fbpx

ପଞ୍ଜଶିରର ‘ଶେର’କୁ ଏତେ ଭୟ , ନିଜର ୪୦ ସଦସ୍ୟଙ୍କ ମୃତଦେହ ଛାଡି ଫେରାର ତାଲିବାନ

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନକୁ ଅକ୍ତିକାର କରିଥିଲେ ମଧ୍ୟ ଏମିତି ଏକ ଅଞ୍ଚଳ ରହିଛି ଯାହା ଏବେ ମଧ୍ୟ ତା ହାତ ମୁଠାଠୁ ବହୁତ ଦୂରରେ ରହିଛି । ଆଫଗାନିସ୍ତାନର ପଞ୍ଜଶିର ପ୍ରାନ୍ତ ଏବେ ମଧ୍ୟ ତାଲିବାନଠୁ ବହୁ ଦୂରରେ । ଘାଟିରେ ପଞ୍ଜଶିରର ଶେର ତାଲିବାନୀ ସଦସ୍ୟଙ୍କୁ ମୁହଁତୋଡ ଜବାବ ଦେଉଛନ୍ତି । ସେଠାରେ ଗତ କିଛି ଦିନ ହେବ ତାଲିବାନ ଓ ନଦର୍ଣ୍ଣ ଅଲାୟନ୍ସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଓ ଅହମ୍ମଦ ମସୁଦଙ୍କ ନେତୃତ୍ୱରେ ନଦର୍ଣ୍ଣ ଅଲାୟନ୍ସ ତାଲିବାନକୁ ଦୃଢ ଜବାବ ଦେଉଛନ୍ତି ।

ଏହା ମଧ୍ୟରେ ପଞ୍ଜଶିରର ରେସିଷ୍ଟେନ୍ସ ଫୋର୍ସ ତାଲିବାନର ୪୦ ସଦସ୍ୟଙ୍କୁ ନିହତ କରିଛନ୍ତି । କେବଳ ଏତିକି ନୁହେଁ ପଞ୍ଜଶିରର ଶେରକୁ ନେଇ ତାଲିବାନୀ ଏତେ ଭୟଭୀତ ଯେ, ନିଜର ସାଥୀଙ୍କ ମୃତଦେହ ଛାଡି ପଳାୟନ କରିଛନ୍ତି । ରେସିଷ୍ଟେନ୍ସ ଫୋର୍ସର ମୁଖପାତ୍ର ଫହିମ ଦଶନି ଗୁରୁବାର ଦାବି କରିଛନ୍ତି ଯେ, ନଦର୍ଣ୍ଣ ଅଲାୟନ୍ସ ତାଲିବାନର ୪୦ ସଦସ୍ୟଙ୍କୁ ମାରିଛନ୍ତି । ତାଲିବାନୀ ନିଜ ସଦସ୍ୟଙ୍କ ମୃତଦେହ ଛାଡି ଚାଲି ଯାଇଥିଲେ ମଧ୍ୟ ନଦର୍ଣ୍ଣ ଅଲାୟନ୍ସର ତାଲିବାନର ଗୋଷ୍ଠୀକୁ ଶବ ହସ୍ତାନ୍ତର କରିଛନ୍ତି ।

ରେସିଷ୍ଟେନ୍ସ ଫୋର୍ସର ମୁଖପାତ୍ର କହିଛନ୍ତି, ଶତ୍ରୁ ବାରମ୍ବାର ପଞ୍ଜଶିରର ଶୋତୁଲ ଜିଲ୍ଲାରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛି । ହେଲେ ପ୍ରତିଥର ବିଫଳ ରହିଛି । ଅନୁପ୍ରବେଶ ଉଦ୍ୟମ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ରକ୍ତାକ୍ତ ସଂଘର୍ଷରେ ୪୦ ତାଲିବାନୀ ନିହତ ହୋଇଛନ୍ତି । ମଧ୍ୟସ୍ଥ ଜରିଆରେ ସବୁ ମୃତଦେହଗୁଡିକୁ ତାଲିବାନୀଙ୍କୁ ହସ୍ତାନ୍ତର କରାଯାଇଥିବା ମୁଖପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିରରେ ଅଛନ୍ତି । ସେ ତାଲିବାନକୁ ଆଫଗାନିସ୍ତାନରୁ ନିପାତ କରିବାକୁ ପଣ କରିଛନ୍ତି । ଏହା ସହିତ ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମସୁଦ ମଧ୍ୟ ଏଠାରେ ରହୁଛନ୍ତି । ସେ କହିଛନ୍ତି ଯେ, ମୁଁ ଅହମ୍ମଦ ଶାହା ମସୁଦଙ୍କ ପୁଅ । ମୋ ଶବ୍ଦକୋଷରେ ଆତ୍ମ ସମର୍ପଣ ପରି କୌନସି ଶବ୍ଦ ନାହିଁ । ତେଣୁ ତାଲିବାନ ପାଇଁ ପଞ୍ଜଶିର ଘାଟି ଦଖଲ କରିବା ବହୁତ ମୁସ୍କିଲ ହୋଇ ପଡିଛି ।

 

Get real time updates directly on you device, subscribe now.