ମୁମ୍ୱାଇ: ଆପଣମାନଙ୍କ ମଧ୍ୟରୁ ଏମିତି ଅନେକ ଜଣ ଥିବେ ଯିଏ ପାରାମାନଙ୍କୁ ଖାଇବାକୁ ଦେବାକୁ ପସନ୍ଦ କରୁଥିବେ। ହେଲେ ଥରେ ଭାବନ୍ତୁତ ଯଦି ପାରାମାନଙ୍କୁ ଖାଇବା ଦେବା ଅଭିଯୋଗରେ ତୁମ ନାଁରେ ଥାନାରେ FIR ରୁଜ୍ଜୁ କରାଯାଏ। ତାହାଲେ କ’ଣ ଆପଣ ଆଉ ପାରାଙ୍କୁ ଖାଇବାକୁ ଦେବେ।
କଥାଟି ଶୁଣି ନିଶ୍ଚିତ ଭାବରେ ଆପଣ ବୁଝି ପାରୁନଥିବେ। କାରଣ ଏପରି ଘଟଣା ଆଗରୁ କେହି କେବେ ଶୁଣିନଥିବେ କି ଦେଖି ମଧ୍ୟ ନଥିବେ। ହେଲେ ଏବେ ଏହି କଥା ସତ ହୋଇଛି। ପାରାକୁ ଦାନା ଦେବାରୁ FIR ରୁଜୁ ହୋଇଛି।
ପାରାକୁ ଖାଇବାକୁ ଦେବାରୁ FIR: ମୁମ୍ବାଇର ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି। ପାରାମାନଙ୍କୁ ଖାଇବାକୁ ଦେବାରୁ ଜଣେ ବ୍ୟକ୍ତିଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି।
ଏହି ମାମଲା ମାହିମ ପୋଲିସ ଷ୍ଟେସନରେ ରୁଜୁ ହୋଇଛି। ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ବାଇକରେ ଆସି ପାରାମାନଙ୍କୁ ଖାଇବାକୁ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତଙ୍କ ପରିଚୟ ମିଳି ନଥିବାରୁ ଜଣେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି। ବମ୍ବେ ହାଇକୋର୍ଟର ସାମ୍ପ୍ରତିକ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଯେଉଁଥିରେ କୋର୍ଟ ଖୋଲାରେ ପାରାମାନଙ୍କୁ ଖାଇବାକୁ ଦେବା ଉପରେ ନିଷେଧ କରିବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଦେଶର ପ୍ରଥମ ମାମଲା: ଏହା ଦେଶର ପ୍ରଥମ ମାମଲା ଯେଉଁଥିରେ ପୋଲିସ ପାରାଙ୍କୁ ଖାଇବାକୁ ଦେବା ପାଇଁ ଏଫଆଇଆର ରୁଜୁ କରିଛି। ମୁମ୍ବାଇ ପୋଲିସ ମାହିମ ଅଞ୍ଚଳରେ ପ୍ରଥମ ଏଫଆଇଆର ରୁଜୁ କରିଛି।
ଯାହା ଫଳରେ ପ୍ରଶାସନ ଏବେ ଏହି ପ୍ରସଙ୍ଗରେ ଅଧିକ କଠୋର ମନୋଭାବ ଗ୍ରହଣ କରୁଛି। ଜୁଲାଇ ୩୦ ତାରିଖରେ ବମ୍ବେ ହାଇକୋର୍ଟ ପଶୁପ୍ରେମୀଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଥିଲେ।
ଏହି ସମୟରେ କୋର୍ଟ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନକୁ ସାର୍ବଜନୀନ ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ବିରୁଦ୍ଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଏମସିକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହା ସହିତ ସହରର ପାରା ଘରଗୁଡ଼ିକରେ ପାରାମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଏବଂ କଡ଼ା ପଦକ୍ଷେପ କାର୍ଯ୍ୟକାରୀ କରିବାକୁ କୋର୍ଟ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପରେ ହାଇକୋର୍ଟ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ ଯେ ଯଦି କେହି ଏହାର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରେ, ତେବେ ପାରାମାନଙ୍କୁ ଖାଦ୍ୟ ଦେଉଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।