ପୁଣି ଫସିଲେ NCBର ପୂର୍ବତନ ଜୋନାଲ ଡାଇରେକ୍ଟର ୱାଙ୍ଖେଡ଼େ, ବେଆଇନ ବାର ଲାଇସେନ୍ସ ମାମଲାରେ ଦାଖଲ ହେଲା FIR

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ଼େଙ୍କ ପାଇଁ ପୁଣି ଏକ ସମସ୍ୟା ସୃଷ୍ଟି ହୋଇଛି । ବେଆଇନ ବାର ଲାଇସେନ୍ସ ମାମଲାରେ ସମୀରଙ୍କ ନାମରେ ଏଫଆଇଆର ଦାୟର ହୋଇଛି । କିଛିଦିନ ପୂର୍ବରୁ ମହାରାଷ୍ଟ୍ରର ଏନସିପି ନେତା ନବାବ ମଲ୍ଲିକ ସମୀରଙ୍କ ନାମରେ ଅଭିଯୋଗ ଆଣିଥିଲେ । ସମୀରଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ସେ ନବୀ ମୁମ୍ବାଇରେ ଏକ ବାର ଲାଇସେନ୍ସ ହାସଲ କରିଥିବା ମଲ୍ଲିକ ଦର୍ଶାଇଥିଲେ । ତେବେ ୱାଙ୍ଖେଡ଼େଙ୍କ ନାମରେ ଆସିଥିବା ଏହି ମାମଲାରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଏଥିପାଇଁ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ ।

ତେବେ ପ୍ରାଥମିକ ଯାଞ୍ଚରୁ ସ୍ପଷ୍ଟ ହୋଇଛି ଯେ, ଗତ ୧୯୯୭ ମସିହା ଅକ୍ଟୋବର ମାସ ୨୭ ତାରିଖରେ ସମୀରଙ୍କୁ ବାର ଓ ରାସ୍ତୋରାଁ ପାଇଁ ଲାଇସେନ୍ସ ଦିଆଯାଇଥିଲା । ସେ ସମୟରେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ସେ ଲାଇସେନ୍ସ ହାସଲ କରିବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଉଲ୍ଲେଖ କରିଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ସମୀରଙ୍କ ବାର ଓ ରେସ୍ତୋରାଁ ଲାଇସେନ୍ସକୁ ଥାନେ ଜିଲ୍ଲା କଲେକ୍ଟର ରଦ୍ଦ କରିଦେଇଥିଲେ । ନବୀ ମୁମ୍ବାଇ ଅଞ୍ଚଳରେ ଥିବା ବାଶି ରେ ସଦଗୁରୁ ଫ୍ୟାମିଲି ବାର ଓ ରେସ୍ତୋରାଁର ମାଲିକ ହେଉଛନ୍ତି ସମୀର ।

ଏହାପୂର୍ବରୁ ସମୀରଙ୍କ ନାମରେ ଭ୍ରଷ୍ଟାଚାର ଆରୋପ ଲାଗିଥିଲା । ଡ୍ରଗ୍ କ୍ରୁଜ ମାମଲାର ତଦନ୍ତ ସମୟରେ ଚର୍ଚ୍ଚାକୁ ଆସିଥିଲେ ସମୀର । ବଲିଉଡ ଅଭିନେତା ଶାହରୁଖଙ୍କ ପୁତ୍ର ଆର୍ଯ୍ୟନଙ୍କୁ ମୁକ୍ତ କରିବା ପାଇଁ ସମୀର ୧୮ କୋଟିର ଡିଲ୍ କରିଥିବା ଅଭିଯୋଗ ହୋଇଥିଲା । ଏଥିସହ ସମୀର ନକଲି ଜାତି ପ୍ରମାଣପତ୍ର ଦାଖଲ କରି ଏନସିବିରେ ଚାକିରି କରିଥିବା ମଲ୍ଲିକ ଅଭିଯୋଗ କରିଥିଲେ ।