୁନି, ଏହାର ସଠିକ୍ ଉତ୍ତର ମଧ୍ୟ ଚ୍ୟାନେଲ ମାଧ୍ୟମରେ ଜଣାଇ ଦିଆଯାଉଛି । ଆଉ ପରୀକ୍ଷା ଖାତାରେ କିପରି ଉତ୍ତର ଲେଖିପାରିବେ ତାହା ମଧ୍ୟ ଅଭ୍ୟାସ କରାଇ ଦିଆଯାଉଛି । ଦେଖନ୍ତୁ ଏହି ଭିଡିଓ ଗୁଡିକର କିଛି ସ୍କ୍ରିନ୍ ସଟ୍ ଆମେ ଆପଣଙ୍କୁ ଦେଖାଉଛୁ । ଯେଉଁଥିରେ ଇଂରାଜୀ ଏବଂ ହିନ୍ଦୀର ପ୍ରଶ୍ନପତ୍ର ସହ ଉତ୍ତର ଦିଆଯାଇଥିବା ଦେଖିବାକୁ ମିଳିଛି । ଆଉ ଏହା ଦ୍ୱାରା ପିଲାମାନଙ୍କ ପାଖରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଏବଂ ଉତ୍ତର ପହଞ୍ଚିବା ବେଶ୍ ସହଜ ହୋଇଯାଉଛି ।

ଏବେ ପ୍ରାୟ ପ୍ରତ୍ୟେକ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଉପଲବ୍ଧ ଥିବାରୁ ସେମାନେ ଏହି ପ୍ରଶ୍ନପତ୍ର ସହ ଉତ୍ତରଗୁଡିକୁ ଅତି ସହଜରେ ପାଇଯାଉଛନ୍ତି । ହେଲେ ଏହା ଦ୍ୱାରା କୋମଳମତି ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ କୁପ୍ରଭାବ ପଡିବ ବୋଲି ସାଧାରଣରେ ଏକ ଆଶଙ୍କା ସୃଷ୍ଟି ହୋଇଛି । କାରଣ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଶ୍ନପତ୍ର ଏବଂ ଉତ୍ତର ମିଳିଯାଉଥିବାରୁ ଆଉ ସେମାନେ ପାଠପଢାରେ ଧ୍ୟାନ ଦେବେନାହିଁ ଏବଂ ପୂର୍ବରୁ ପାଠ୍ୟ ପୁସ୍ତକରୁ ପ୍ରଶ୍ନୋତ୍ତର ଅଭ୍ୟାସ କରିବାକୁ ଚାହିଁବେ ନାହିଁ । ଯାହା ସେମାନଙ୍କୁ ବିପଥଗାମୀ କରିବାର ଯଥେଷ୍ଟ ଆଶଙ୍କା ରହିଛି । ହେଲେ କିଛି ନିର୍ଦ୍ଧିଷ୍ଟ ୟୁଟ୍ୟୁବର ଏସବୁ କଥା ନଭାବି ନିଜ ଚ୍ୟାନେଲର ଭ୍ୟୁଅର୍ସ ପାଇଁ ଏବଂ ୟୁଟ୍ୟୁବ୍‌ରୁ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଏଭଳି କାମ କରିବାକୁ ପଛାଉନାହାଁନ୍ତି ।

ତେବେ ଏଠାରେ ଏକ ବଡ ପ୍ରଶ୍ନ ହେଉଛି କି ଏହି କୋଶ୍ଚିନ୍ ପେପର ସବୁ ୟୁଟ୍ୟୁବରମାନଙ୍କ ହସ୍ତଗତ ହେଉଛି କେମିତି । ପରୀକ୍ଷା ପୂର୍ବରୁ କିଏ ଏମାନଙ୍କୁ ଯୋଗାଇ ଦେଉଛି ପ୍ରଶ୍ନପତ୍ର । ଏସବୁର ଖୋଳତାଡ କରାଯିବାର ଆବଶ୍ୟକତା ରହିଛି । ଏହା ସହ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ସହ ଏଭଳି ୟୁଟ୍ୟୁବରଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.