ଝଡ଼ ନାହିଁ କି ବର୍ଷା ନାହିଁ: ହଠାତ୍ ତଳକୁ ଖସିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିମାନ, ତଦନ୍ତ କରିବ DGCA

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ ଖସିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକତାରେ ବିମାନଟି ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ଖସିପଡ଼ିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଚାର୍ଟର୍ଡ ବିମାନକୁ ସାତ ହଜାର ଫୁଟରୁ ଦୁଇ ହଜାର ଫୁଟକୁ ଖସାଇ ଦିଆଯାଇଥିଲା । ଫଳରେ ମମତାଙ୍କ ଅଣ୍ଟାରେ ପ୍ରବଳ ଯନ୍ତ୍ରଣା ହେବା ସହ ସେ ପିଠିରେ ମଧ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡ଼ିଛି ।

ମମତା ରାଜ୍ୟ ସରକାରଙ୍କ ଚାର୍ଡର୍ଡ ଫାଲକନ୍ ବିମାନରେ ବାରାଣାସୀ ଯାତ୍ରା କରିଥିଲେ । ପ୍ରଥମ ଥର ପାଇଁ ମମତା ଉକ୍ତ ବିମାନରେ ଯାତ୍ରା କରିଥିଲେ । ତେବେ ସେଦିନ ଆକାଶ ଯଥେଷ୍ଟ ପରିସ୍କାର ଥିବା ସହ ଝଡ଼ କିମ୍ବା ବର୍ଷା ହୋଇନଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କର ବିମାନରେ କାହିଁକି ଏପରି ଅଘଟଣ ଦେଖାଦେଲା ତାହାକୁ ନେଇ ସମସ୍ତେ ହତବାକ୍ ହୋଇଯାଇଥିଲେ ।

ତେବେ ବିମାନଟି ହଠାତ୍ ଝଡ଼ର ସମ୍ମୁଖୀନ ହେବାରୁ ତାହାକୁ ପ୍ରାୟ ପାଞ୍ଚ ହଜାର ଫୁଟ ତଳକୁ ଖସାଇ ଦିଆଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ତେବେ ଅନ୍ୟ ଏକ ବଡ଼ ବିମାନ ମୁଖ୍ୟମନ୍ତ୍ରୀଙ୍କ ବିମାନ ସାମ୍ନାରେ ଅବତରଣ କରିବାରୁ ଏଭଳି ପରିସ୍ଥିତି ଦେଖାଦେଇଥିବା ଜଣାପଡ଼ିଥିଲା । ଏ ବାବଦରେ କୋଲକାତା ବିମାନ ବନ୍ଦର ପକ୍ଷରୁ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)କୁ ଅବଗତ କରାଯାଇଛି । ବିମାନରେ ପାଇଲଟ ଥିବା ବାପା ଓ ଝିଅ ଏବାବଦରେ ରିପୋର୍ଟ ଦାଖଲ କରିଛନ୍ତି । ପାଲଇଟଙ୍କ ରିପୋର୍ଟକୁ ଆଧାର କରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ ଆରମ୍ଭ କରିବ ବୋଲି କୁହାଯାଇଛି ।