fbpx

Vikram-S Mission: ମହାକାଶ ଗବେଷଣାରେ ଇତିହାସ ରଚିଲା ଭାରତ, ଲଞ୍ଚ ହେଲା ଦେଶର ପ୍ରଥମ ଘରୋଇ ରକେଟ୍

ନୂଆଦିଲ୍ଲୀ: ଆଜି ସାରା ଭାରତବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ସଫଳତାର ସହ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ଏହି ରକେଟ ଲଞ୍ଚ କରିଛି । ଏହାଦ୍ୱାରା ଭବିଷ୍ୟତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହାୟତାରେ ଅଧିକରୁ ଅଧିକ ସାଟେଲାଇଟ ଲଞ୍ଚ କରିବା ସମ୍ଭବ ହେବ । ଅର୍ଥାତ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ପରି ଭାରତ ଏବେ ଘରୋଇ ରକେଟ୍ ଉଡ଼ାଣ ଭରି ପାରିବ ।

ପ୍ରଥମ ଥର ପାଇଁ ଦେଶର ଏକ ଘରୋଇ ସ୍ପେସ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିବା ରକେଟ ବିକ୍ରମ-ଏସ ସଫଳତାର ସହିତ ଉତକ୍ଷେପଣ ହୋଇଛି । ଏହି ମହାକାଶ ପ୍ରୋଗ୍ରାମ ଦ୍ୱାରା ଭାରତକୁ ଏକ ବଡ଼ ସଫଳତା ମିଳିଛି । ଶ୍ରୀହରୀକୋଟା ସ୍ଥିତ ସତୀଶ ଧାବନ ସ୍ପେସ ସେଣ୍ଟର ଆଜି ସକାଳ ୧୧.୩୦ରେ ମହାକାଶ ଦୁନିଆରେ ଏକ ନୂଆ ଇତିହାସ ଲେଖିବାରେ ସକ୍ଷମ ହୋଇଥିଲା । ହାଇଦ୍ରାବାଦର ଘରୋଇ ମହାକାଶ କମ୍ପାନୀ ସ୍କାଇରୁଟ ଏରୋସ୍ପେସର ରକେଟ ବିକ୍ରମ-ଏସ ଉଡ଼ାଣ ଭରିଥିଲା । ଶବ୍ଦର ବେଗଠାରୁ ପାଞ୍ଚଗୁଣ ଅଧିକ ସ୍ପିଡ ଅର୍ଥାତ ହାଇପରସୋନିକ ସ୍ପିଡରେ ରକେଟ ମହାକାଶ ଅଭିମୁଖେ ଯାତ୍ରା କରିଥିଲା ।

ସ୍କାଇରୁଟ ଏକ ଚାରିବର୍ଷର ପୁରୁଣା କମ୍ପାନୀ ହୋଇଥିବା ବେଳେ ଏହି ରକେଟ ଲଞ୍ଚ କରିବା ପାଇଁ ଇସ୍ରୋ ସହଯୋଗ କରିଥିଲା । ଏହି ମିଶନକୁ ‘ପ୍ରାରମ୍ଭ ମିଶନ’ ନାମ ଦିଆଯାଇଛି । ଏହା ଏକ ଟେଷ୍ଟ ଫ୍ଲାଇଟ ବୋଲି କମ୍ପାନୀର ସିଇଓ ଓ ସହପ୍ରତିଷ୍ଠାତା ପବନ କୁମାର ଚାନ୍ଦନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିକ୍ରମ-ଏସର ଉଡ଼ାଣ ଭରିବା ପାଇଁ ଇସ୍ରୋ ୱିଣ୍ଡୋ ନିର୍ଦ୍ଧାରଣ କରିଥିଲା । ପ୍ରସିଦ୍ଧ ଭାରତୀୟ ବୈଜ୍ଞାନିକ ଓ ଇସ୍ରୋର ପ୍ରତିଷ୍ଠାତା ଡା. ବିକ୍ରମ ସାରାଭାଈଙ୍କ ନାମାନୁସାରେ ଏହି ରକେଟର ନାମ ରଖାଯାଇଥିଲା । ନିକଟରେ ଇସ୍ରୋ ମୁଖ୍ୟ ଡା. ଏସ. ସୋମନାଥ ସ୍କାଇରୁଟ କମ୍ପାନୀର ମିଶନ ପ୍ରାରମ୍ଭର ପ୍ୟାଚକୁ ଅନାବରଣ କରିଥିଲେ ।

ବିକ୍ରମ-ଏସ ରକେଟରେ ଦୁଇଟି ଦେଶୀ ଓ ଗୋଟିଏ ବିଦେଶୀ ପେଲୋଡସ ପଠାଯାଇଛି । ଛଅ ମିଟର ଉଚ୍ଚତା ବିଶିଷ୍ଟ ଏହି ରକେଟ ବିଶ୍ୱର ପ୍ରଥମ ଅଲ କମ୍ପୋଜିଟ୍ ରକେଟ । ସ୍ପିନ କାପାବିଲିଟିକୁ ସମ୍ଭାଳିବା ପାଇଁ ସେଥିରେ ଥ୍ରୀଡି-ପ୍ରିଣ୍ଟେଡ ସଲିଡ ଥ୍ରଷ୍ଟର୍ସ ଲାଗିଛି । ଇସ୍ରୋ ମୁଖ୍ୟଙ୍କ ଡା. ଚାନ୍ଦନା କହିଛନ୍ତି, ଦେଶର ପ୍ରଥମ ଘରୋଇ ସ୍ପେସ କମ୍ପାନୀ ଭାବେ ସ୍କାଇରୁଟ ଏକ ବଡ଼ ସଫଳତା ହାସଲ କରିଛି । ଏହି ସଫଳତା ଦ୍ୱାରା ଭାରତ ଏବେ ଘରୋଇ ସ୍ପେସ କମ୍ପାନୀ ଦ୍ୱାରା ରକେଟ ଲଞ୍ଚିଂ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ମଧ୍ୟରେ ନିଜକୁ ସାମିଲ କରିପାରିଛି । ଏହି ରକେଟ ସମ୍ପୂର୍ଣ୍ଣ ଭାବେ କାର୍ବନ ଫାଇବରରେ ନିର୍ମିତ ହୋଇଛି ।

Get real time updates directly on you device, subscribe now.