fbpx

ସ୍ୱାସ୍ଥ୍ୟସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ: ଏସସିବିରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’, ୭ ଦିନ ମଧ୍ୟରେ ଆସିବ ମେଶିନ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ । ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’ ଏସସିବିରେ ପ୍ରତିଷ୍ଠା ହେବ । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସବିସିରେ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଥିବା ବେଳେ ସେଥିପାଇଁ ଅସ୍ଥିଶଲ୍ୟ ବିଭାଗର ଭିତ୍ତିଭୂମି ପ୍ରସ୍ତୁତ ହୋଇରହିଛି । ଆସନ୍ତା ୧ ସପ୍ତାହ ମଧ୍ୟରେ ବୋନ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ମେଶିନ୍ ଅଣାଯିବ ବାଲି ବିଭାଗର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି ।

ଆସନ୍ତା ୧ ମାସ ମଧ୍ୟରେ ଏସସିବିରେ ବୋନ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି । ପୂର୍ବରୁ ଅସ୍ତ୍ରୋପଚାର ସମୟରେ ଫିଙ୍ଗି ଦିଆଯାଉଥିବା ହାଡ଼କୁ ଏଣିକି ଗଚ୍ଛିତ କରି ରଖାଯିବ । ପରବର୍ତ୍ତୀ ସମୟରେ ଉକ୍ତ ହାଡ଼କୁ ଅନ୍ୟ ରୋଗୀଙ୍କ ଶରୀରେ ପ୍ରତିରୋପିତ କରାଯିବ । ଫଳରେ ଏଣିକି ରକ୍ତ ଭଳି ହାଡ଼ ବି ମିଳିପାରିବ । ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ବ୍ୟବସ୍ଥା କରାଯାଉଥିବାରୁ ଏହାଦ୍ୱାରା ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ ।

ବୋନ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଏସିବିରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଥିବା ବେଳେ ସେଥିପାଇଁ ଜଣେ ଡାଟା ଏଣ୍ଟ୍ରି ଅପରେସନଟଙ୍କୁ ନିଯୁକ୍ତି ଦିଆଯାଇଛି । ସାଧାରଣ ଭାବେ ଦୁର୍ଘଟଣା, କର୍କଟ ରୋଗୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କାଟି ହାଡ଼କୁ ଫିଙ୍ଗି ଦିଆଯାଇଥାଏ । ଏଣିକି ଉକ୍ତ ହାଡ଼କୁ ଆଉ ନ ଫିଙ୍ଗି ସଂରକ୍ଷିତ କରି ରଖାଯିବ । ଅନେକ ସମୟରେ ଦୁର୍ଘଟଣାରେ ଅନେକ ଲୋକଙ୍କର ହାଡ଼ ଗୁଣ୍ଡ ହୋଇଯାଇଥାଏ । ଏପରି ସ୍ଥିତିରେ ଗଚ୍ଛିତ ହାଡ଼ କାମରେ ଆସିପାରିବ । ବୋନ ବ୍ୟାଙ୍କରେ ଅସୀମିତ ସମୟ ପାଇଁ ହାଡ଼କୁ ସଂରକ୍ଷିତ କରି ରଖାଯାଇ ପାରିବ । ସୂଚନା ଯୋଗ୍ୟ ଯେ, ବୋନ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଥିବା ବେଳେ ଗତ ମେ ମାସରେ ମେସିନ ଆଣିବା ପାଇଁ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା ।

Get real time updates directly on you device, subscribe now.