ଅକ୍ଷିମୁଠିରେ ଆରମ୍ଭ ହୁଏ ଚାଷ କାର୍ଯ୍ୟ, ରଥକାଠ ସ୍ପର୍ଶ କରିବ କୁରାଢି, ଓଡିଆ ଘରେ ଏମିତି ପାଳନ ହୁଏ ଅକ୍ଷୟ ତୃତୀୟା

ଭୁବନେଶ୍ୱର : ବୈଶାଖ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ କୃଷକ ଦିବସ ଭାବେ ମଧ୍ୟ ଜଣାଯାଏ । କାରଣ କୃଷକ ଏହି ଦିନର ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ ଦେଇଥାଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି ବୋଲି କୁହାଯାଏ । କେବଳ ସେତିକି ନୁହେଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇ ଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ ଆଦି ଶୁଭକାର୍ଯ୍ୟ ଅନୁଷ୍ଠିତ ହୁଏ ।

ରଥନିର୍ମାଣର ଶୁଭାନୁକୂଳ ଏହି ଦିନରେ ହିଁ ହୋଇଥାଏ । ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଏତଦବ୍ୟତୀତ ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ ।