ସବୁଆଡ଼େ ଆଜି ତର୍କ ଓ ବିତର୍କ । ଘରୁ ପାଦ କାଢ଼ିବା ଆଜି ଅସମ୍ଭବ ହୋଇପଡ଼ିଛି । ମୃତ୍ୟୁର ମାୟାଜାଲ ରଚନା କରିଛି କରୋନା । ଏମିତି ଏକ ଆଶଙ୍କା ଓ ଭୟାବହତା ମଧ୍ୟରେ କବଳିତ ହୋଇରହିଛନ୍ତି ବିଶ୍ୱବାସୀ । ଏହାରି ଭିତରୁ ଓଡ଼ିଶା ମଧ୍ୟ ବାଦ ପଡ଼ି ନାହିଁ । ଏଇ ପରିପ୍ରେକ୍ଷୀରେ ସରକାର କରୋନାକୁ ପ୍ରତିହତ କରିବା ପାଇଁ ଅବିରତ ସଂଗ୍ରାମ ଜାରି ରଖିଥିବାବେଳେ ଲୋକମାନଙ୍କୁ ସଚେତନ କରିବା ପାଇଁ ଅନେକ ନିର୍ଦ୍ଦେଶ ଦେଉଛନ୍ତି । ଘର ଭିତରେ ସୁରକ୍ଷିତ ଭାବେ ରହିବା ପାଇଁ ପରାମର୍ଶ ଦେବା ସହ ଅତ୍ୟାବଶ୍ୟକ କାର୍ଯ୍ୟ ନହେଲେ ଘରୁ ନ ବାହାରିବାକୁ ଗାଇଡ଼ଲାଇନ ମଧ୍ୟ ଦେଇଛନ୍ତି । ସାରା ଦେଶ ଏବେ ଲକଡ଼ାଉନ ସମୟ ଦେଇ ଗତି କରୁଥିବା ବେଳେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଦେଖି ଲୋକଙ୍କ ମନରେ ସଂଶୟ ଜାତ ହେବା ସ୍ୱାଭାବିକ । ତେବେ ସେସବୁକୁ ନଡ଼ରି , ଆତଙ୍କିତ ନହୋଇ ଆମେ ନିଜେ ସଜାଗ ଓ ସଚେତନ ରହିଲେ ଏହାର ମୁକାବିଲା କରିପାରିବା । ସମୟର ସାରାଂଶରେ ଏହା ଏବେ ସମାଜ ପାଇଁ ସାଜିଛି ଏକ ପ୍ରମୁଖ ଶୀର୍ଷକ । ଏବର ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ଭାବେ ଅନୁମେୟ ଯେ କରୋନାକୁ ନେଇ କେବଳ ଦେଶ କାହିଁକି ସାରା ବିଶ୍ୱ ଏବେ ଆତଙ୍କର ପରିସୀମା ଭିତରେ ଦିନ କାଟୁଛି । ତେବେ କରୋନାକୁ ମୁକାବିଲା କରିବା ପାଇଁ ଅନେକ ସାଜିଛନ୍ତି ପ୍ରକୃତ ଯୋଦ୍ଧା । କପରି ଏହାକୁ ସମୂଳେ ଧ୍ୱଂସ କରିହେବ ସେଥିପାଇଁ ସଭିଏଁ ପ୍ରସ୍ତୁତ ରହିଛନ୍ତି । ଓଡ଼ିଶା – କିପରି ପୁଣି ହସିବ , ସେ ଦିଗରେ ନୂତନ ଚିନ୍ତା ଓ ଚେତନାର ପରିପ୍ରକାଶ ବି ହେଉଛି । ତେବେ ଏ ଯୋଦ୍ଧାଙ୍କ ଭିତରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଡ଼ାକ୍ତର , ପୋଲିସ, ସଫେଇକର୍ମଚାରୀ , ଗଣମାଧ୍ୟମ ପ୍ରତିନିଧି ଓ ସର୍ବୋପରି ସାଧାରଣ ଜନତାଙ୍କ ଭୂମିକା ଅତୁଳନୀୟ । ସେମାନେ ହିଁ ଏ କରୋନା ଯୁଦ୍ଧର ଅସଲି ଯୋଦ୍ଧା । ନିଜ ପରିବାର , ଆତ୍ମୀୟଙ୍କ କଥା ଭୁଲି ରାଜ୍ୟ ଓ ଦେଶର ସ୍ୱାର୍ଥରେ ନିଜକୁ ନିୟୋଜିତ କରି ଏକ ଉଦାର ମାନବିକତାର ପରିଚୟ ଦେଇଛନ୍ତି । ଆଜି ଆମେ ସେମାନଙ୍କୁ ସଲାମ କରୁଛୁ ।
ସରକାର –
ଦେଶ ତଥା ରାଜ୍ୟର ମଙ୍ଗଳ କଥା ଯି କିଏ ଅଧିକ ଚିନ୍ତା କରୁଥାନ୍ତ , ତାହେଲେ ସେ ହେଉଛନ୍ତି ସରକାର । ରାଜ୍ୟର ବିକାଶ ସାଧନରେ ସରକାର ତୁଲାଇଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେ ଚାଷୀ ହେଉ କି ଶ୍ରମିକ ଅବା ମଧ୍ୟମବର୍ଗର ଲୋକ ଅବା ନିମ୍ନ ବର୍ଗର ଲୋକ , ସମସ୍ତଙ୍କ ପାଇଁ ଯୋଜନା କରି ସେମାନଙ୍କୁ ଥଇଥାନ କରନ୍ତି ସରକାର । ବର୍ତ୍ତମାନ ସାରା ବିଶ୍ୱରେ କରୋନାର ଚିନ୍ତା । ପ୍ରତି ମୁହୂର୍ତ୍ତରେ ସମସ୍ତଙ୍କ ମନ ଭିତରେ ସେହି ଗୋଟିଏ ଡ଼ର – କରୋନା । ଏପରି ଏକ ଜଟିଳ ପରିସ୍ଥିତି ସମୟରେ ଏହାର ମୁକାବିଲା କରିବାକୁ ମାଷ୍ଟରପ୍ଲାନ କରୁଛନ୍ତି ସରକାର । କେଉଁ ଉପାୟରେ ଏହାକୁ ଠିକ ଭାବରେ ମୁକାବିଲା କରିହେବ ସେଥିପାଇଁ ପ୍ରସ୍ତତ କରୁଛନ୍ତି ସ୍ୱତନ୍ତ୍ର ଗାଇଡ଼ଲାଇନ । କିପରି ଜଣେ ବି ଲୋକଙ୍କର କିଛି ଅସୁବିଧା ନହୁଏ , ତାକୁ ପ୍ରାଥମିକତା ଦିଆଯାଉଛି । ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଯୋଜନା କରିବା ସହ କିପରି ସଭିଏଁ ଦିନରେ ଦି ଓଳି ଖାଇ ପାରିବେ ତାହାକୁ ମଧ୍ୟ ଗୁରୁତ୍ୱର ସହ ବିଚାର କରୁଛନ୍ତି । ଓଡ଼ିଶା ସରକାରଙ୍କ କରୋନା ମୁକାବିଲା ଯୋଜନା ଏବେ ସାରା ଦେଶରେ ଚର୍ଚ୍ଚା ।
ଗଣମାଧ୍ୟମ –
