fbpx

ଭାରତର ପ୍ରଥମ ଭୋଟର ଏଥର ଘରୁ ଦେଲେ ଭୋଟ୍: ବୟସ ୧୦୫ ବର୍ଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଆଗାମୀ ୧୨ ନଭେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ । ଏହାର ଫଳାଫଳ ୮ ଡିସେମ୍ବରରେ ଘୋଷଣା କରାଯିବ । ଏହାରି ମଧ୍ୟରେ ସ୍ୱାଧୀନତା ପରେ ଭାରତର ପ୍ରଥମ ମତଦାତା ଶ୍ୟାମ ସରଣ ନେଗୀ ବୁଧବାର ଦିନ କିନ୍ନୌର ଜିଲ୍ଲାର କଳ୍ପାରେ ନିଜ ଘରେ ବାଲାଟ୍ ପେପରରେ ଭୋଟ୍ ଦେଇଛନ୍ତି । ପ୍ରଶାସନ ଦ୍ୱାରା ତାଙ୍କ ପାଇଁ ଖାସ୍ ବ୍ୟବସ୍ଥା କରାଯାଇଥିଲା ଓ ଭୋଟ୍ ଦେବା ପରେ ନେଗୀଙ୍କୁ ଫୁଲ ଦେଇ ସମ୍ମାନିତ କରାଯାଇଥିଲା । ଜୁଲାଇ ୧୯୧୭ ଜନ୍ମ ହୋଇଥିବା ଶ୍ୟାମ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତରେ ପ୍ରଥମ ଭୋଟ୍ ଦେଇଥିଲେ ।

ତେବେ ବୟସ୍କ ଓ କୋଭିଡ ସଂକ୍ରମିତ ଭୋଟରଙ୍କ ପାଇଁ ଖାସ୍ ବ୍ୟବସ୍ଥା କରିଛି ନିର୍ବାଚନ ଆୟୋଗ । ଯାହାକୁ ଦୃଷ୍ଟିରେ ରଖି ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କୁ ଘରୁ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଭୋଟରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫର୍ମ-୧୨ଡି ଦିଆଯାଉଛି, ଯାହାଫଳରେ ସେମାନେ ଘରୁ ହିଁ ମତଦାନ କରିପାରିବେ । ଏହି ଫର୍ମର ବ୍ୟବହାର କରି ୧୦୫ ବର୍ଷୀୟ ନେଗୀ ଭୋଟ୍ ଦେଇଛନ୍ତି ।

Get real time updates directly on you device, subscribe now.