fbpx

ଉଦ୍ଧବ ଠାକରେଙ୍କ ନାକ ତଳୁ ଗୋଟିଏ ସିଟ୍ ଛଡାଇ ନେଲେ ଫଡଣବିସ, ଶିବସେନା ଆବାକ୍

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ସରକାରକୁ ଶକ୍ତ ଝଟକା। ବିରୋଧୀ ଦଳ ବିଜେପି ଶାସକ ଶିବସେନା, ଏନସିପି ଏବଂ କଂଗ୍ରେସର ମହା ବିକାଶ ଅଘାଡି ମେଣ୍ଟକୁ ଝଟକା ଦେଇ ରାଜ୍ୟସଭାର ଛଅଟି ସିଟରୁ ତିନୋଟି ଜିତି ନେଇଛି। ବିଜେପି ପାଖରେ ଆବଶ୍ୟକ ସଂଖ୍ୟାବଳ ନଥିଲେ ବି ୧୭ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଯୋଗାଡ କରି ଦେବେନ୍ଦ୍ର ଫଡଣବିସ ଶିବସେନା ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାକ ତଳେ ଗୋଟିଏ ସିଟ୍ ଛଡାଇ ଆଣିବାରେ ସଫଳ ହୋଇଛନ୍ତି। ଏଥିସହ ଫଡଣବିସ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ଯେ, ସେ ରାଜନୀତି ମଇଦାନର ଜଣେ ଚତୁର ଖେଳାଳି।

ପରାଜୟ ସ୍ଵୀକାର କରି ଏନସିପି ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି ଯେ, ଆମକୁ ଏହି ସରପ୍ରାଇଜ ସ୍ଵୀକାର କରିବାକୁ ପଡିବ। ଏହା ମାନିବାକୁ ପଡିବ ଯେ, ଦେବେନ୍ଦ୍ର ଫଡଣବିସ ସ୍ଵାଧୀନ ବିଧାୟକଙ୍କ ନିଜ ଆଡକୁ ଟାଣିବାରେ ସମର୍ଥ ହୋଇଛନ୍ତି। ମହା ବିକାଶ ଅଘାଡି ମେଣ୍ଟ ଫଡଣବିସଙ୍କୁ ରାଜ୍ୟସଭା ପାଇଁ ସର୍ବସମ୍ମତି କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଛଅଟିରୁ ଦୁଇଟି ସିଟ୍ ପ୍ରସ୍ତାବକୁ ଫଡଣବିସ ସ୍ଵୀକାର କରିନଥିଲେ। ଏହି କାରଣରୁ ପ୍ରାୟ ୨୪ ବର୍ଷ ପରେ ରାଜ୍ୟରେ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ କରାଇବାକୁ ପଡିଥିଲା। ଶିବସେନା ପ୍ରାର୍ଥୀଙ୍କ ପରାଜୟ ପରେ ସଞ୍ଜୟ ରାଉତ କହିଛନ୍ତି ଏହାର ମହା ବିକାଶ ଅଘାଡି ସରକାରର ସ୍ଥିରତା ଉପରେ କୌଣସି ପ୍ରଭାବ ପଡିବ ନାହିଁ।

ବିଜେପି ପକ୍ଷରୁ ପିୟୂଷ ଗୋଏଲ, ଅନିଲ ବୋଣ୍ଡେ ଏବଂ ଧନଞ୍ଜୟ ମହାଦିକ ବିଜୟୀ ହୋଇଥିବା ବେଳେ ଶିବସେନାରୁ ସଞ୍ଚୟ ରାଉତ, ଏନସିପିରୁ ପ୍ରଫୁଲ୍ ପଟେଲ୍ ଏବଂ କଂଗ୍ରେସରୁ ଇମ୍ରାନ ପ୍ରତାପଗଢି ବିଜୟ ହାସଲ କରିଛନ୍ତି। ମୁକାବିଲା ଷଷ୍ଠ ସିଟ୍ ପାଇଁ ଥିଲା ଏବଂ ବିଜେପି ପୂର୍ବତନ ସାଂସଦ ଧନଞ୍ଜୟ ମହାଦିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ସଞ୍ଜୟ ପାଓ୍ଵାର ଶିବସେନାର ପ୍ରାର୍ଥୀ ଥିଲେ। ଆଉ ପାଓ୍ଵାରଙ୍କୁ ମହାଦିକଙ୍କ ହାତରୁ ପରାଜୟ ମିଳିଛି।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ମୋଟ୍ ୨୮୪ ବୈଧ୍ୟ ମତରୁ ପିୟୂଷ ଗୋଏଲଙ୍କୁ ୪୮, ଅନିଲ ବୋଣ୍ଡେଙ୍କୁ ୪୮, ଧନଞ୍ଜୟ ମହାଦିକଙ୍କୁ ୪୧, ସଞ୍ଜୟ ରାଉତଙ୍କୁ ୪୧, ଇମରାନ ପ୍ରତାପଗଢିଙ୍କୁ ୪୪, ପ୍ରଫୁଲ ପଟେଲଙ୍କୁ ୪୩ ଏବଂ ସଞ୍ଜୟ ପାଓ୍ଵାରଙ୍କୁ ୩୯ ଭୋଟ୍ ମିଳିଛି। ପ୍ରଥମ ପାଞ୍ଚ ବିଜେତାଙ୍କ ଘୋଷଣା ପ୍ରଥମ ରାଉଣ୍ଡ ଗଣତି ପରେ କରାଯାଇଥିଲା ମାତ୍ର ଧନଞ୍ଜୟ ମହାଦିକଙ୍କ ନାମ ଘୋଷଣା ଦ୍ଵିତୀୟ ରାଉଣ୍ଡ ପରେ ହିଁ କରାଯାଇଥିଲା। ଅର୍ଥାତ ବିଜେପିକୁ ୧୭ ସ୍ଵାଧୀନ ବିଧାୟକ ସମର୍ଥନ ଦେଇଥିଲେ।

Get real time updates directly on you device, subscribe now.