ଦାଦନ ପାଇଁ ଯାଇ ଶବ ହୋଇ ଫେରିଲା ଘରର ଏକମାତ୍ର ଭେଣ୍ଡିଆ ପୁଅ, ଶୁଖୁନି ପରିବାର ଆଖିର ଲୁହ

ପରିବାର ସହ ପାଳିଥାନ୍ତେ ମକର ପର୍ବ । ବାହାର ରାଜ୍ୟକୁ ଦାଦନ ପାଇଁ ଯାଇ ଶେଷରେ ଶବ ହୋଇ ଫେରିଲା ବଡ଼ ଭାଇ । ଦୁଃରେ ଭାଙ୍ଗିପଡ଼ିଛି ପୁରା ପରିବାର ।

ଯାଜପୁର: ସରୁନି ଦାଦନ ଦୁଃଖ । ପରିବାର ପ୍ରତିପୋଷଣ ଦୁଇ ପଇସା ରୋଜଗାର କରିବାକୁ ଯାଇଥିଲେ କିନ୍ତୁ ଏବେ ଶବ ହୋଇ ଫେରିଲେ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତର (ଜଗନ୍ନାଥପୁର) ଛତରା ଗାଁରେ ।

ଦୁଃଖରେ ପରିବାର: ଉତ୍ତରପ୍ରଦେଶ ଦାଦନ ଖଟିବାକୁ ଯାଇଥିଲେ ଏହି ଗାଁର ପାଣ୍ଡୁ ଗାଗରାଇଙ୍କ ଏକମାତ୍ର ରୋଜଗାରିଆ ପୁଅ ଥିଲେ ବାବୁଲି । ବୟସ ମାତ୍ର ୨୫ ବର୍ଷ ।

ସେଠାରେ କାମ କରୁଥିବା ସମୟରେ କାର୍ଯ୍ୟସ୍ଥଳୀରେ ମୃତ୍ୟୁ ହୋଇଯାଇ ଥିବା ଖବର ଗାଁରେ ନିଆଁ ପରି ବ୍ୟାପିଥିଲା ।

ଏହି ଖବର ପରେ ବାବୁଲିର ପରିବାର ଉପରେ ଦୁଃଖର କଳା ବାଦଲ ଛାଇ ଯାଇଛି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର ।

ଶବ ହୋଇ ଫେରିଲେ: ଜଣେ ଠିକାଦାରଙ୍କ ସହିତ ଉତ୍ତରପ୍ରଦେଶର ଅଯୋଧ୍ୟା ନିକଟରେ ଥିବା ପାହାଡ଼ପୁରରେ ବି. ଏସ. ପି. ଏଲ. କମ୍ପାନୀରେ ଏକ ପାଣି ଟାଙ୍କି ନିର୍ମାଣ ସ୍ଥଳୀରେ ସେ କାମ କରୁଥିଲେ ।

କାମ କରୁଥିବା ସମୟରେ ଉପରୁ ଖସି ପଡ଼ିଥିଲା ବାବୁଲି । ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ପରେ ତାଙ୍କ ସୁପରଭାଇଜର ଫୋନ କରି ବାବୁଲିର ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ମକର ପର୍ବ ରହିଗଲା ଅଧା: ରୋଜଗାର କରି ପରିବାର ଚଳାଇବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଇଥିଲେ ବାବୁଲି ।

ବାପା ମା ଛେଉଣ୍ଡ ବାବୁଲି ତାର ସାନ ୨ ଭଉଣୀ ଓ ଭାଇର ସାହାରା ଥିଲା । ବାବୁଲି ମକର ପର୍ବରେ ଘରକୁ ଆସିବ ।

ସାନ ଭାଇ ଭଉଣୀଙ୍କ ପାଇଁ ନୂଆ ଲୁଗାପଟା କରି ଦେବ ବୋଲି କହିଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ଘରକୁ ଶବ ହୋଇ ଫେରିଥିଲା ।