ମାଗଣା ବିଶ୍ୱ ଭ୍ରମଣ ଏବଂ କୋଟି କୋଟି ଟଙ୍କାର ପୁରସ୍କାର ରାଶି … ମିସ୍ ୱାର୍ଲ୍ଡ ବିଜେତା ହେବା ପରେ ଥାଇ ସୁନ୍ଦରୀ ପାଇଲେ କେତେ ଫାଇଦା ?
ହାଇଦ୍ରାବାଦ: ଥାଇଲାଣ୍ଡର ସୁଚାତା ଚୁଆଙ୍ଗସରୀ ମିସ୍ ଓ୍ୱାର୍ଲଡ୍ ୨୦୨୫ ମୁକୁଟ ଜିତି ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛନ୍ତି। ୩୧ ମେ ୨୦୨୫ରେ ହାଇଦ୍ରାବାଦରେ ଆୟୋଜିତ ଏହି ମର୍ଯ୍ୟାଦାପୂର୍ଣ୍ଣ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସୁଚାତାଙ୍କ ବିଜୟ ତାଙ୍କୁ କେବଳ ଖ୍ୟାତି ନୁହେଁ, ବରଂ ଅନେକ ଆକର୍ଷଣୀୟ ଫାଇଦା ଓ କୋଟି କୋଟି ଟଙ୍କାର ପୁରସ୍କାର ମଧ୍ୟ ଆଣି ଦେଇଛି।
ପୁରସ୍କାର ଓ ଫାଇଦା
ମିସ୍ ଓ୍ୱାର୍ଲଡ୍ ବିଜେତା ଭାବେ ସୁଚାତାଙ୍କୁ ୧୦୦ ନିୟୁତ ଟଙ୍କା (ପ୍ରାୟ ୧୦ କୋଟି ଭାରତୀୟ ଟଙ୍କା)ର ଏକ ନଗଦ ପୁରସ୍କାର ମିଳିଛି। ଏହି ପୁରସ୍କାର ତାଙ୍କ ସମାଜସେବା କାର୍ଯ୍ୟ ଓ ବ୍ୟକ୍ତିଗତ ବିକାଶ ପାଇଁ ସହାୟକ ହେବ। ଏହା ସହିତ, ତାଙ୍କୁ ମିଳିଛି ଏକ ହୀରା ଜଡ଼ିତ ମୁକୁଟ, ଯାହାର ମୂଲ୍ୟ ପ୍ରାୟ ୧୦୦,୦୦୦ ଡଲାର (ଅର୍ଥାତ୍ ପ୍ରାୟ ୮୪ ଲକ୍ଷ ଟଙ୍କା)। ଏହି ମୁକୁଟ ମିକିମୋଟୋ ଦ୍ୱାରା ଡିଜାଇନ୍ କରାଯାଇଛି ଏବଂ ଏଥିରେ ମୁକ୍ତା ଓ ହୀରା ସହିତ ଏକ ନୀଳ ଗ୍ଲୋବ ରହିଛି, ଯାହା ବିଶ୍ୱର ଛଅ ମହାଦେଶକୁ ପ୍ରତିନିଧିତ୍ୱ କରେ।
ମୁକ୍ତ ବିଶ୍ୱ ଭ୍ରମଣ ଓ ଅନ୍ୟାନ୍ୟ ସୁବିଧା
ସୁଚାତାଙ୍କୁ ମିସ୍ ଓ୍ୱାର୍ଲଡ୍ ସଂଗଠନ ତରଫରୁ ଏକ ବର୍ଷ ପାଇଁ ମୁକ୍ତ ବିଶ୍ୱ ଭ୍ରମଣର ସୁଯୋଗ ମିଳିଛି। ଏହି ଭ୍ରମଣରେ ହୋଟେଲ ରହଣୀ, ଖାଦ୍ୟ ଓ ଯାତାୟତ ଖର୍ଚ୍ଚ ସଂଗଠନ ବହନ କରିବ। ସେ ବିଶ୍ୱବ୍ୟାପୀ ସମାଜସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ “ବ୍ୟୁଟି ଉଇଥ୍ ଏ ପର୍ପସ” କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜନସାଧାରଣଙ୍କ ଜୀବନଧାରା ଉନ୍ନତି ପାଇଁ କାମ କରିବେ।
