କାହିଁକି ଭାରତ-ଚୀନ ମଧ୍ୟରେ ସର୍ବଦା ବିବାଦ ସୃଷ୍ଟି ହେଉଛି: ଚୀନ କ’ଣ ପାଇଁ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି, ସବୁରି ମୂଳରେ ଏଇ ୫ଟି ମୁଖ୍ୟ କାରଣ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ମୁହାଁମୁହିଁ ଯୋଗୁଁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଛନ୍ତି । ଦୁଇପକ୍ଷର ଏକାଧିକ ବୈଠକ ଓ କିଛିଦିନର ନିରବତା ପରେ ପୁଣି ଇଣ୍ଡୋ-ଚୀନ ବର୍ଡର ଅଶାନ୍ତ ହୋଇ ଉଠିଛି । ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଥିବା ଭାରତୀୟ ଗୁଇନ୍ଦା ବିଭାଗକୁ ସୂଚନା ମିଳିସାରି ଥିବାରୁ ଭାରତ ଏଥିପାଇଁ ମଧ୍ୟ ସଜାଗ ରହିଛି । ଚୀନ ଗୁପ୍ତ ଭାବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭିତ୍ତିଭୂମି ସ୍ଥାପନ କରୁଛି । ଚୀନ ଲଦ୍ଦାଖରେ ବ୍ରିଜ ଓ ସୈନିକଙ୍କ ପାଇଁ ଶ୍ଲେଟର, ଡୋକଲାମରେ ଅବୈଧ ଗ୍ରାମ ନିର୍ମାଣ କରୁଥିବା ସାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି ।

ଭାରତର ଅନେକ ପଡ଼ୋଶୀ ରାଷ୍ଟ୍ର ରହିଥିଲେ ହେଁ ଚୀନ ଓ ପାକିସ୍ତାନ ସହ କେବେ ବି ବିବାଦ ତୁଟୁ ନାହିଁ । ପାକ୍ ଠାରୁ ଚୀନ ଅଧିକ ଭୟଙ୍କର ବୋଲି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ ଗତ ୧୯୯୮ ମସିହାରେ ସଂସଦରେ କହିଥିଲେ । ଭାରତ-ଚୀନ ମଧ୍ୟରେ ୩୪୮୮ କିମି ଦୂରତା ବିଶିଷ୍ଟ ସୀମାରେଖା ରହିଥିବା ବେଳେ ଏହା ମଧ୍ୟରେ ୨୫ଟି ପଏଣ୍ଟରେ ବିବାଦ ରହିଛି । ଏହାକୁ ନେଇ ବର୍ଷ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି ।

ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ମଧ୍ୟ ସୀମା ବିବାଦ ନେଇ ପୂର୍ବରୁ ଆଲୋଚନା ହୋଇ ହୋଇଥିଲା । ମାତ୍ର ଗୋଟିଏ ପଟେ ଚୀନ ଆଲୋଚନା କରୁଥିବା ବେଳେ ଅନ୍ୟପଟେ କଣ୍ଟାବାଡ଼ରେ ଲୁଗା ଛାଟି ଗଣ୍ଡଗୋଳ ସୃଷ୍ଟି କରିବାକୁ ପରୋକ୍ଷରେ ଆହ୍ୱାନ ଦେଉଛି । ଏଠାରେ ପ୍ରଶ୍ନ ଉଠେ, ଚୀନ ବାସ୍ତବିକ ଚାହୁଁଛି କ’ଣ । କ’ଣ ପାଇଁ ଏଇ ଦୋମୁହାଁ ନୀତି ଆପଣାଉଛି ଡ୍ରାଗନ ।

