fbpx
BSKY SKY
BSKY SKY

ଜନସେବା କେନ୍ଦ୍ରରେ ଚଢ଼ଉ କରି ୧୫ ଲକ୍ଷରୁ ଅଧିକ ଜାଲ୍‌ ନୋଟ୍‌ ଜବତ କଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌, ୨ ଗିରଫ: ଛତିଶଗଡ଼କୁ ଲମ୍ବିଛି ଚେର

BSKY

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌) : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ନକଲି ନୋଟ୍‌ କାର୍‌ବାର୍‌ ଜୋର୍‌ ଧରିଛି । ବିଶେଷ କରି ୨ଶହ ଟଙ୍କିଆ ନୋଟ୍‌ର ଜାଲ୍‌ କାରବାର ଚାଲୁ ରହିଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଛାମୁଣ୍ଡା ପଞ୍ଚାୟତର ଅଢ଼ାପଡ଼ାରେ ଥିବା ଏକ ଜନସେବା କେନ୍ଦ୍ରରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢ଼ଉ କରି ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି । ଏହି ଘଟଣାରେ ଏସ୍‌ଟିଏଫ୍‌ ୨ ଜଣଙ୍କୁ ଗିରଫ କରି ପଚରାଉଚୁରା କରୁଛି । ଏହି ୨ ଜଣ ଆନ୍ତଃରାଜ୍ୟ ଜାଲ୍‌ନୋଟ୍‌ କାରବାରର ମାଫିଆ ବୋଲି ସୂଚନା ଦିଆଯାଇଛି ।

ଏହି ୨ ଜଣ ଦୀର୍ଘ ଦିନ ହେବ ଜାଲ୍‌ ନୋଟ୍‌ କାରବାର୍‌ ଚଳାଇ ଆସୁଥିଲେ । ସେମାନଙ୍କୁ ପଚରା ଉଚୁରା ପରେ ଅଧିକ ତଥ୍ୟ ହାସଲ ହେବ ବୋଲି ଏସ୍‌ଟିଏଫ୍‌ ଆଶା ରଖିଛି । ଏହି ଜାଲ୍‌ ନୋଟ୍‌ କାରବାର ଚାଲୁଥିବା ନେଇ ସୂଚନା ମିଳିବାପରେ ଏସ୍‌ଟିଏଫ ଚଢ଼ାଉ କରିଥିଲା । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ଲାପଟପ୍‌, ଗୋଟିଏ କଲର ପ୍ରିଣ୍ଟର ଓ କିଛି ନକଲି ନୋଟ୍‌ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ ପୋଦର ପ୍ରସାଦ ସାହୁ ଓ ଜନ୍ମଜୟ ବାଗ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ବରଗଡ଼ ଜିଲ୍ଲା ବରପାଲିରୁ ମଧ୍ୟ ୧୪ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରାଯାଇଥିଲା । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଏହାର ଚେର ଛତିଶଗଡ଼ ଠାରୁ ଆରମ୍ଭ କରି ବିହାର ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବାର ଏସ୍‌ଟିଏଫ୍‌ ସୂଚନା ପାଇଥିଲା । ବରଗଡ଼ ଜାଲ୍‌ନୋଟ୍‌ କାରବାର ସହ ସମ୍ବଲପୁରର ଲିଙ୍କ୍‌ ରହିଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ତେବେ କିରି ଏତେ ପରିମାଣର ଜାଲ୍‌ନୋଟ୍‌ କେଉଁଠାରୁ ଓଡ଼ିଶାକୁ ଆସୁଛି ସେନେଇ ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଛି । କ୍ରାଇମ୍‌ବ୍ରାଞ୍ଚର ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୧୦ କୋଟିରୁ ଅଧିକ ଜାଲ୍‌ନୋଟ୍‌ ଜବତ କରାଗଲାଣି । ଏହିସବୁ ଘଟଣାରେ ୧୮୦ରୁ ଅଧିକ ମାମଲା ରୁଜୁ କରାଯିବା ସହ ୩୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.