fbpx

ସାଇବର ଅପରାଧ ବିରୁଦ୍ଧରେ ବଡ ପଦକ୍ଷେପ, କାଟି ଦିଆଗଲା ୫୫.୫୨ ଲକ୍ଷ ଫୋନ୍ ସଂଯୋଗ

Advertisement

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ବଢିଚାଲିଥିବା ବେଳେ ସରକାର ଏହାକୁ ରୋକିବା ଲାଗି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । ବୁଧବାର ଏ ବିଷୟରେ ସଂସଦରେ ସୁଚନା ଦେଇଛନ୍ତି ସୂଚନା ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିନ୍ ଚୌହାନ । ସରକାରଙ୍କ ଏହି ପଦକ୍ଷେପ ମଧ୍ୟରେ ରହିଛି ‘ସଞ୍ଚାର ସାରଥି ପୋର୍ଟାଲ’ ଲଞ୍ଚ କରିବା ।

ଏହି ପୋର୍ଟାଲ ମାଧ୍ୟମରେ ୟୁଜର୍ସଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ଉଦ୍ୟମ କରାଯିବ । ୟୁଜର୍ସଙ୍କ ନାମରେ ଦିଆଯାଇଥିବା ମୋବାଇଲ୍ ସଂଯୋଗରେ କ’ଣ ଦୂର୍ବଳ ଦିଗ ରହିଛି ସେ ବିଷୟରେ ନିୟନ୍ତ୍ରକ କମ୍ପାନୀ ଲୋକମାନଙ୍କୁ ସଚେତନ କରିବେ । ଏହାଦ୍ୱାରା ବହୁ ମାତ୍ରାରେ ସାଇବର ଫ୍ରଡ୍‌କୁ ରୋକାଯାଇପାରିବ । ଭୁଲ୍ ଓ ନକଲି ଡକ୍ୟୁମେଣ୍ଟ ଆଧାରରେ ଦିଆଯାଇଥିବା ୫୫.୫୨ ଲକ୍ଷ ମୋବାଇଲ୍ ସଂଯୋଗକୁ କାଟି ଦିଆଯାଇଛି । ସାଇବର କ୍ରାଇମ୍ ଓ ଅର୍ଥନୈତିକ ଠକେଇରେ ସଂପୃକ୍ତି ଅଭିଯୋଗରେ ୧.୩୨ ଲକ୍ଷ ମୋବଇଲ୍ ହ୍ୟାଣ୍ଡସେଟ୍ ବ୍ଲକ କରାଯାଇଛି ଓ ୧୩.୪୨ ଲକ୍ଷ ମୋବାଇଲ୍ ସଂଯୋଗକୁ ବିଚ୍ଛିିନ୍ନ କରାଯାଇ ପୁନଃ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଚୌହାନ ସଂସଦରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ବହୁ ସମୟରେ ବିଭିନ୍ନ ବ୍ୟକ୍ତିି ନିଜକୁ ଟେଲିକମ୍ ଅଫିସର କହି ନାଗରିକମାନଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି । ଏହିପରି ବହୁ କେସ୍ ଏବେ ସାମ୍ନାକୁ ଆସିଛି । ଏ ଦିଗରେ ଟେଲିକମ୍ ରେଗୁଲେଟର ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି ଓ ୟୁଜର୍ସଙ୍କୁ ଆଲର୍ଟ କରିଦିଆଯାଇଛି । ଏହାସହିତ ଜାଲ୍ କମ୍ପାନୀମାନଙ୍କୁ ସେମାନଙ୍କ ସଂଯୋଗ କାଟି ଦିଆଯିବ ବୋଲି ମଧ୍ୟ ଟ୍ରାଇ ପକ୍ଷରୁ ସତର୍କ କରିଦିଆଯାଇଛି ।

Get real time updates directly on you device, subscribe now.