ଅନ୍ୟାନ୍ୟ ସୁବିଧା
ସ୍ପନସରଙ୍କ ତରଫରୁ ଉପହାର: ସୁଚାତାଙ୍କୁ ଏକ ବର୍ଷ ପାଇଁ ମେକଅପ୍, ଚୁଟି ଉତ୍ପାଦ, ଜୋତା, ପୋଷାକ, ଅଳଙ୍କାର ଏବଂ ଚର୍ମ ଯତ୍ନ ଉତ୍ପାଦ ମିଳିବ।
ପେସାଦାର ସହାୟତା: ତାଙ୍କୁ ପେସାଦାର ଷ୍ଟାଇଲିଷ୍ଟ, ପୁଷ୍ଟିବିଦ୍, ଫଟୋଗ୍ରାଫର ଓ ମେକଅପ୍ ଆର୍ଟିଷ୍ଟଙ୍କ ସେବା ମିଳିବ।
ଉଚ୍ଚମାନର ଇଭେଣ୍ଟରେ ପ୍ରବେଶ: ସେ ଫ୍ୟାଶନ ଶୋ’, ପୁରସ୍କାର ଅନୁଷ୍ଠାନ, ଚଳଚ୍ଚିତ୍ର ପ୍ରିମିୟର ଓ ଅନ୍ୟାନ୍ୟ ଏକ୍ସକ୍ଲୁସିଭ୍ ଇଭେଣ୍ଟରେ ଅଂଶଗ୍ରହଣ କରିବେ।
ସମାଜସେବା ଓ ସାଂସ୍କୃତିକ ଆଦାନପ୍ରଦାନ: ସୁଚାତା ବିଶ୍ୱବ୍ୟାପୀ ସମାଜସେବା କାର୍ଯ୍ୟରେ ଅଂଶଗ୍ରହଣ କରିବେ ଏବଂ ବିଭିନ୍ନ ସଂସ୍କୃତିର ଆଦାନପ୍ରଦାନରେ ଭାଗ ନେବେ।
ସୁଚାତାଙ୍କ ଦାୟିତ୍ୱ
ମିସ୍ ଓ୍ୱାର୍ଲଡ୍ ଭାବେ ସୁଚାତା ଏକ ବର୍ଷ ପାଇଁ ସଂଗଠନର ବିଶ୍ୱବ୍ୟାପୀ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବେ। ସେ ବିଭିନ୍ନ ସାମାଜିକ ମୁଦ୍ଦା ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ଗରିବୀ ଓ ପରିବେଶ ସଂରକ୍ଷଣ ପାଇଁ କାମ କରିବେ। ତାଙ୍କର “ବ୍ୟୁଟି ଉଇଥ୍ ଏ ପର୍ପସ” ପ୍ରୋଜେକ୍ଟକୁ ଆଗେଇ ନେବା ସହ ସେ ଅନ୍ୟ ଦେଶର ସମାଜସେବା କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।
ଥାଇଲାଣ୍ଡ ପାଇଁ ଗୌରବ
ସୁଚାତାଙ୍କ ଏହି ବିଜୟ ଥାଇଲାଣ୍ଡ ପାଇଁ ଏକ ବଡ଼ ଗୌରବ ଆଣିଛି। ସେ ପୂର୍ବରୁ ମିସ୍ ୟୁନିଭର୍ସ ୨୦୨୪ରେ ତୃତୀୟ ରନର୍ସ-ଅପ୍ ହୋଇଥିଲେ, କିନ୍ତୁ ମିସ୍ ଓ୍ୱାର୍ଲଡ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଯୋଗୁଁ ତାଙ୍କୁ ମିସ୍ ୟୁନିଭର୍ସ ଟାଇଟଲରୁ ବଞ୍ଚିତ କରାଯାଇଥିଲା। ତଥାପି, ସୁଚାତା ନିଜର ଲକ୍ଷ୍ୟରେ ଅଟଳ ରହି ମିସ୍ ଓ୍ୱାର୍ଲଡ୍ ମୁକୁଟ ଜିତି ନିଜ ଦେଶ ଓ ବିଶ୍ୱବାସୀଙ୍କ ହୃଦୟ ଜିତିଛନ୍ତି।