fbpx

ଫ୍ଲିପକାର୍ଟରୁ ମଗାଇଲେ ଲ୍ୟାପଟପ୍, ହେଲେ ବାହାରିଲା ବଡ ପଥର, ଗ୍ରାହକଙ୍କ ଅକଲ ଗୁଡୁମ

ବେଙ୍ଗାଲୁରୁ: ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଗତ ଦିନରେ ବିଗ୍ ଦିଓ୍ଵାଲୀ ସେଲ୍ ସମାପ୍ତ ହୋଇଛି। ଏଥିରେ ଲକ୍ଷାଧିକ ଗ୍ରାହକ ଖୁବ୍ ସାମଗ୍ରୀ କିଣିଛନ୍ତି। କିନ୍ତୁ ଏହା ମଧ୍ୟରେ ଜଣେ ଗ୍ରାହକ ଠକେଇର ଶିକାର ହୋଇଥିବା ମାମଲା ସାମ୍ନାକୁ ଆସିଛି। କର୍ଣ୍ଣାଟକର ଜଣେ ଗ୍ରାହକ ଦାବି କରିଛନ୍ତି ଯେ, ସେ ଅନଲାଇନରେ ଲ୍ୟାପଟପ୍ ମଗାଇଥିଲେ। କିନ୍ତୁ ଲ୍ୟାପଟପ୍ ବଦଳରେ ତାଙ୍କୁ ପାର୍ସଲରୁ ବଡ ପଥର ମିଳିଛି। ବେଳେ ବେଳେ ଏମିତି ମାମଲା ଲୋକଲୋଚନକୁ ଆସିଛି। ଏହି କାରଣରୁ ଇ-କମର୍ସ ସାଇଟ୍ ଓପନ ବକ୍ସ ଡେଲିଭରୀ ପରି ସୁବିଧା ଦେଉଛନ୍ତି।

ଚିନ୍ମୟ ରମାନା ନାମକ ଗ୍ରାହକ ଦାବି କରିଛନ୍ତି, ସେ ଅକ୍ଟୋବର ୧୫ରେ ନିଜ ବନ୍ଧୁଙ୍କ ପାଇଁ ….. ଗେମିଂ ଲ୍ୟାପଟପ୍ ଅର୍ଡର କରିଥିଲେ। ତାଙ୍କ ନିକଟରେ ଫ୍ଲିପକାର୍ଟର ମେମ୍ବରସିପ୍ ମଧ୍ୟ ରହିଛି। ଡେଲିଭରୀ ଅକ୍ଟୋବର ୨୦ରେ କରାଗଲା। ହେଲେ ବକ୍ସ ଖୋଲିବା ମାତ୍ରରେ ଗେମିଂ ଲ୍ୟାପଟପ୍ ବଦଳରେ ପଥର ଏବଂ ଆବର୍ଜନା ମିଳିଥିଲା। ଗ୍ରାହକଙ୍କ ପକ୍ଷରୁ ଏହାର ଅନେକ ଫଟୋ ସେୟାର କରାଯାଇଛି।

ଗ୍ରାହକ ଓପନ ବକ୍ସ ଡେଲିଭରୀ ସୁବିଧା ନନେବାର ଭୁଲ୍ କଲେ
ଫ୍ଲିପକାର୍ଟ ତରଫରୁ ନିକଟରେ ଗ୍ରାହକଙ୍କ ପାଇଁ ଓପନ ବକ୍ସ ଡେଲିଭରୀ ସୁବିଧା ଆରମ୍ଭ କରାଯାଇଛି। ଯଦ୍ଵାରା ଗ୍ରାହକ ସୁନିଶ୍ଚିତ ହୋଇ ପାରିବେ ଯେ, ସେ ଅର୍ଡର କରିଥିବା ଜିନିଷ ତାଙ୍କୁ ମିଳିଲା କି ନାହିଁ। ମେସେଜରେ ଆସୁଥିବା ଓଟିପି ଡେଲିଭରୀ ଏଜେଣ୍ଟକୁ ଦେବା ପୂର୍ବରୁ ଗ୍ରାହକ ପାର୍ସଲ ଖୋଲି ପାରିବେ ଏବଂ ଠିକ୍ ଜିନିଷ ଆସିଛି କି ନାହିଁ ଦେଖି ପାରିବେ। ଚିନ୍ମୟ ବିନା ବକ୍ସ ଖୋଲି ଡେଲିଭରୀ ଗ୍ରହଣ କରିଥିଲେ ଏବଂ ଏଜେଣ୍ଟକୁ ଓଟିପି ଦେଇ ଦେଇଥିଲେ।

ଗ୍ରାହକ ବକ୍ସରେ ପଥର ମିଳିବା ପରେ ତୁରନ୍ତ ଏହାର ସୂଚନା ସେଲରଙ୍କୁ ଦେଇଥିଲେ ଏବଂ ରିଟର୍ଣ୍ଣ ରିକ୍ୟୁଷ୍ଟ ପଠାଇଥିଲେ। ହେଲେ ସେଲର ରିକ୍ୟୁଷ୍ଟ ଗ୍ରହଣ କରିନଥିଲେ। ସେଲରଙ୍କ କହିବା କଥା ତାଙ୍କ ପକ୍ଷରୁ ପଠାଯିବା ସମୟରେ ଜିନିଷ ବକ୍ସରେ ଥିଲା ଏବଂ ଏମିତି ସ୍ଥିତିରେ ରିଫଣ୍ଡ କିମ୍ବା ରିଟର୍ଣ୍ଣ କରାଯାଇ ପାରିବ ନାହିଁ। ଚିନ୍ମୟ ଆଶା ରଖିଛନ୍ତି ଯେ, ଫ୍ଲିପକାର୍ଟ ମାମଲାର ତଦନ୍ତ କରିବା ପରେ ଶୀଘ୍ର ତାଙ୍କର ସାହାଯ୍ୟ କରିବେ ଏବଂ ତାଙ୍କୁ ରିଫଣ୍ଡ ମିଳିଯିବ।

ଚିନ୍ମୟ କହିଛନ୍ତି, ମୁଁ ଫ୍ଲିପକାର୍ଟକୁ ସେହି ଦିନ ସମସ୍ତ ପ୍ରମାଣ ସହିତ ଏହି ସ୍କାମର ସୂଚନା ଦେଇଛି। ଅକ୍ଟୋବର ୨୩ରେ ତାଙ୍କ ନିକଟକୁ ମେଲ୍ ଆସିଥିଲା ଯେ, ସେଲର ରିଟର୍ଣ୍ଣ ରିକ୍ୟୁଷ୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ତାଙ୍କ ଦ୍ଵାରା ଠିକ୍ ପ୍ରଡକ୍ଟ ପଠାଯାଇଛି। କିନ୍ତୁ ଚିନ୍ମୟ ଦାବି କରିଛନ୍ତି ଯେ, ବକ୍ସ ଉପରେ ଲାଗିଥିବା ବାରକୋଡ୍ ଡ୍ୟାମେଜ ଥିଲା ଏବଂ ଏଥିରେ ଲାଗୁଥିବା ସମସ୍ତ ଷ୍ଟିକର୍ସ ହଟାଇ ଦିଆଯାଇଥିଲା।

Get real time updates directly on you device, subscribe now.