କୁହାଯାଏ ଆକାଶ ଅସୀମ, ସଂଗ୍ରାମ ସୀମାହୀନ, ପରିବ୍ୟାପ୍ତ ଏ ସଂଗ୍ରାମର କ୍ଷେତ୍ର । ଶେଷ ହୁଏନି ସଂଗ୍ରାମର ଯାତ୍ରା । ସେହି ସଂଗ୍ରାମର ସାଥି ହୋଇ ସିଏ ଅନୁଭବକୁ ବାସ୍ତବରେ ରୂପାନ୍ତରିତ କରେ, ସ୍ପର୍ଶର ସ୍ପର୍ଶକାର ଆଉ ଅନୁଭବର ଅନୁଭବୀଟିଏ, ଯିଏ ଅସ୍ତ୍ର ସାଜି ସମାଜକୁ ରକ୍ଷାକରେ, ପଲ୍ଲୀରୁ ପାର୍ଲ୍ୟାମେଣ୍ଟ ଯାଏଁ ରୋଚକ ତଥ୍ୟର ମେସେର ସାଜେ, ସେ ବନ୍ଧୁକର ଗୁଳିଠାରୁ ବି ଅଧିକ ଶକ୍ତିଶାଳୀ, ଯିଏ ଯେକୌଣସି ବୁଲେଟ ପ୍ରୁଫକୁ ବି ଭେଦ କରି ଯାଇପାରେ । ଜୀବନ ଯମୁନାରେ ସେ ନିଥର ଆଉ ନିଧାର୍ଯ୍ୟ ସଂଜ୍ଞାରେ ସଂଜ୍ଞାୟିତ- ସେ କେହି ନୁହେଁ, ସେ ଗଣମାଧ୍ୟମ । ସକାଳର ଚା\’କପ ସାଙ୍ଗକୁ ଖବରକାଗଜଟିଏ ନଥିଲେ ଯୋଡି ଜମେନା, ସକାଳର କପ୍ ଯେମିତି ଖବରକାଗଜର ଖବରକୁ ଅନେଇ ବସିଥାଏ, ସେମିତି ଏକ ଅଦମ୍ୟ ସାହସର ନିର୍ଭୁଲ ଅଭିଲିପି ହେଉଛି ଗଣମାଧ୍ୟମ । ଗଣମାଧ୍ୟମ- ଯିଏ ରୋମ ସାମ୍ରାଜ୍ୟର କ୍ଲିଓପାଟ୍ରା ଠାରୁ ବି ଅଧିକ ଶକ୍ତିଶାଳୀ । ଯିଏ ସମାଜରୁ ବୃତାସ ରୂପୀ ରାକ୍ଷସଙ୍କୁ ଧ୍ୱଂସ କରିବାର ସାମର୍ଥ୍ୟ ଥାଏ । ଯାହା ଉପରେ ନିର୍ଭର କରେ ସଭ୍ୟତାର ଉତ୍ଥାନ ଓ ପତନ ଏବଂ ଯିଏ ମହାସାଗରର ଅନ୍ତର୍ଦ୍ଦେଶରୁ ଆରମ୍ଭ କରି ଖେଳପଡିଆ ଯାଏଁ ସମସ୍ତ ଖବରକୁ ନିଚ୍ଛକ ରୂପେ ଉପସ୍ଥାପନ କରେ ସେ ଗଣମାଧ୍ୟମ । ତାପାଇଁ ସାରୁ ଗଛ ମୂଳରୁ ବେଙ୍ଗୁଲୀରାଣୀର କାହାଣୀ ଶୁଭେ । ଆଉ ସିଏ ଢେଙ୍କାନାଳରୁ ଢିଙ୍କିଶାଳ ଯାଏଁ ବି ଖବର ଯୋଗାଏ । ଶତାଦ୍ଧୀର ଆରମ୍ଭରୁ ଅନ୍ତ ଯାଏଁ ସେ ସମାଜର ମଙ୍ଗୁଆଳ ସାଜେ ଜନତାଙ୍କ ସେବାରେ ସେ ହିଁ ଗଣମାଧ୍ୟମ । ପଲ୍ଲୀରୁ ପାର୍ଲାମେଣ୍ଟ, ପଂଚାୟତରୁ ପୋଲିସ, ଛାତ୍ର ଠୁ ପ୍ରଫେସର ଆଉ ପୁରପଲ୍ଲୀର ପୁରାଙ୍ଗନା ଠାରୁ ରାଜରାସ୍ତାର ବିଳାସିନୀ ଯାଏଁ ଏହା ସାଜିଛି ସମ୍ପ୍ରତି ସମାଜର ଅଭିନ୍ନ ବେଦ । ଆଜି ଏପରି ଏକ ମହାବିପତ୍ତି ସମୟରେ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆମେ ସମସ୍ତେ ଘରେ ସୁରକ୍ଷିତ ରହୁଥିବା ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ସବୁକିଛଇକୁ ଭୃକ୍ଷେପ କରି ନିଜ ପରିବାର,ପିଲାଛୁଆକୁ ଛାଡ଼ି ସମାଜର ସେବାରେ ଲୋକଙ୍କ ପାଖରେ କରୋନାର ପ୍ରତିଟି ମୁହୂର୍ତ୍ତ ଓ ସମ୍ବାଦକୁ ପହଁଚେଇବାକୁ ଲାଗିପଡ଼ିଥାଏ । ଖରା,ବର୍ଷା,ଶୀତକୁ ଖାତିର ନକରି କେବଳ ସମାଜର ସେବାରେ ନିଜକୁ ଜଣେ ସାଧାରଣ ସେବକ ଭାବରେ ସମର୍ପିତ କରିଦିଏ । ନା ଥାଲ କାହା ଠୁ କିଛି ପାଇବାର ଆଶା । ସବୁକିଛିକୁ ଭୁଲି ଜନତାର ସେବାରେ ନିଜକୁ ଲଗାଇଦିଏ । ସତରେ ଗଣମାଧ୍ୟମ ପ୍ରତିନିଧି – ୍ରଆପଣମାନଙ୍କୁ କୋଟି ନମନ । ଏପରି ଏକ ବିପର୍ଯ୍ୟୟ ସମୟରେ ନିଜ ପରିବାର ଅପେକ୍ଷା ଦେଶ ତଥା ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି ।
ଡ଼ାକ୍ତର –
ନିୟତିଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲଭ ପ୍ରାଣୀ । ଜନ୍ମ ଓ ମୃତ୍ୟୁର ଏହି ସୀମିତ ସମୟ ମଧ୍ୟରେ ଯିଏ ସମାଜର ସ୍ୱାର୍ଥରେ ନିଜକୁ ନିୟୋଜିତ କରିପାରିଲା , ସେ ହିଁ ଯୁଗଯୁଗ ଧରି ଅମର ହୋଇ ରହେ । ଡ଼ାକ୍ତର ହେଉଛନ୍ତି ସେମିତି ଏକ ମଣିଷ ଯାହାକୁ ଦ୍ୱିତୀୟ ଭଗବାନ ବୋଲି ଆଖ୍ୟା ଦିଆଯାଏ । ମାନବ ସେବା ହିଁ ମାଧବ ସେବାକୁ ଯିଏ ନିଜ ଜୀବନର ମୂଳମନ୍ତ୍ର ଭାବେ ବିବେଚନା କରିଛନ୍ତି , ସେ ହିଁ ଡ଼ାକ୍ତର । ଯେକୌଣସି ସମୟରେ ରୋଗୀକୁ ଭଲ କରିବାର ସେ ଅପୂର୍ବ ମହାନତା କେବଳ ଡ଼ାକ୍ତରଙ୍କ ପାଖରେ ହିଁ ଦେଖାଯାଇଥାଏ । ଏବର ସମୟରେ କରୋନା ପାଇଁ ମୁଖ୍ୟ ଯୋଦ୍ଧା ହିଁ ଡ଼ାକ୍ତର । କରୋନା ରୋଗୀଙ୍କ ପାଖେପାଖେ ରହି ସେମାନଙ୍କୁ ସୁସ୍ଥ କରି ଘରକୁ ଫେରେଇଆଣିବାରେ ସେମାନଙ୍କ ଭୂମିକାକୁ ବର୍ଣ୍ଣନା କରାଯାଇନପାରେ । ଯେତେବେଳେ ଆମେ ଘର ଭିତରେ ନିଜ ପରିବାର ସହ ସୁରକ୍ଷିତ ଭାବରେ ଜୀବନ ଜିଉଁଥାଉ , ସେତେବେଳେ ସେମାନେ ଡ଼ାକ୍ତରଖାନାରେ ଆଉ ଜଣଙ୍କ ଜୀବନ ବଂଚେଇବାକୁ ଅହରହ ସଂଗ୍ରାମ ଜାରି ରଖିଥାନ୍ତି । ସେ ମଣିଷ ରୂପୀ ଭଗବାନ । ଅସୀମ ସାହସ ଓ ଧୈର୍ଯ୍ୟର ପରାକାଷ୍ଠା ଦେଖେଇବାରେ ଡ଼ାକ୍ତର ହିଁ ସର୍ବାଗ୍ରେ ରହିଥାନ୍ତି । ସୁତରାଂ ଆଜିର ଏ ବିପତ୍ତି ସମୟରେ ସେହି ଡ଼ାକ୍ତର ମାନଙ୍କୁ ଆମ ତରଫରୁ କୃତଜ୍ଞତା ଜଣାଇବା ସହ ସେମାନଙ୍କର ଏ ତ୍ୟାଗକୁ ସଲାମ କରୁଛୁ ।
ପୋଲିସ –
ସାଧାରଣ ଜନତାଙ୍କ ରକ୍ଷାକବଚ କହିଲେ ତାଙ୍କୁ ଅତ୍ୟୁକ୍ତି ହେବ ନାହିଁ । ଖାକି ପୋଷାକରେ ଦେଶକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞାବଦ୍ଧ ଥାଆନ୍ତି ସେମାନେ । ତାଙ୍କରି ପାଇଁ ଜନଜୀବନ ସୁରକ୍ଷିତ ରହେ । ସେ ହେଉଛନ୍ତି ପୋଲିସ । କରୋନାର କାୟା ଯେବେଠାରୁ ବିସ୍ତାର ହେଲାଣି ସେବେଠୁ ପୋଲିସ ନିରନ୍ତର ଭାବେ ସେବା ଯୋଗାଇଚାଲିଛନ୍ତି । ଏକ ଅଦମ୍ୟ ସାହାସ ଓ ତ୍ୟାଗର ମାନସିକତା ନେଇ ଦିନରାତି ଏକ କରି ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଉଛନ୍ତି । ଡ଼ହଡ଼ହ ଖରାରେ ବି ଖାତିର ନକରି ଗାଁ ଠୁ ସହର ପଇଁତରା ମାରି ଲୋକଙ୍କୁ ସତର୍କ କରାଉଛନ୍ତି । ଅସହାୟଙ୍କୁ ସହଯୋଗ କରୁଛନ୍ତି । ସାଧାରଣ ଲୋକଙ୍କୁ କରୋନାକୁ ମୁକାବିଲା କରିବା ନିମନ୍ତେ ସାହସ ଯୋଗାଉଛନ୍ତି । ଏପରି ସ୍ଥିତିରେ ଦେଶରେ କରୋନାକୁ ପ୍ରତିହତ କରିବା ପାଇଁ ଲକଡ଼ାଉନ ଘୋଷଣା ହୋଇଥିବା ବେଳେ ଏପରି ତାଲାବନ୍ଦ ପରିସ୍ଥିତିରେ ପୋଲିସ ମାନଙ୍କ ଭୂମିକା ଆଉ ଟିକେ ଅଧିକ ବଢ଼ିଯାଇଛି । ଅମାନିଆକୁ ସାବାଡ଼ କରିବା ସହ ସବୁବର୍ଗର ଲୋକଙ୍କୁ ସଚେତନ କରାଇବାର ଦାୟିତ୍ୱ ନେଇଛନ୍ତି ପୋଲିସ୍ । ଆପଣମାନଙ୍କ ଏ ନିଷ୍ଠାପର ସହଯୋଗକୁ ଆମେ ନମନ କରୁଛୁ ।
ସଫେଇ କର୍ମଚାରୀ –
