fbpx

କଂଗ୍ରେସ ହାତରୁ ଚାଲିଯିବ ରାଜସ୍ଥାନ? କ୍ଷମତାସୀନ ଦଳର ବିଫଳତା ପାଇଁ ୫ଟି ବଡ଼ କାରଣ ଦାୟୀ

ନୂଆଦିଲ୍ଲୀ: ଦେଶର ୪ଟି ବିଧାନସଭା ଭୋଟ ଗଣତି ଜାରି ରହିଛି । ଏହା ମଧ୍ୟରେ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚକିତ କରିଦେଇଛି । ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୦ଟି ଆସନ ଜିତି ବିଜେପିକୁ ବ୍ୟାକଫୁଟକୁ ଠେଲିଦେଇ ରାଜ୍ୟରେ ସରକାର ଗଠନ କରିଥିଲା । ତେବେ ସଦ୍ୟ ଭୋଟ ଗଣତି ମୁତାବକ, ଭୋଟ ହୋଇଥିବା ୧୯୯ଟି ଆସନ ମଧ୍ୟରୁ ବିଜେପି ୧୧୮ଟିରେ ଆଗରେ ରହିଥିବା ବେଳେ କଗ୍ରେସ ମାତ୍ର ୬୫ଟି ଆସନରେ ଆଗରେ ରହିଛି ।

ତେଣୁ ଏହି ଫଳାଫଳକୁ ସମୀକ୍ଷା କଲେ ଏହା ସ୍ପଷ୍ଟ ହୁଏ ଯେ, ଏଥର ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା କାଠିକର ପାଠ ହୋଇପାରେ । ଯଦିଓ ବର୍ତ୍ତମାନ ସୁଦ୍ଧା ଗଣତି ଜାରି ରହିଛି ତଥାପି ଏତେ ବଡ଼ ଭୋଟ ବ୍ୟବଧାନକୁ ପାର କରିବା କଂଗ୍ରେସ ପାଇଁ ନିଶ୍ଚିତ ଭାବେ ମୁସ୍କିଲ ହୋଇପାରେ । ତେଣୁ ଏବେଠାରୁ କିଛି କହିବା ଠିକ୍ ହେବ ନାହିଁ । ତଥାପି ଦଳର ବିଫଳତା ଉପରେ ନଜର ପକାଇବାର ସମୟ ଆସିଯାଇଛି ।

୧- ଗତ କିଛିମାସ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଦେଖିବାକୁ ମିଳିଥିଲା । ଏହା ନିଶ୍ଚିତ ଭାବେ ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇ ଥାଇପାରେ ।

୨- ରାଜ୍ୟରେ ଗେହଲଟ ବନାମ ନରେନ୍ଦ୍ର ମୋଦୀ ଲଢ଼େଇ ଦେଖିବାକୁ ମିଳିଥିଲା, ଯାହାକି କଂଗ୍ରେସକୁ ଭାରି ପଡ଼ିଥିଲା । କଂଗ୍ରେସର ଜାତିଗତ ଜନଗଣନା ପ୍ରସଙ୍ଗକୁ ବ୍ରାଣ୍ଡ ମୋଦୀଙ୍କ ଚେହେରା ମାତ୍ ଦେଇଥିଲା । ମୋଦୀ କ୍ରମାଗତ ଭାବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ରାହୁଲ ଗାନ୍ଧି ସେତେଟା ସକ୍ରିୟ ରହିନଥିଲେ ।

୩- ଉଦୟପୁରର କହ୍ନେୟାଲାଲ ହତ୍ୟାକାଣ୍ଡ ପ୍ରସଙ୍ଗକୁ ବିଜେପି ବଡ଼ କରି ଉଠାଇଥିଲା । ଏହି ହତ୍ୟାକାଣ୍ଡକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା । କଂଗ୍ରେସର ବିଫଳତା ପାଇଁ ତାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୁହାଯାଉଛି ।

୪- ନିର୍ବାଚନୀ ବର୍ଷରେ ଗେହଲଟ ଗୋଟିଏ ପରେ ଗୋଟିଏ ଯୋଜନା ଲାଗୁ କରିଥିଲେ । ତେବେ ତାହା ଓଲଟା ଫଳ ଦେଇଥିଲା । ଶସ୍ତା ଗ୍ୟାସ ସିଲିଣ୍ଡର ସମେତ ଅନେକ ଲୋଭନୀୟ ଯୋଜନା, ପେପର ଲିକ, ଲାଲ ଡାଏରୀ ଆଦିରେ ଭ୍ରଷ୍ଟାଚାର ଅଭିଯୋଗ ଉଠିଥିଲା ।

୫- କଂଗ୍ରେସର ବିଫଳତା ପାଇଁ ବିଦ୍ରୋହୀ ନେତାମାନେ ଦାୟୀ ବୋଲି କୁହାଯାଉଛି । କଂଗ୍ରେସରୁ ଟିକେଟ ନ ମିଳିବା ପରେ ଅନେକ ନେତା ବିଜେପିରେ ସାମିଲ ହେବା ସହିତ ଆଉ କିଛି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ।

Get real time updates directly on you device, subscribe now.