ଯଦି UPI କାରବାର ଉପରେ ଚାର୍ଜ ନିଆଯାଏ, ତେବେ ଅଧିକାଂଶ ଉପଭୋକ୍ତା ବନ୍ଦ କରିଦେବେ ଏହାର ବ୍ୟବହାର: ସର୍ଭେରୁ ଖୁଲାସା

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଯଦି ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଯଥା ୟୁପିଆଇ ଉପରେ କାରବାର ଶୁଳ୍କ ଲାଗୁ କରାଯାଏ, ତେବେ ଅଧିକାଂଶ ଉପଭୋକ୍ତା ଏହାର ବ୍ୟବହାର ବନ୍ଦ କରିଦେବେ ।

ଲୋକାଲ୍ ସର୍କଲର ଏକ ଅନଲାଇନ୍ ସର୍ଭେରେ ଏହା ସାମ୍ନାକୁ ଆସିଛି । ଭାଷା ସମ୍ବାଦ ଅନୁଯାୟୀ, ସର୍ଭେରେ ବହୁ ସଂଖ୍ୟକ ଲୋକ ଦାବି କରିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ ସେମାନଙ୍କଠାରୁ ୟୁପିଆଇ ଦେୟ ଉପରେ କାରବାର ଶୁଳ୍କ ଆଦାୟ ହୋଇଛି ।

୩୪,୦୦୦ ରୁ ଅଧିକ ଲୋକ ସେମାନଙ୍କ ମତ ଦେଇଛନ୍ତି :-

ଖବର ଅନୁଯାୟୀ, ଲୋକାଲ ସର୍କଲ ରବିବାର ଦିନ କହିଛି ଯେ ୩୬୪ ରୁ ଅଧିକ ଜିଲ୍ଲାର ୩୪,୦୦୦ ରୁ ଅଧିକ ଲୋକ ଏହି ସର୍ଭେରେ ନିଜର ମତ ଦେଇଛନ୍ତି । ସେଥିମଧ୍ୟରୁ ୬୭ ପ୍ରତିଶତ ପୁରୁଷ ଏବଂ ୩୩ ପ୍ରତିଶତ ମହିଳା ଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗଷ୍ଟ ୨୦୨୨ ରେ ଏକ ଆଲୋଚନା ପେପର ଜାରି କରି ବିଭିନ୍ନ ପରିମାଣ ଉପରେ ଆଧାର କରି ୟୁପିଆଇ ଦେୟ ଉପରେ ଏକ ରଚନା ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲା । ତେବେ ପରେ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ୟୁପିଆଇ କାରବାର ଉପରେ ଚାର୍ଜ ଲଗାଇବାର କୌଣସି ପ୍ରସ୍ତାବ ନାହିଁ ।

ତାଜା ସର୍ଭରେ କୁହାଯାଇଛି ଯେ, ୟୁପିଇର ମାତ୍ର ୨୩ ପ୍ରତିଶତ ଉପଭୋକ୍ତା ଦେୟ ଉପରେ କାରବାର ଶୁଳ୍କ ଦେବାକୁ ପ୍ରସ୍ତୁତ । ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ ୭୩ ପ୍ରତିଶତ ସୂଚାଇ ଦେଇଛନ୍ତି ଯେ, ଯଦି କାରବାର ଶୁଳ୍କ ଲାଗୁ ହୁଏ ତେବେ ସେମାନେ ୟୁପିଆଇ ବ୍ୟବହାର ବନ୍ଦ କରିବେ । ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୫୦ ପ୍ରତିଶତ ୟୁପିଆଇ ବ୍ୟବହାରକାରୀ ପ୍ରତି ମାସରେ ୧୦ ରୁ ଅଧିକ କାରବାର କରନ୍ତି । ବର୍ତ୍ତମାନ, ସମଗ୍ର ଦେଶରେ ୟୁପିଆଇ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଶୁଳ୍କ ଆଦାୟ କରାଯାଉ ନାହିଁ ।