fbpx

ରାଜ୍ୟର ବଡ଼ ବଡ଼ ନଦୀଗୁଡ଼ିକର ଜଳସ୍ତର କମୁଥିବାରୁ ବନ୍ୟା ପରିସ୍ଥିତି: ନିୟନ୍ତ୍ରଣରେ ଅଛି- ଜଳସଂପଦ ବିଭାଗର ସୂଚନା

ନୂଆଦିଲ୍ଲୀ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସୂଚନା ଅନୁଯାୟୀ, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟାସ୍ଥିତି ନିୟନ୍ତ୍ରଣରେ ରହିଛି। କୌଣସି ସ୍ଥାନରେ କିଛି ଅଘଟଣ ଘଟି ନଥିବାବେଳେ କେତୋଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ତେବେ ବର୍ଷା ପରିମାଣ ହ୍ରାସ ପାଇଥିବାରୁ
ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଜଳସ୍ତର କମିବାରେ ଲାଗିଛି।

କଟକ ଜିଲ୍ଲାର ମୁଣ୍ଡଳିଠାରେ ମହାନଦୀ ଜଳ ପ୍ରବାହ ୭ ଲକ୍ଷ କ୍ୟୁସେକ୍‍ ତଳେ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ପିପିଲି ବ୍ଲକ୍‍ ମାଧିପୁରଠାରେ ଦୟା ନଦୀର ଜଳସ୍ତର ବିପଦସଂକେତ ପାଖାପାଖି ପ୍ରବାହିତ ହେଉଛି । ସେହିପରି ଜିଲ୍ଲାର ଭାର୍ଗବୀ ନଦୀର ଜଳସ୍ତର ପିପିଲି ନିକଟ ହରିପୁରଠାରେ ବିପଦସଂକେତ ପାଖାପାଖି ପ୍ରବାହିତ ହେଉଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ସତ୍ୟବ୍ରତ ସାହୁଙ୍କ ସୂଚନା ଅନୁସାରେ, ଲଗାଣ ବର୍ଷାରେ ରାଜ୍ୟର ୧୨ଟି ଜିଲ୍ଳାର ୪୮୧ ଗାଁ ପ୍ରଭାବିତ ହୋଇଛି।

ବୈତରଣୀ ଓ ତାର ଶାଖାନଦୀ ବୁଢ଼ା ଏବଂ କାଣୀ ନଦୀରେ ବନ୍ୟାଜଳ ହ୍ରାସ ପାଉଥିବାବେଳେ କୋରେଇ, ଯାଜପୁର, ଦଶରଥପୁର ବ୍ଲକର ୨୦ଟି ଗାଁ ପାଣି ଘେରରେ ରହିଛି । ଆଜି ଦିନ ୧୨ଟା ସୁଦ୍ଧା ଆଖୁଆପଦା ନିକଟରେ ବୈତରଣୀ ନଦୀର ବନ୍ୟା ଜଳ ୧୮ ଦଶମିକ ୫ ମିଟରରେ ପ୍ରବାହିତ ହେଉଛି। ସେଠାରେ ବିପଦସଂକେତ ୧୭ ଦଶମିକ ୮/୩ ମିଟର ରହିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ ଏବଂ ଶାଖା ନଦୀ ଖରସ୍ରୋତାରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ବରି, ଧର୍ମଶାଳା, ରସୁଲପୁର, ବିଞ୍ଝାରପୁର ଓ ବଡଚଣା ବ୍ଲକର ୧୦ଟିରୁ ଅଧିକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି। ଆମ ସମ୍ବାଦଦାତା
ଜଣାଇଛନ୍ତି, ଜିଲ୍ଲାର ରସୁଲପୁର ବ୍ଲକ ବନ୍ଧଡିହ ଘେରିବନ୍ଧରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଅଗ୍ନିଶମବାହିନୀ ଏବଂ ଓଡ୍ରାଫ ଟିମ୍‍ ପକ୍ଷରୁ ରିଲିଫ୍‍ ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପ୍ରଶାସନ ପକ୍ଷରୁ ୮ଟି ସ୍ଥାନରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି।

ଭଦ୍ରକ ଜିଲ୍ଲାରେ ଧାମନଗର ବ୍ଲକର ୩୧ଟି ପଞ୍ଚାୟତ ଏବଂ ଭଣ୍ଡାରିପୋଖରୀ ବ୍ଲକର ୨୩ଟି ପଞ୍ଚାୟତର ୩୨୬ଟି ଗ୍ରାମ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛି। ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ମରାମତି ସହ ବନ୍ୟା ବିପନ୍ନ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧଠାରେ ମହାନଦୀରେ ବିପଦସଂକେତ ୮୭ ଦଶମିକ ୮/୦ ମିଟର ଥିବାବେଳେ ଏବେ ୮୪ ଦଶମିକ ୮/୫ ମିଟର ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି।

କେନ୍ଦ୍ରାପଡା ଜିଲ୍ଲାରେ ମହାନଦୀର ଶାଖା ନଦୀ ଗୁଡ଼ିକରେ ସୃଷ୍ଟି ହୋଇଥିବା ବନ୍ୟାରେ ୧୮ଟି ଗ୍ରାମପଂଚାୟତର ୬୦ଟି ଗ୍ରାମ ପ୍ରଭାବିତ ହୋଇଛି। ପ୍ରଭାବିତ ଲୋକମାନଙ୍କୁ ୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଢେଙ୍କାନାଳ ଜିଲ୍ଲାର ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ପରିଦର୍ଶନ କରିଛନ୍ତି। ଖୁବ୍‍ ଶୀଘ୍ର ସ୍ଥିତି ଆକଳନ କରାଯିବ ବୋଲି ସେ କହିଛନ୍ତି। ହୀରାକୁଦ ଗେଟ୍‍ ଖୋଲିଲା ମହାନଦୀର ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବାହିତ ହେଉଥିବାରୁ ନଦୀବନ୍ଧ କର୍ତ୍ତୃପକ୍ଷ ଆଜି ଆଉ ୧୦ଟି ଗେଟ୍‍ ଖୋଲିଛନ୍ତି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍‍ ଦେଇ ମହାନଦୀ ଏବଂ କେନାଲକୁ ପାଣି ଛଡାଯାଉଛି। ଆଜି ଅପରାହ୍ଣ ୩ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭ ଦଶମିକ୨/୫ ଫୁଟ ରହିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ।

Get real time updates directly on you device, subscribe now.