ନୂଆଦିଲ୍ଲୀ: ବିପଦରେ ଲକ୍ଷାଧିକ ଫେସବୁକ ଆକାଉଣ୍ଟ। ଟଙ୍କା ହଡପ କରିବା ପାଇଁ ଗ୍ରାହକଙ୍କୁ ଟାର୍ଗେଟ୍ କରୁଛନ୍ତି ହ୍ୟାକର୍ସ। ସାଇବର ଏକ୍ସପର୍ଟଙ୍କ ଅନୁଯାୟୀ ସମଗ୍ର ଦୁନିଆରେ ୫୦ ଲକ୍ଷରୁ ଅଧିକ ଫେସବୁକ ୟୁଜର୍ସଙ୍କୁ ଟାର୍ଗେଟ୍ କରିବା ପାଇଁ ଆରମ୍ଭ ହୋଇ ଯାଇଛି ଅଭିଯାନ। ଏହାକୁ ମୋବାଇଲରେ ଫେସବୁକ ମେସେଞ୍ଜର ଜରିଆରେ ଦ୍ରୁତ ଗତିରେ ହ୍ୟାକର୍ସ ସେୟାର କରୁଛନ୍ତି। ଏହାର ସୂଚନା ଏବେ ମିଳିଥିଲେ ହେଁ ଗତ ଏକ ବର୍ଷରୁ ହ୍ୟାକର୍ସଙ୍କ ଟାର୍ଗେଟରେ ରହି ଆସିଛନ୍ତି ଫେସବୁକ ୟୁଜର୍ସ।
ଆଣ୍ଟି ଫିଶିଙ୍ଗ ବ୍ରାଉଜର ଏକ୍ସଟେନସନ PIXMର ନିକ ଏକ୍ଲୋନି ଏହି ଆଟାକର ଖୁଲାସା କରିଛନ୍ତି। ତାଙ୍କ ରିସର୍ଚ୍ଚ ଟିମ୍ ଜାଣିବାକୁ ପାଇଛନ୍ତି ଯେ, ବହୁତ ଓ୍ଵେବସାଇଟ୍ ଏମିତି ରହିଛି, ଯାହା ଫେସବୁକ ଲଗିନ ପେଜ୍ ପରି ସମାନ। ବହୁ ସଂଖ୍ୟାରେ ୟୁଜର୍ସ ଏହାକୁ ଅସଲି ଫେସବୁକ ଭାବି ଲଗିନ କରୁଛନ୍ତି। ଫଳରେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ହ୍ୟାକର୍ସଙ୍କ ନିକଟରେ ପହଞ୍ଚି ଯାଉଛି।
ରିପୋର୍ଟ ମୁତାବକ ହ୍ୟାକର୍ସ ଏହି ତରିକାରେ ମୋଟା ଅଙ୍କର ଅର୍ଥ କମାଉଛନ୍ତି। ଧରି ନିଅନ୍ତୁ ଜଣେ ୟୁଜର ନିଜର ଫେସବୁକ ତଥ୍ୟ ନକଲି ଓ୍ଵେବସାଇଟରେ ଦେଇ ଦିଅନ୍ତି, ତେବେ ତାଙ୍କୁ ଏକ ବିଜ୍ଞାପନ ପେଜରେ ରିଡାଇରେକ୍ଟ କରାଯାଏ। ହ୍ୟାକର୍ସ ନକଲି ଲଗିନ ପେଜରେ ଗୋଟିଏ ୟୁଜର୍ସଙ୍କୁ ଟାର୍ଗେଟ୍ କରି ଶତାଧିକ ଡଲାର ଆୟ କରୁଛନ୍ତି।
ଏମିତି ବଞ୍ଚାଇ ରଖନ୍ତୁ ନିଜର ଫେସବୁକ ଆକାଉଣ୍ଟ
୧ – ଏକ୍ସପର୍ଟଙ୍କ ମତରେ ଯଦି ଆପଣ କୌଣସି ପ୍ରକାରର ସନ୍ଦିଗ୍ଧ ଅନଲାଇନ ସ୍କାମ ମେସେଜ ଦେଖୁଛନ୍ତି, ତେବେ କୌଣସି ପ୍ରକାରର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ।
୨ – ଯଦି ଆପଣଙ୍କୁ ଲାଗୁଛି କୌଣସି ମେସେଜ କିମ୍ବା ଓ୍ଵେବସାଇଟ୍ ସହିତ କିଛି ତ୍ରୁଟି ରହୁଛି ତେବେ ସାବଧାନ ସହ ଆଗକୁ ବଢନ୍ତୁ।
୩ – ଅଜଣା ଓ୍ଵେବସାଇଟରେ କେବେ ବି ଫେସବୁକ୍ ଲଗ୍ ଇନ୍ କରନ୍ତୁ ନାହିଁ।
୪ – ଯଦି ଆପଣଙ୍କୁ ଏମିତି ନକଲି ଓ୍ଵେବସାଇଟ୍ ଦେଖିବାକୁ ମିଳୁଛି, ତେବେ ଆପଣ ତୁରନ୍ତ ସାଇବର କ୍ରାଇମ୍ ସେଲ୍ ସହ ଯୋଗାଯୋଗ କରନ୍ତୁ।