୧- ଗତ ୨୦୧୯ରେ ପିଏମ ମୋଦୀ ଅରୁଣାଚଳ ଗସ୍ତ କରି ୪ ହଜାର କୋଟିର ପ୍ରୋଜେକ୍ଟର ଶିଳାନ୍ୟାସ କରିଥିଲେ । ତାହାକୁ ନେଇ ଚୀନ କ୍ରୋଧାନ୍ୱିତ ହେବା ସହ ବିଳିବିଳେଇ ଥିଲା । କେନ୍ଦ୍ର ସରକାର ଭାରତ-ଚୀନ ସୀମାକୁ ମଜବୁତ କରିବା ଲକ୍ଷ୍ୟ ନେଇ ହିମାଳୟନ ବର୍ଡର ପରି କିଛି ନୂଆ ପଦକ୍ଷେପ ନେଇଛନ୍ତି । ଭାରତ-ଚୀନ ସୀମାରେ ୬୧ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ରହିଥିବା ବେଳେ ଗତବର୍ଷ ୧୫୩୦ କିମି ବିଶିଷ୍ଟ ୪୨ଟି ସଡ଼କର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଛି । ଅବଶିଷ୍ଟ ୭ ହଜାର କିମିର ୧୩୦ଟି ସଡ଼କର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ନିର୍ମାଣ କାର୍ଯ୍ୟ ଦୁଇ ରାଷ୍ଟ୍ର ମଧ୍ୟରେ ବିବାଦ ସୃଷ୍ଟି କରିବ ବୋଲି ଚୀନ ବୟାନ ଜାରି କରିଛି । ମାତ୍ର ଭାରତ ଉପରେ ଏହାର କୌଣସି ପ୍ରଭାବ ପକାଇ ପାରିନାହିଁ ।

୨- ଭାରତୀୟ ସେନାର ଶକ୍ତି ଗତ କିଛି ବର୍ଷ ମଧ୍ୟରେ କେତେଗୁଣ ବୃଦ୍ଧି ପାଇଛି । ଗ୍ଲୋବାଲ ଫାୟର ପାୱାର (ଜିଏଫପି) ବାର୍ଷିକ ପ୍ରତିରକ୍ଷା ରିଭ୍ୟୁ ମୁତାବକ, ରିଜର୍ଭ ସେନା ବଳଙ୍କୁ ମିଶାଇଲେ ଭାରତ ପାଖରେ ୫୧ ଲକ୍ଷରୁ ଅଧିକ ସୈନିକ ରହିଛନ୍ତି । ମାତ୍ର ଚୀନ ପାଖରେ ଏହି ସଂଖ୍ୟା ୩୧.୩୪ ଲକ୍ଷରେ ସୀମିତ ରହିଛି । କେନ୍ଦ୍ର ସରକାର ସେନାକୁ ନୂଆ ନୂଆ କ୍ଷମତାସମ୍ପନ୍ନ ହତିଆର ପ୍ରଦାନ କରି ମଡର୍ଣ୍ଣାଇଜ୍ କରୁଛନ୍ତି । କମ୍ବାଟ ଟ୍ୟାଙ୍କ ଫ୍ଲିଟ ସାଇଜ, ଟୋଡ ଆର୍ଟିଲରୀ, ସ୍ପେଶାଲ ଏୟାରକ୍ରାଫ୍ଟ, ଯୁଦ୍ଧପୋତ, ପଣ୍ଡୁବି, ୱାରଫେୟର ଶିପ, ଏୟାରକ୍ରାଫ୍ଟ କ୍ୟାରିୟର ଓ ଅତ୍ୟାଧୁନିକ ଟେକନିକରେ ଭାରତ ବିଶ୍ୱର ଟପ୍ ଆର୍ମିରେ ପରିଗଣିତ ହେଉଛି । ମଡର୍ଣ୍ଣାଇଜ୍ ପାଇଁ ୯୩ଟି ପ୍ରୋଜେକ୍ଟ ଉପରେ କାର୍ଯ୍ୟ ଚାଲିଛି । ଏଥିସହିତ କିଛି ନୂଆ ପ୍ରୋଜେକ୍ଟ ନେଇ ମଧ୍ୟ ଆଲୋଚନା ଚାଲିଛି ।

