fbpx

ନଳକୂପ ଓ ପାଇପ ପାଣି ସେବନ କଲେ ହାଡ଼ ବଙ୍କା ହେବା ସହ ଦାନ୍ତ ନଷ୍ଟ ହୋଇ ଯାଉଛି: ଫ୍ଲୋରାଇଡଯୁକ୍ତ ପାଣି ବଢ଼ାଉଛି କିଡନୀ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଦୈନନ୍ଦିନ ଜୀବନରେ ଯେଉଁ ଜଳ ବ୍ୟବହାର କରୁଛେ ତାହା କେତେ ଦୂଷିତ ସେନେଇ ଆପଣମାନେ କେତେ ସାବଧାନ ରହିଛନ୍ତି । ଏହି ଦୂଷିତ ପାଣି ସେବନ କରିବା ଫଳରେ ଆମର ଶ୍ୱାସ, ପେଟ, ଚର୍ମ, କିଡନୀ ଓ ଆଖି ଜନିତ ରୋଗ ବଢ଼ିଥାଏ । ଗତ ୨୦୨୧ ମସିହା ଏପ୍ରିଲରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ତେବେ ବିଶୋଧନ ଅଭାବରୁ ଭୂତଳ ଜଳ ଦୂଷିତ ହେଉଥିବା ଉକ୍ତ ରିପୋର୍ଟରେ କୁହାଯାଇଥିଲା ।

ଗତ ବର୍ଷ ଜୁନ ମାସରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ପାନୀୟ ଜଳ, ଜଳ ସମ୍ପଦ ଓ ପଞ୍ଚାୟତିରାଜ ବିଭାଗକୁ ଉକ୍ତ ରିପୋର୍ଟ ଦିଆଯାଇଥିଲା । ରିପୋର୍ଟ ମୁତାବକ, ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ୩୦ଟି ଜିଲ୍ଲାରେ ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ରହିଥିଲା । ଏହି ଦୂଷିତ ଜଳ ସେବନ କରିବା ଫଳରେ ପେଟ ରୋଗ, କିଡନୀ ଓ ରୋଗରୋଗ ବ୍ୟାପୁଥିବା ଜଣାପଡ଼ିଥିଲା ।

ତେବେ ଏହା ମଧ୍ୟରେୁ ରାଜ୍ୟର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରୁ ଆସିଛି ଏକ ବଡ଼ ଖବର । ବ୍ଲକର ବିଭିନ୍ନ ନଦୀ, ନଳକୂପ ଓ ଅନ୍ୟ ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡ ରହିଛି । ଫଳରେ ଲୋକଙ୍କଠାରେ କିଡନୀ ରୋଗ ବୃଦ୍ଧି ପାଉଥିବା ଦେଖାଯାଉଛି । ଅଧିକାଂଶ ନଳକୂପ ପାଣି ସେବନ କରି ଲୋକଙ୍କର ଦାନ୍ତ ନଷ୍ଟ ହେବା ସହ ହାଡ଼ ବଙ୍କା ହୋଇ ଯାଉଥିବା ଅଭିଯୋଗ କରାଯାଇଛି । ଅଧିକାଶ ଗାଁ ଓ ପଞ୍ଚାୟତରେ ପାନୀୟ ଜଳକୁ ନେଇ ଲୋକମାନେ ମୃତ୍ୟୁମୁଖରେ ପଡ଼ୁଥିବା ଦେଖାଯାଇଛି ।

କୂଅ ଓ ନଳକୂଅ ପାଣିରେ ଫ୍ଲୋରାଇଡ, ଖଣିଜ ଦ୍ରବ ଓ ଲୌହ ଗୁଣ୍ଡ ରହିଥିବାରୁ ଏହା ଲୋକଙ୍କର ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛି । ତେବେ ନଳକୂପ ଓ ପାଇପ ଜଳରେ ମାତ୍ରାଧିକ ଫ୍ଲୋରାଇଡ ରହିଥିବା ଜଳ ଗବେଷଣା ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି । ତେଣୁ ଫ୍ଲୋରାଇଡ ଓ କେମିକାଲଯୁକ୍ତ ଜଳକୁ ବିଶୋଧନ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

ସାଧାରଣ ଭାବେ ଜଳରେ ନାଇଟ୍ରୋଜେନର ମାତ୍ରା ଅଧିକ ରହିବା ଫଳରେ ଶ୍ୱାସକ୍ରିୟା, ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ । ସେହିପରି କ୍ଲୋରାଇଡର ମାତ୍ରା ଅଧିକ ରହିଲେ କିଡନୀ ଷ୍ଟୋନ ଜନିତ ରୋଗ ସୃଷ୍ଟି କରିଥାଏ । ଜଳରେ ସିସା, ପାରଦ, କ୍ୟାମିୟମର ପରିମାଣ ଅଧିକ ରହିବା ଫଳରେ ଲୋକଙ୍କର ହଜମ ଶକ୍ତି ହ୍ରାସ ପାଇବା ସହିତ ହାଲିଆ ଲାଗିବା ମୁଣ୍ଡବିନ୍ଧା ହୋଇଥାଏ । ତେଣୁ ଜନସାଧାରଣଙ୍କ ସୁସ୍ୱାସ୍ଥ୍ୟ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଜଳକୁ ପରୀକ୍ଷଣ କରିବା ନିହାତି ଜରୁରୀ ।

Get real time updates directly on you device, subscribe now.