ରାତି ପାହିଲେ ସହରାଂଚଳର ରାସ୍ତାକୁ ପରିଷ୍କାର ରଖିବା ପାଇଁ ବାହାରିଆସନ୍ତି ସଫେଇ କର୍ମଚାରୀ । ସ୍ୱଚ୍ଛ ଆଉ ନିର୍ମଳ ପରିବେଶର ସାଧକ ହେଉଛନ୍ତି ଏମାନେ । ଯେକୌଣସି କାର୍ଯ୍ୟ ଥାଉ ପେଉ ସକାଳ ହେବା ମାତ୍ରେ ଏମାନେ ଲାଗିପଡ଼ନ୍ତି ନିଜ କାର୍ଯ୍ୟକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ । ମନ ଭିତରେ ସେହି ନିଷ୍ପାପ ଚେହେରା ସହ ଆଗେଇ ଆସନ୍ତି ଏହି ସଫେଇ କର୍ମଚାରୀ ବୃନ୍ଦ । ଏମିତିକି କରୋନା ସାରା ବିଶ୍ୱରେ ମୃତ୍ୟୁର ମାୟାଜାଲ ରଚିଥିଲେ ସୁଦ୍ଧା ଏମାନେ ନିଜ କର୍ତ୍ତବ୍ୟରୁ ଓହରି ନାହାନ୍ତି । ଅନ୍ୟ ପଟରେ କରୋନାକୁ ନେଇ ସ୍ୱଚ୍ଚ ପରିବେଶର ଆବଶ୍ୟକତା ଥିବା ଅନୁଭବ କରି ପ୍ରତିଦିନ ସକାଳୁ ଏମାନେ ନିଜ କାର୍ଯ୍ୟ କରିଥାନ୍ତି । ଘରେ ପରିବାର ଥିବା ସତ୍ତ୍ୱେ ନିଜ ନିତିଦିନିଆ କାମରୁ ଟିକିଏ ବିଶ୍ରାମ ନିଅନ୍ତିନି ବରଂ ନିଜ ସ୍ୱାର୍ଥ ଅପେକ୍ଷା ରାଜ୍ୟ ଆଉ ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାନ୍ତି ।
ଜନସାଧାରଣ –
ଲୋକଙ୍କୁ ନେଇ ସରକାର । ଲୋକଙ୍କୁ ନେଇ ବିଶ୍ୱ । ଲୋକଙ୍କୁ ନେଇ ସମାଜ । ଜନସାଧାରଣଙ୍କ ସହଯୋଗରେ ହିଁ ସରକାର କିଛି ଯୋଜନା ପ୍ରସ୍ତୁତ କରିଥାନ୍ତି । ଏପରି ଏକ କଠିନ ସମୟରେ ଜନସାଧାରଣ ବି ଜଣେ ଜଣେ ଅøଲି ଯୋଦ୍ଧା । ଯଦି ଲୋକ ସରକାରଙ୍କ କଥା ନ ମାନିବେ , ଯଦି ଲୋକେ ପୋଲିସର କଥା ନ ଶୁଣେିବ , ଡ଼ାକ୍ତରଙ୍କ ପରାମର୍ଶ ନନେବ , ତେବେ ସବୁକିଛି ବୃଥା ହୋଇଯିବ । କିନ୍ତୁ ଆଜିର ଦିନରେ ସରକାରଙ୍କ ଲକଡ଼ାଉନକୁ ସମର୍ଥନ ଆଉ ସହଯୋଗ ଜଣାଇଛନ୍ତି ସାଧାରଣଜନତା । ସଚେତନ ହୋଇଛନ୍ତି ଏବଂ ଆଉ କିଛି ଜଣଙ୍କୁ ସତର୍କ ବି କରାଉଛନ୍ତି । ସରକାରଙ୍କୁ ସହଯୋଗ କରିବାକୁ ଅନ୍ୟ ମାନଙ୍କୁ ପରାମର୍ଶ ବି ଦେଉଛନ୍ତି । ଏମାନେ ବି କରୋନା ଯୁଦ୍ଧର ଜଣେ ଜଣେ ଅସଲି ଯୋଦ୍ଧା ।