୩- ଚୀନକୁ ଅର୍ଥନୈତିକ କ୍ଷେତ୍ରରେ ଆଘାତ ଦେବା ତା’ ପାଇଁ ବହୁତ କ୍ଷତି ସାବ୍ୟସ୍ତ ହୋଇଛି । ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ ପାର୍ଟନରଶିପ୍ ମାଧ୍ୟମରେ ଚୀନର ଆର୍ଥିକ ଅଗ୍ରଗତି ଉପରେ ରୋକ ଲଗାଇବା ନେଇ ପ୍ରୟାସ ଜାରି ରହିଛି । କ୍ୱାଡ ଗ୍ରୁପରେ ଚୀନର ୪ଟି ବିରୋଧୀ ଦେଶ ରହିଥିବା ବେଳେ ଏହି ଦେଶମାନେ ପରସ୍ପର ମଧ୍ୟରେ ସପ୍ଲାଇ ଚେନ ପ୍ରସ୍ତୁତ କରି ଗ୍ରୀନ ଟେକ୍ନୋଲୋଜି ନେଇ ବୁଝାମଣା କରିବେ । ଚୀନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଭାରତର ଏହା ଏକ ବଡ଼ ପଦକ୍ଷେପ ଅଟେ ।

୪- କିଛି ମାସ ତଳେ ବିଶେଷଜ୍ଞଙ୍କ ଦ୍ୱାରା ଜାରି ଏକ ରିପୋର୍ଟ ଅନୁଯାୟୀ, ୟୁରୋପୀୟ କମ୍ପାନୀମାନେ ଏବେ ଚୀନ ଛାଡ଼ି ଭାରତ ଆଡ଼କୁ ଢଳୁଛନ୍ତି । ବ୍ଲୁମବର୍ଗର ରିପୋର୍ଟ ମୁତାବକ, ଗତ ଜୁଲାଇ ମାସ ସୁଦ୍ଧା ୨୩ ପ୍ରତିଶତ ୟୁରୋପୀ କମ୍ପାନୀ ଚୀନରୁ ବାହାରି ସାରିଛନ୍ତି । ଏହି କମ୍ପାନୀମାନେ ଏସିଆରେ ଭିଏତନାମ, ଇଣ୍ଡୋନେସିଆ ଓ ଭାରତ ଆସୁଛନ୍ତି । ଭାରତ ଏକ ବଡ଼ ବଜାର ହୋଇଥିବା ବେଳେ ଏଠାରେ ନିର୍ମିତ ସାମଗ୍ରୀର ବ୍ୟବହାର ଅଧିକ ହୋଇଥାଏ । ତେଣୁ ବିଦେଶୀ କମ୍ପାନୀମାନେ ଭାରତ ଆଡ଼କୁ ଅଗ୍ରସର ହେଉଥିବା ଦେଖାଯାଉଛି ।

୫- ଭାରତ ପଡ଼ୋଶୀ ଦେଶମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରୁଛି । କିଛି ଦେଶ ସଙ୍କଟରେ ପଡ଼ିଥିବା ବେଳେ ଭାରତ ସହାୟତାର ହାତ ବଢ଼ାଉଛି । ଚୀନକୁ ମାତ୍ ଦେବା ପାଇଁ ପିଏମ୍ ମୋଦୀଙ୍କ ବିଦେଶ ନୀତିରେ ‘ଅପନେ ପଡ଼ୋଶିୟୋଁ କେ ସାଥ ଅଚ୍ଛେ ରିସ୍ତେ ବନାନେ କୀ କୋଶିଶ’ ସାମିଲ ହୋଇଛି । ତେବେ ଭାରତର ପଡ଼ୋଶୀଙ୍କ ଉପରେ ମଧ୍ୟ ଚୀନର ନଜର ରହିଛି । ଏହି କ୍ରମରେ ଚୀନ ଜାଲରେ ଶ୍ରୀଲଙ୍କା, ମାଲଦୀପ, ନେପାଳ, ବାଂଲାଦେଶ ପଡ଼ି ଋଣ ଭାରରେ ଛଟପଟ ହେଉଛନ୍ତି । ଏପରି ସ୍ଥିତିରେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବା ଭାରତ ପାଇଁ ନିଶ୍ଚିତ ଭାବେ ମହତ୍ତ୍ୱପୂର୍ଣ୍ଣ ଅଟେ ।